Latest Odisha News

BREAKING NEWS

କରୋନା ଆତଙ୍କ: ‘ସଟ୍‌ଡାଉନ୍‌’ରେ ତିନୋଟି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ

ଯାଜପୁର/ଭଦ୍ରକ/ପୁରୀ: ତିନିଜଣ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହେବାପରେ ଓଡ଼ିଶାର ୩ଟି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ସଟ୍‌ଡାଉନ୍ କରାଯାଇଛି ।

ଗଣମାଧ୍ୟମକୁ ସୂଚନାଦେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି, ନିଜାମୁଦ୍ଦିନର ତବଲିଘି ଜମ୍ମାତରେ ଯୋଗଦେଇଥିବା ୨୮ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଓଡ଼ିଶାରେ ୩ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

“ସେମାନଙ୍କ ମଧ୍ୟରୁ ରସୁଲପୁର ବ୍ଲକର ବ୍ରହ୍ମବରଦା ଗ୍ରାମର ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଗ୍ରାମ ସହିତ ଏହାର ୩ କିଲୋମିଟର ପରିମିତ ଅଞ୍ଚଳକୁ ଶୁକ୍ରବାର ରାତିରୁ ସମ୍ପୂର୍ଣ୍ଣ ରୂପେ ସଟ୍‌ଡାଉନ୍ କରାଯାଇଛି । ଏଠାରେ ମଧ୍ୟ ଏହି ସଟ୍‌ଡାଉନ୍ ରବିବାର ରାତି ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।” ଏହା କହିଛନ୍ତି ଯାଜପୁର ଜିଲ୍ଲାପାଳ ।

ବ୍ରହ୍ମବରଦା ଗ୍ରାମରେ ଚିହ୍ନଟ ହୋଇଥିବା ଏହି କରୋନା ରୋଗୀଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତାଙ୍କ ପରିବାର ଲୋକଙ୍କୁ କ୍ୱାରେନଣ୍ଟାଇନରେ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଥିବାର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ଯେଉଁ ବ୍ୟକ୍ତିମାନେ ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସ୍ୱତଃପ୍ରବୃତ୍ତ ଭାବେ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ସହିତ ୧୪ ଦିନ ଲାଗି ହୋମ୍ କ୍ୱାରେଣ୍ଟାଇନରେ ରହିବା ଆବଶ୍ୟକ । ପ୍ରଶାସନ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ ସେବା ସେମାନଙ୍କୁ ଯୋଗାଇ ଦିଆଯିବ ।

ସେହିପରି ଭାବେ ପୁରୀରେ ଜିଲ୍ଲା ପ୍ରଶାସନ ପିପିଲି ବ୍ଳକର ଦାନଗୋହିରୀ ଗ୍ରାମକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରିଦେଇଛନ୍ତି ।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ପ୍ରଦାନ କରି କହିଛନ୍ତି ଯେ, ପିପିଲି ସିଭିକ୍ ବଡ଼ି ପକ୍ଷରୁ ସମ୍ପୂର୍ଣ୍ଣ ଗ୍ରାମକୁ ସାନିଟାଇଜ୍ କରାଯିବା ସହିତ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ ରହିବ ।

ଭଦ୍ରକ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ଯେ, ଭଦ୍ରକ ଚରମ୍ପା ନିକଟବର୍ତ୍ତୀ ଏରେଇଁ ପଞ୍ଚାୟତ ଯାହାକି ଭଦ୍ରକ ମ୍ୟୁନିସିପାଲିଟି ଅଞ୍ଚଳରେ ରହିଛି ସେହି ଅଞ୍ଚଳରେ ସଟ୍‌ଡାଉନ ରବିବାର ରାତି ୮ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି । ନିଜାମୁଦ୍ଦିନରୁ ଫେରିଥିବା ଏହି ପଞ୍ଚାୟତର ବ୍ୟକ୍ତି ଜଣକ କରୋନା ପଜିଟିଭ୍ ଜଣାପଡ଼ିବା ପରେ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି ।

Leave A Reply

Your email address will not be published.