ବ୍ରହ୍ମପୁର: ରାଜ୍ୟବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର ଜଣେ ସ୍କୁଲ ପ୍ରଧାନଶିକ୍ଷକ ଟ୍ରଲି ରିକ୍ସାରେ ବହିଗୁଡିକୁ ବୋହି ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚାଉଛନ୍ତି।ଛାତ୍ରଛାତ୍ରୀଙ୍କ ପାଠପଢାରେ କୋୖଣସି ବ୍ୟାଘାତ ସୃଷ୍ଟି ନହେବା ଲାଗି ସମ୍ପୃକ୍ତ ପ୍ରଧାନଶିକ୍ଷକ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି।
ସାନଖେମୁଣ୍ଡି ବ୍ଲକର ପୋଡାମାରି ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାଶିବ ପାଢ଼ୀଙ୍କ ଏହି ବହି ବଣ୍ଟନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଏହି ଲକଡାଉନ ହେତୁ ଏକ ମାସରୁ ଅଧିକ ସମୟ ଧରି ଶିକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଶ୍ରୀ ପାଢ଼ୀ ବିଦ୍ୟାଳୟର ମହିଳା ଶିକ୍ଷୟିତ୍ରୀମାନଙ୍କ ସହ ଆଗେଇ ଆସିଛନ୍ତି।
ପ୍ରଧାନଶିକ୍ଷକଙ୍କ ଏଭଳି ପଦକ୍ଷେପକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବିଜେପିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ରଙ୍କ ସମେତ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।
ଉଲ୍ଲେଖଯୋଗ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ନିକଟ ଅତୀତରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଓ) ଙ୍କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ସ୍କୁଲ ବହି ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।