Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍’: ମାନବିକ ଅଧିକାରକୁ ବୁଝିବା, କାର୍ଯ୍ୟରେ ଲଗାଇବା ହେଉଛି ‘ସବକା ସାଥ୍ ସବକା ବିକାଶ’ର ଆଧାର

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରେଡ଼ିଓ ଯୋଗେ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ କହିଛନ୍ତି, ୨୫ ବର୍ଷର ଏହି ଯାତ୍ରା ଭିତରେ ଏହା ଦେଶବାସୀମାନଙ୍କ ମନରେ ଏକ ଆଶା ଓ ବିଶ୍ୱାସର ବାତାବରଣ ସୃଷ୍ଟି କରିପାରିଛି । ମୁଁ ଭାବୁଛି ଗୋଟିଏ ସୁସ୍ଥ ସମାଜ ଗଠନ ଏବଂ ଲୋକତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଏହା ଏକ ଆଶାଜନକ ବିଷୟ । ଆଜି ଜାତୀୟ ସ୍ତରରେ ମାନବିକ ଅଧିକାର ଆୟୋଗ ସମେତ ୨୬ଟି ରାଜ୍ୟରେ ମଧ୍ୟ ପ୍ରାଦେଶିକ ମାନବିକ ଅଧିକାର ଆୟୋଗ ଗଠନ କରାଯାଇଛି । ଏକ ସମାଜ ଭାବରେ ଆମମାନଙ୍କ ପାଇଁ ମାନବିକ ଅଧିକାରର ମହତ୍ୱକୁ ବୁଝିବା ଏବଂ ତାକୁ ନିଜର ଆଚରଣରେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି । ଏହାହିଁ ‘ସବକା ସାଥ୍ ସବକା ବିକାଶ’ର ଆଧାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏମିତି କୌଣସି ଭାରତୀୟ ନ ଥିବ, ଯିଏ ଆମ ସେନାବାହିନୀ, ଆମ ସେନାର ଯବାନମାନଙ୍କୁ ନେଇ ଗର୍ବ କରୁନଥିବ । ପ୍ରତ୍ୟେକ ଭାରତୀୟ – ସେ ଯେକୌଣସି ଅଂଚଳ, ଜାତି, ଧର୍ମ, ସମ୍ପ୍ରଦାୟ ବା ଭାଷାର ହୋଇଥାଉ ନା କାହିଁକି – ଆମ ସୈନିକମାନଙ୍କ ପ୍ରତି ନିଜର ଆନନ୍ଦର ପରିପ୍ରକାଶ ଏବଂ ସମର୍ଥନ ଦର୍ଶାଇବା ପାଇଁ ସର୍ବଦା ତତ୍ପର ହୋଇରହିଥାଏ । ଗତକାଲି ଭାରତର ଶହେ ପଚିଶ କୋଟି ଦେଶବାସୀ ପରାକ୍ରମ ପର୍ବ ପାଳନ କଲେ । ଆମେ ୨୦୧୬ରେ ହୋଇଥିବା ସେହି ସର୍ଜିକାଲ ଷ୍ଟ୍ରାଇକ୍କୁ ସ୍ମରଣ କଲୁ ଯେଉଁଥିରେ ଆମ ସୈନିକମାନେ ଆମ ଦେଶ ଉପରେ ଆତଙ୍କବାଦ ଆଢୁଆଳରେ ଛାୟା ଯୁଦ୍ଧର ଦୁଃସାହସ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଥିଲେ । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଆମର ସେନାବାହିନୀ ଦ୍ୱାରା ପ୍ରଦର୍ଶନୀମାନ ଆୟୋଜିତ ହେଲା, ଯାହାଫଳରେ ଦେଶର ଅଧିକରୁ ଅଧିକ ନାଗରିକ ବିଶେଷକରି ଯୁବପିଢ଼ି ଆମର ଶକ୍ତି ସହ ପରିଚିତ ହୋଇପାରିବେ । ଆମେ କେତେ ସକ୍ଷମ ଆଉ ଆମ ସୈନିକମାନେ କିଭଳି ନିଜ ଜୀବନକୁ ବିପଦରେ ପକାଇ ଆମ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । ପରାକ୍ରମ ପର୍ବ ଭଳି ଦିବସ ଯୁବବର୍ଗଙ୍କୁ ଆମର ସଶସ୍ତ୍ର ସେନାବାହିନୀର ଗୌରବପୂର୍ଣ୍ଣ ପରମ୍ପରାକୁ ସ୍ମରଣ କରାଇ ଦେଇଥାଏ ଆଉ ଦେଶର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ଆମକୁ ପ୍ରେରଣା ମଧ୍ୟ ଯୋଗାଇଥାଏ । ମୁଁ ମଧ୍ୟ ବୀରମାନଙ୍କ ଭୂମି ରାଜସ୍ଥାନର ଯୋଧପୁରରେ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି । ତେବେ ଏକଥା ଏବେ ନିଶ୍ଚିତ ଯେ, ଯିଏ ଆମ ଦେଶର ଶାନ୍ତି ଏବଂ ଉନ୍ନତିର ବାତାବରଣକୁ ନଷ୍ଟ କରିବାର ପ୍ରଚେଷ୍ଟା କରିବେ, ଆମ ସୈନ୍ୟମାନେ ତାଙ୍କୁ ଉଚିତ ଜବାବ ଦେବେ । ଆମେ ଶାନ୍ତିରେ ବିଶ୍ୱାସ କରୁ ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

