Latest Odisha News

BREAKING NEWS

ଭୋକ-ରୋଗ ଅସମ୍ଭାଳ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ସମ୍ପ୍ରତି ରୋଗ ଓ ଭୋକ କବଳରେ ସାରା ବିଶ୍ୱବାସୀ । ଜୀବଜଗତ ଆଉଟୁପାଉଟୁ ହେଉଛନ୍ତି । ବିଜ୍ଞାନ ସବୁଠୁ ବଡ ସାଂଘାତିକ ରୋଗ ଓ ଭୋକକୁ ବିନାଶ କରିବାର ଉପାୟ ବାହାର କରିପାରିନାହିଁ । କରୋନା ଭୂତାଣୁ ବିଶ୍ୱ ମହାମାରୀବେଳେ କିଛି କିଛି ସମ୍ବାଦ ଆସୁଛି । ଯାହା ଭବିଷ୍ୟତ ପାଇଁ ଅତ୍ୟନ୍ତ ଭୟଙ୍କର ହେବାକୁ ଯାଉଛି । ଗତ ୧୦ ତାରିଖରେ ସୁରତ, ୧୨ ତାରିଖରେ ଚଣ୍ଡିଗଡ, ୧୩ ତାରିଖରେ କଲିକତାରେ ଘଟିଯାଇଥିବା ଘଟଣାରୁ ଯାହା ଜଣାପଡେ-ଲକ୍‌ଡାଉନ୍ ସମୟରେ କିଛି ଲୋକଙ୍କ ଅବସ୍ଥା ଅସମ୍ଭାଳ ହୋଇପଡିଛି । ସୁରତରେ ଭୋକର ଦାଉରୁ ରକ୍ଷା ପାଇବା ପାଇଁ ହଜାର ହଜାର ସଂଖ୍ୟାର ଶ୍ରମିକ ବାହାରକୁ ଆସି ଗଣ୍ଡଗୋଳ କରିଥିଲେ । ସେମାନଙ୍କର ଦାବି ଥିଲା ଆମକୁ ଘରକୁ ପଠାଅ, ନଚେତ୍ ଖାଦ୍ୟ ଦିଅ । ବର୍ତମାନ ସମୟରେ ଗୁଜୁରାଟରୁ ଓଡିଶା ଫେରିବା ସମ୍ଭବ ନଥିବାରୁ କେବଳ ସେମାନଙ୍କୁ ଖାଦ୍ୟ ଯୋଗାଇବା ଏକମାତ୍ର ରାସ୍ତା । ଅବଶ୍ୟ ଏ ଘଟଣା ପରେ କିଛି କିଛି ସ୍ଥାନରେ ଖାଦ୍ୟ ପହଂଚିଲାଣି । ପଞ୍ଜାବରେ ଲକ୍‌ଡାଉନ୍ ନମାନିବା ଫଳରେ ପୋଲିସ୍ ଓ ଲୋକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଯାଇଛି । କଲିକତାରେ ମଧ୍ୟ ଗଣ୍ଡଗୋଳ ହୋଇଥିବାର ଖବର ଆସୁଛି ।

ଏବେ ତ ଅବସ୍ଥା ଅସମ୍ଭାଳ । ଆଗକୁ କ’ଣ ହେବ? ଲୋକେ ଖାଇବାକୁ ନପାଇଲେ ଭୋକ ବିକଳରେ ରାସ୍ତାଘାଟକୁ ପଳାଇଆସି ଲୁଟ୍‌ପାଟ୍ କରିବା ଘଟଣା ବି ଅସମ୍ଭବ ନୁହେଁ । ଭବିଷ୍ୟତ ପାଇଁ ଏହା ଏକ ଚେତାବନୀ । ଆଜି ନହେଲେ ବି କାଲି କରୋନା ତା’ର ଖେଳାଲୀଳା ସାରି ବିଦାୟ ନେବ । ସେତେବେଳକୁ ଏ ଧରାପୃଷ୍ଠରୁ କିଛି ଜୀବଜନ୍ତୁ ବିଦାୟ ନେଇସାରିଥିବେ । ବାକି ଯେଉଁମାନେ ବଂଚିଥିବେ, କେତେକ ଦରମରା ହୋଇ ବଂଚିଥିବେ । ସେଇସବୁ ଜୀବଜଗତ ଆଇନ୍‌କାନୁନ୍ ଶୃଙ୍ଖଳା କିଛି ମାନିବେ ନାହିଁ । କିଏ କାହାକୁ ସମ୍ଭାଳିବ? ଏବେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କିଛି କଟକଣା ଜାରି କରି ଅଟକାଉଛନ୍ତି । ସମଗ୍ର ବିଶ୍ୱରେ ମଧ୍ୟ କଟକଣା ଜାରି ରହିଛି ।

