Latest Odisha News

BREAKING NEWS

କଂଗ୍ରେସ ଛାଡ଼ିବେ କୃଷ୍ଣଚନ୍ଦ୍ର, ନବ ଦାସ ବିଜେଡ଼ିରେ ଯୋଗ ଦେବେ !

ଭୁବନେଶ୍ୱର/କୋରାପୁଟ: ରାଜ୍ୟ କଂଗ୍ରେସର ଦୁଇ ବରିଷ୍ଠ ନେତା ତଥା ଟାଣୁଆ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଓ ନବ କିଶୋର ଦାସ ଖୁବ ଶିଘ୍ର କଂଗେସ ଦଳ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ କଂଗେସର କାର୍ଯ୍ୟକାରୀ ସଭାପତି ନବ ଦାସ ନିକଟରେ ନବୀନଙ୍କୁ ସାକ୍ଷାତ କରିଥିଲେ । ଝାରସୁଗୁଡ଼ାରେ ସେତୁ ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ରାଜ୍ୟ କାର୍ଯ୍ୟକାରୀ ସଭାପତି ନବ ଦାସ ତାଙ୍କ ପରିବାରବର୍ଗଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଅବଶ୍ୟ ଏହା ଏକ ରାଜନୈତିକ ସାକ୍ଷାତ ହୋଇନଥିଲେ ମଧ୍ୟ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିରୋଧି ଦଳର ଜଣେ ରାଜ୍ୟସ୍ତରୀୟ ସାଂଗଠନିକ ନେତା ଶାସକ ଦଳର ମୁଖିଆଙ୍କୁ ଭେଟିବା କଥାକୁ ରାଜନୈତିକ ବିଶାରଦମାନେ ସହଜରେ ଗ୍ରହଣ କରୁନାହାନ୍ତି ।

ଅବଶ୍ୟ ସମସ୍ତେ ଜାଣିଛନ୍ତି ଯେ, ନବ ଦାସ ବିଜେଡ଼ିରେ ଯୋଗଦେବାକୁ ପୂର୍ବରୁ ସ୍ଥିର କରି ନେଇଥିଲେ । କିନ୍ତୁ ପିସିସି ମୁଖ୍ୟ ଭାବେ ନିରଞ୍ଜନ ପଟ୍ଟନାୟକ ହେବା ପରେ ଏବଂ ତାଙ୍କୁ କାର୍ଯ୍ୟକାରୀ ସଭାପତି ରୂପେ ପିସିସି ସାଂଗଠନିକ ଦାୟିତ୍ୱ ହସ୍ତାନ୍ତର ପରେ ସେ କଂଗ୍ରେସ ଛାଡ଼ି ପାରିନଥିଲେ ଏବଂ ତାଙ୍କର ମିଶ୍ରଣ ପର୍ବ ସ୍ଥଗିତ ରହିଥିଲା । ଏବେ ଆହୁରି ମଧ୍ୟ ଜିଲ୍ଲାରେ ଚର୍ଚ୍ଚା ଧରିଛି ନବ ବାବୁ ତାଙ୍କର ପୁଅକୁ ଝାରସୁଗୁଡ଼ା ବିଧାୟକ ଭାବେ ଦେଖିବାକୁ ଚାହାନ୍ତି । ତେଣୁ ସେ ପୁଅକୁ ଝାରସୁଗୁଡ଼ା ଛାଡ଼ି ଦେଇ ନିଜେ ବ୍ରଜରାଜନଗରୁ ବିଜେଡ଼ି ଟିକଟରୁ ନିର୍ବାଚନ ଲଢି ନିର୍ବାଚନ ଜିତିବାକୁ ଚାହୁଁଛନ୍ତି ବରିଷ୍ଠ କଂଗ୍ରେସ ନେତା ନବ ଦାସ । ଜିଲ୍ଲାବାସୀଙ୍କୁ ଏନେଇ ଅଛପା ନଥିଲେ ମଧ୍ୟ ଏହି କଥାରେ କେତେ ସତ କେତେ ମିଛ ରହିଛି ତାହା ଜଣାପଡ଼ିବ ନବ ଦାସ ଯେଉଁଦିନ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦାନ ଦେବେ ।

