Latest Odisha News

BREAKING NEWS

ଇନ୍ଦୋର: ଡାକ୍ତରଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଞ୍ଚଳରେ ୧୦ କରୋନା ପଜିଟିଭ ମାମଲା ଚିହ୍ନଟ

ଇନ୍ଦୋର: ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ ବୋଲାଉଥିବା ଇନ୍ଦୋର କରୋନା ଭୂତାଣୁ ସଂକ୍ରମଣରେ ଅଧିକ ପ୍ରଭାବିତ ହୋଇଛି। ନିକଟରେ ଯେତେବେଳେ ଏକ ଡାକ୍ତରୀ ଦଳ ଇନ୍ଦୋରର ଟାଟପାଟୀ ବଖଲ ଅଞ୍ଚଳରେ ଅନୁସନ୍ଧାନ ପାଇଁ ପହଞ୍ଚିଥିଲେ, ସେତେବେଳେ ସେମାନଙ୍କୁ ପଥର ଫିଙ୍ଗି ଘଉଡ଼ାଇ ଦିଆଯାଇଥିଲା।

ତେବେ ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ସେହି ଅଞ୍ଚଳରେ ୧୦ ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି।

ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଶନିବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଏପ୍ରିଲ ୩ ଏବଂ ୪ ରେ ପଠାଯାଇଥିବା ନମୁନାରୁ ୧୬ ଜଣ ପଜିଟିଭ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ୧୬ ଜଣଙ୍କ ମଧ୍ୟରୁ ୧୦ ଜଣ ପଥରମାଡ଼ ହୋଇଥିବା ଟାଟପାଟୀ ବଖଲ ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ପିଜିଟିଭ ମାମଲା ଆସିଥିବା ବ୍ୟକ୍ତିଙ୍କ ବୟସ ୨୯ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଜଣାପଡିଛି।

ସନ୍ଦିଗ୍ଧଙ୍କ ଅନୁସନ୍ଧାନ ପାଇଁ ଡାକ୍ତରୀ ଟିମ୍ ଉକ୍ତ ଅଞ୍ଚଳରେ ପହଞ୍ଚିବା ପରେ ଦୁର୍ବୁତ୍ତ ମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ ଡାକ୍ତରମାନେ ଖସି ପଳାଇ ସେମାନଙ୍କ ଜୀବନ ରକ୍ଷା କରିଥିଲେ। ଡାକ୍ତରଙ୍କ ଉପରେ ପଥର ଫିଙ୍ଗିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଏକ ଦୁର୍ବୁତ୍ତ କିପରି ଡାକ୍ତରଙ୍କ ଉପରକୁ ପଥର ଫିଙ୍ଗୁଛନ୍ତି ତାହା ସ୍ପଷ୍ଟ ହୋଇଛି।

Comments are closed.