ରାଉରକେଲା: ଦେଶରେ ବର୍ତ୍ତମାନ ଦ୍ରୁତଗତିରେ କରୋନା ଭୂତାଣୁ ସଂକ୍ରମିତ ହୋଇଚାଲିଥିବା ବେଳେ କଡ଼ାକଡ଼ି ପାଳନ କରାଯାଉଛି ୨୧ ଦିନର ଲକ୍ଡ଼ାଉନ୍ । ଏବେ ଓଡ଼ିଶାରେ ୪ଟି କରୋନା କେସ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସମସ୍ତ ବ୍ୟକ୍ତି ବିଦେଶରୁ ଓଡ଼ିଶାକୁ ଫେରିଥିବା ସୂଚନା ମିଳିଛି । ତେବେ ଷ୍ଟିଲସିଟିରେ ୨ଟି କିୱି ଚାଟାର୍ଡ଼ ଏୟାରକ୍ରାଫ୍ଟ୍ ରାଉରକେଲା ଏୟାରପୋର୍ଟରେ ଲ୍ୟାଣ୍ଡ କରିବା ପରେ ରାଉରକେଲାବାସୀ କରୋନା ଆତଙ୍କରେ ଆତଙ୍କିତ ହୋଇ ପଡ଼ିଛନ୍ତିି ।
ଏହି ଘଟଣା ସମ୍ପର୍କରେ ସାମ୍ବାଦିକମାନେ ପଚାରିବାରୁ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ(ଆରଏସପି)ର କର୍ତ୍ତୃପକ୍ଷ କହିଛନ୍ତି ଯେ ଜିଓଲୋଜି ସର୍ଭେ ଅଫ ଇଣ୍ଡିଆ (ଜିଏସଆଇ) ପକ୍ଷରୁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ ମାଇନିଂ ସର୍ଭେ ଲାଗି ନ୍ୟୁଜିଲ୍ୟାଣ୍ଡରୁ ୨ଟି ଚାଟାର୍ଡ଼ ଏୟାରକ୍ରାଫ୍ଟ ଭଡ଼ା ସୂତ୍ରରେ ଅଣାଯାଇଛି ।
ରାଉରକେଲା ଏୟାରପୋର୍ଟରେ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ବିମାନ ଲ୍ୟାଣ୍ଡ କରିଥିବା ବେଳେ ଅନ୍ୟ କିୱି ବିମାନଟି ୨୦ ତାରିଖରେ ଲ୍ୟାଣ୍ଡ କରିଥିଲା । ତେବେ ଯାହାବି ହେଉ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍ଡ଼ାଉନ୍ ଘୋଷଣା କରିଥିବା ଯୋଗୁଁ ଏହି ଦୁଇଟି ଏୟାରକ୍ରାଫ୍ଟରେ ଥିବା ସମସ୍ତ କ୍ରିୟୁ ଏବଂ ଷ୍ଟାଫମାନେ ନ୍ୟୁଜିଲାଣ୍ଡ ଫେରିଯାଇଛନ୍ତି ।
ଆରଏସପି କର୍ତ୍ତୃପକ୍ଷ ଏସମ୍ପର୍କରେ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଜଣାଇବା ସହିତ ଏହି ସମସ୍ତ ବିଦେଶୀ ନାଗରିକମାନଙ୍କ ମେଡ଼ିକାଲ୍ ଟେଷ୍ଟ ଇସ୍ପାତ ଜେନେରାଲ୍ ହସ୍ପିଟାଲ (ଆଇଜିଏଚ)ରେ କରାଯାଇଥିଲା । ସମସ୍ତ ସଦସ୍ୟ ମାନଙ୍କର କରୋନା ଭୂତାଣୁ ନେଗେଟିଭ୍ ବାହାରିଥିବାର ସୂଚନା ମିଳିଛି ।