ସମୟ ଆସୁଛି – ଧନୀ ଗରିବ ମଧ୍ୟରେ ଆଉ ପ୍ରଭେଦ ରହିବ ନାହିଁ । ଯାହାଙ୍କ ପାଖରେ ଧନସମ୍ପତି, ଟଙ୍କା, ଗାଡି, କୋଠାବାଡି ଥିବ ସେମାନେ ମଧ୍ୟ ଖାଦ୍ୟ ଅଭାବରେ ଆଉଟୁପାଉଟୁ ହେବେ । ଏଣେ ରୋଗ, ତେଣେ ଭୋକ – ଦୁଇଟାଯାକ ଆକ୍ରମଣରୁ ଜୀବଜଗତ ତିଷ୍ଠିବା କଷ୍ଟକର ହେବ । ବର୍ତମାନ ସରକାର ଓ ଲୋକଙ୍କ ପାଖରେ ଯାହାକିଛି ଅଛି – ସେଥିରେ କିଛିଦିନ ଚଳିଯିବେ । ଯେତେବେଳେ ଘୋର ଅଭାବ ପଡିବ, କେହି କାହାକୁ ସାହାଯ୍ୟ କରିବାକୁ ନଥିବେ ।

ଆଉ ପୁଞ୍ଜିବାଦ, ସମ୍ବ୍ରାଜ୍ୟବାଦ, ଫାଶୀବାଦ, ଆତଙ୍କବାଦ ପ୍ରମୂଖ ‘ବାଦ’ ରହିବ ନାହିଁ । ହୁଏତ ଶେଷରେ ସାମ୍ୟବାଦ ବିରାଜମାନ କରିବ । ସେ ସାମ୍ୟବାଦ – ଏ ସାମ୍ୟବାଦ ଭିତରେ ଆକାଶପାତାଳ ପ୍ରଭେଦ ରହିବ । ଆଗକୁ କ’ଣ ସବୁ ଘଟିବ – ଏ ଭବିଷ୍ୟତ ବାଣୀ ଶୁଣାଇବା କଷ୍ଟକର । ସବୁ ବିଫଳ ହେବାକୁ ଲାଗିଲାଣି । ଦେହରେ ପିଣ୍ଡ ଥିଲା ପର୍ଯ୍ୟନ୍ତ ଆମକୁ ସବୁକଥା ଭାବିବାକୁ ପଡୁଛି । ଏବେ ଆମେ କ’ଣ କରିବା? ଆଗେ ଭାବୁଥିଲେ – ଏ ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ । ଏବେ କିନ୍ତୁ ସବୁ ସମ୍ଭବ ହୋଇପାରୁଛି । ଯାହା ଆମେ ଚିନ୍ତା କରି ପାରୁନଥିଲେ । ସେ ସବୁ ଘଟିବାରେ ଲାଗିଛି । ଆଜି ଯାହା ଆମେ ପରାମର୍ଶ କି ନିର୍ଦ୍ଦେଶ ପାଉଛେ, ସମୟକ୍ରମେ ସେ ସବୁ ବଦଳିଯାଉଛି ।

ଭବିଷ୍ୟତରେ ଏ ଧରାପୃଷ୍ଠରେ ଯାହା କିଛି ଅଛି, ସେ ସବୁରି ଉପରେ ସମସ୍ତଙ୍କର ଅଧିକାର ରହିବ । ଅଧିକାର କେହି କେବେ କାହାକୁ ଦିଏନା, ଅଧିକାର ଛଡେଇ ଆଣିବାକୁ ପଡେ । ସେ ବେଳ ପହଂଚିଗଲାଣି । ଯାହା ପାଖରେ ଯାହା ବୁଦ୍ଧି ଅଛି, ସବୁ ପ୍ରୟୋଗ କରୁଛେ । ସମୟ ଆସୁଛି, ଏ ବୁଦ୍ଧି ଆଉ କାମ ଦେବନି । ଆମେ ଯେଉଁମାନେ ପୁଞ୍ଜିବାଦ, ଫାଶୀବାଦ ବିରୁଦ୍ଧରେ ଜୀବନବ୍ୟାପି ଲଢୁଥିଲୁ, ଜନଗଣଙ୍କୁ ବୁଝାଉଥିଲୁ, ଏବେ ଆଉ କାହାକୁ ବୁଝେଇବାକୁ ପଡିବନାହିଁ । ସେମାନେ ଧିରେ ଧିରେ ବୁଝିଗଲେଣି । କାରଣ, ଭୋକ ଓ ରୋଗ ଅସମ୍ଭାଳ । ଏଭଳି ସମୟରେ ଆଉ ଗର୍ବ, ଅହଂକାର, ଲୋଭ, ମୋହମାୟା ତ୍ୟାଗକରି ସାରା ବିଶ୍ୱ ଏକ କୁଟୁମ୍ବ ଭାବି କାର୍ଯ୍ୟ କରିବାକୁ ହେବ । କୁଟୁମ୍ବକୁ ରକ୍ଷା କରିବା ଆମର ପରମ କର୍ତବ୍ୟ ।

ଯାଜପୁର ରୋଡ, ଯାଜପୁର ମୋ: ୯୮୬୧୦୩୪୧୬୩

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)

 

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.