ଅବଶ୍ୟ କଂଗ୍ରେସର ଜଣେ ଟାଣୁଆ ବିଧାୟକ ଭାବେ ନବ ଦାସଙ୍କର ସମଗ୍ର ରାଜ୍ୟରେ କାଟତି ରହିଛି । ଖାଲି ସେତିକି ନୁହେଁ ବିଜେଡ଼ିର ଅନେକ ନେତା ତଥା ବିଜେଡ଼ି ସୁପ୍ରିମୋଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ସୁମ୍ପର୍କ ରହିଛି ଏକଥା କାହାକୁ ଅଛପା ନାହିଁ । ତେଣୁ ସୂତ୍ରରୁ ଜଣାପଡ଼ିଛି, ନବ ଦାସଙ୍କ ଲାଗି ବାକି ରହିଛି ମିଶ୍ରଣ ପର୍ବର ଦିନ । ଆନୁଷ୍ଠାନିକ ଭାବେ ଏକ ସମାବେଶର ଆୟୋଜନ କରି ଜିଲ୍ଲାରେ ମିଶ୍ରଣ ପର୍ବ କରିପାରେ ବିଜୁ ଜନତା ଦଳ ।

ସେହିପରି କୋରାପୁଟ ବିଧାୟକ ତଥା ରାଜ୍ୟର ଜଣେ ଟାଣୁଆ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ଶଗରିଆ କଂଗ୍ରେସ ଛାଡ଼ିବାକୁ ମନସ୍ଥ କରିଥିବା କଥା ସୂଚନା ମିଳିଛି । ପିସିସିର ପୂବତନ ଦଳିତ ସେଲ୍ ର ଅଧ୍ୟକ୍ଷ ତଥା ବର୍ତ୍ତମାନର ପିସିସି ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ଦଳୀୟ ନେତାଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇପଡ଼ିଛନ୍ତି । ତେଣୁ ଆସନ୍ତା ଦୁଇଦିନ ମଧ୍ୟରେ ସେ ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା କଥା ସୂଚନା ମିଳିଛି ।

କୋରାପୁଟ ତଥା ନବରଙ୍ଗପୁରରେ ବିଗତ କିଛି ଦଶନ୍ଧି ଧରି କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରହିଛି । କଂଗ୍ରେସ ଦଳର ଏହି ଦୁଇ ଜିିଲ୍ଲାରେ ଏପର୍ଯ୍ୟନ୍ତ ଭଲ ପ୍ରଭାବ ମଧ୍ୟ ରହିଛି । ଏହି ଅଞ୍ଚଳରୁ କଂଗ୍ରେସର ବରିଷ୍ଠ ନେତାମାନେ ରାଜ୍ୟ ସାଂଗଠନିକ ସ୍ତରରେ ବିଭିନ୍ନ ଦାୟିତ୍ୱ ନେଇଥିଲେ ମଧ୍ୟ ଜିଲ୍ଲାସ୍ତରରେ କିନ୍ତୁ ଗୋଷ୍ଠୀ କନ୍ଦଳ ଅଧିକ ଭାବେ ମୁଣ୍ଡ ଟେକିଛି । କଥାହେଲା ପିସିସି ସଭାପତି ପରିବର୍ତ୍ତନ ହେବା ପରେ ବିଧାୟକ କୃଷ୍ଣଚନ୍ଦ୍ର ଚାହୁଁଥିଲେ ଜିଲ୍ଲା ସଭାପତି ହେବାକୁ । କିନ୍ତୁ କଂଗ୍ରେସର ମୁଖ୍ୟ ସଚେତକ ତଥା ବିଧାୟକ ତାରା ବାହିନୀପତିଙ୍କ ପତ୍ନୀଙ୍କୁ ସଭାପତି ଭାବେ ଦାୟିତ୍ୱ ଦିଆଯିବାପରେ କୃଷ୍ଣଚନ୍ଦ୍ରଙ୍କୁ ଏହିକଥା ବାଧିବା ସ୍ୱାଭାବିକ । ତେଣୁ ସେ ଦଳ ଛାଡ଼ିବା ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଜିଲ୍ଲାରେ ଅନେକ ପୁରୁଖା କଂଗ୍ରେସ କର୍ମୀ ତଥା ଟାଣୁଆ ନେତା ରହିଥିବା ବେଳେ ଅନଭିଜ୍ଞ ବ୍ୟକ୍ତିଙ୍କୁ ଜିଲ୍ଲା ସଭାପତି ଭାବେ ଚୟନ କରାଯିବାଟା ଜିଲ୍ଲା କଂଗ୍ରେସରେ ଅଧିକାଂଶ ନେତାଙ୍କୁ ନାପସନ୍ଦ ହୋଇଛି । ବିଧାୟକ ଦଳ ମଧ୍ୟରେ ଏବେ ସୁରକ୍ଷିତ ମଣୁନାହାନ୍ତି । ତେଣୁ ଏହି ଚରମ ନିଷ୍ପତ୍ତି ନେବା ଥୟ ବୋଲି ରାଜନୈତିକ ବିଶାରଦ ଗଣନା କରୁଛନ୍ତି ।

ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାନଭାଇ ସୌମ୍ୟରଞ୍ଜନ ପଟ୍ଟନାୟକ ନୂଆକରି ବିଜେଡ଼ିରେ ମିଶିଲା ପରେ ତାଙ୍କୁ ଦଳ କୋରାପୁଟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ସୌମ୍ୟବାବୁ ଯେ କେବଳ ଉଚ୍ଚକୋଟୀର ସାମ୍ବାଦିକ ନୁହଁନ୍ତି ବରଂ ରାଜନୀତି ପଶାପାଲିରେ ମଧ୍ୟ ଜଣେ ଧୁରନ୍ଧର ଖେଳୱାଡ଼ । ସବୁଠାରୁ ବଡ଼କଥା ହେଲା କୁନ୍ଦୁଲି ଘଟଣା ହେଉ କି ଅନ୍ୟକିଛି ପ୍ରସଙ୍ଗ, କୃଷ୍ଣଚନ୍ଦ୍ର କିନ୍ତୁ ସବୁବେଳେ ଜିଲ୍ଲାସ୍ତରରେ କଂଗ୍ରେସରେ ମଙ୍ଗୁଆଳ ସାଜି ଆନ୍ଦୋଳନକୁ ଜୋରଦାର କରୁଥିଲେ । ଭାବମୂର୍ତ୍ତୀ ବୃଦ୍ଧି ପାଇବା ପରିବର୍ତ୍ତେ ଧିରେ ଧିରେ ରାଜ୍ୟ କଂଗ୍ରେସରୁ ତାଙ୍କର କ୍ଷମତା ହ୍ରାସ ପାଇବାକୁ ଲାଗିଲା । କଂଗ୍ରେସ ଦଳୀତ ସେଲ ର ଅଧ୍ୟକ୍ଷ ପଦବୀ ତାଙ୍କ ହାତରୁ ଗଲା । ବିଧାୟକ କୃଷ୍ଣଚନ୍ଦ୍ରଙ୍କ ଜିଲ୍ଲା ସଭାପତି ଆଶା ମଉଳିଯିବା ପରେ ତାହା ତାଙ୍କୁ ଖୁବ୍ ବ୍ୟଥିତ କରିଥିଲା । ଏହିସବୁ କାରଣରୁ ସେ ଦଳତ୍ୟାଗ କରିବା କଥା ବେଶ୍ ଗୁରୁତ୍ୱର ସହିତ ଚିନ୍ତା କରୁଛନ୍ତି ।

ରାଜନୀତିରେ ଯେକୌଣସି ପରିବର୍ତ୍ତନ କୌଣସି ସମୟରେ ଅସମ୍ଭବ ନୁହେଁ । ଅସନ୍ତୁଷ୍ଟ ହୋଇପଡ଼ିଥିବା ଟାଣୁଆ ନେତା ସୁଯୋଗ ତଥା ସମୟକୁ ଅପେକ୍ଷା କରନ୍ତି ନାହିଁ । ତେଣୁ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ ଏବଂ ପିସିସି ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ଶଗରିଆ ଦଳୀୟ ଅସନ୍ତୋଷ ଯୋଗୁଁ ଦଳ ପରିତ୍ୟାଗ କରି ଅନ୍ୟ ଦଳରେ ଯୋଗଦେବାର ଯେଉଁ ଚର୍ଚ୍ଚା ଚାଲିଛି ତାହା କେତେଦୂର ସତ୍ୟ ଆସନ୍ତା ଦୁଇ ଦିନ ମଧ୍ୟରେ ଜଣାପଡ଼ିଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.