କିନ୍ତୁ ସମ୍ମାନ ସହ ସାଲିସ୍ ଏବଂ ଦେଶର ସାର୍ବଭୌମତ୍ୱ ବଦଳରେ ଏହା କଦାପି ସମ୍ଭବ ନୁହେଁ । ଭାରତ ସର୍ବଦା ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସମର୍ପିତ ହୋଇ ରହିଆସିଛି । ବିଂଶ ଶତାବ୍ଦୀରେ ଦୁଇଟି ବିଶ୍ୱଯୁଦ୍ଧ ସହ ଆମର କୌଣସି ସମ୍ପର୍କ ନ ଥିବା ସତ୍ୱେ ଆମର ଏକ ଲକ୍ଷରୁ ଅଧିକ ସୈନ୍ୟ ପ୍ରାଣବଳି ଦେଇଥିଲେ । ଅନ୍ୟ କାହାରି ଭୂମି ଉପରେ ଆମର ଦୃଷ୍ଟି କେବେହେଲେ ନ ଥିଲା । ଏହା କେବଳ ଥିଲା ଶାନ୍ତି ପ୍ରତି ଆମ ପ୍ରତିବଦ୍ଧତା । ମାତ୍ର କିଛିଦିନ ତଳେ ସେପ୍ଟେମ୍ବର ୨୩ ତାରିଖ ଦିନ ଆମେ ଇସ୍ରାଏଲରେ ହାଇଫା  ଯୁଦ୍ଧର ଶହେ ବର୍ଷ ପୂର୍ତି ଅବସରରେ ମହିଶୂର, ହାଇଦ୍ରାବାଦ ଓ ଯୋଧପୁର ଲାନ୍ସର୍ସ’ର ବୀର ସୈନିକମାନଙ୍କୁ ସ୍ମରଣ କଲୁ ଯେଉଁମାନେ ଆକ୍ରମଣକାରୀଙ୍କ କବଳରୁ ହାଇଫାକୁ ମୁକ୍ତ କରିଥିଲେ । ଏହା ମଧ୍ୟ ଶାନ୍ତି ପାଇଁ ଆମ ସୈନିକମାନଙ୍କ ଦ୍ୱାରା ପ୍ରଦର୍ଶିତ ଗୋଟିଏ ପରାକ୍ରମ ଥିଲା । ଆଜି ମଧ୍ୟ ମିଳିତ ଜାତିସଂଘର ବିଭିନ୍ନ ଶାନ୍ତିରକ୍ଷା ସେନାବାହିନୀରେ ସର୍ବାଧିକ ସୈନ୍ୟ ପଠାଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ଅନେକ ଦଶନ୍ଧି ଧରି ଆମ ବୀର ସୈନିକଗଣ ନୀଳ ହେଲମେଟ୍ ପିନ୍ଧି ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।


୧୯୭୧ର ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ କଥା କିଏ ବା ନ ଜାଣେ? ୧୯୯୯ରେ କାରଗିଲକୁ ଅନୁପ୍ରବେଶକାରୀଙ୍କ କବଳରୁ ମୁକ୍ତ କରାଇବାରେ ମଧ୍ୟ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଟାଇଗର ହିଲ୍ସରେ ଶତ୍ରୁପକ୍ଷର ଶିବିର ଉପରେ ଦିନରାତି ବୋମାବର୍ଷଣ କରି ବାୟୁସେନା ସେମାନଙ୍କୁ ପରାଜୟର ସ୍ୱାଦ ଚଖାଇଥିଲା । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ହେଉ କିମ୍ବା ବିପର୍ଯ୍ୟୟ ପରିଚାଳନା, ଆମ ବାୟୁସେନାର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦେଶ ସେମାନଙ୍କ ନିକଟରେ କୃତଜ୍ଞ । ଝଡ଼ବାତ୍ୟା, ବନ୍ୟାଠାରୁ ଆରମ୍ଭ କରି ଜଙ୍ଗଲରେ ଲାଗିଥିବା ନିଆଁ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଦେଶବାସୀଙ୍କୁ ସାହାଯ୍ୟ କରିବାରେ ସେମାନଙ୍କ ଭାବନା ବାସ୍ତବିକ ଚମକ୍ରାର । ଦେଶରେ ଲିଙ୍ଗଗତ ସମାନତା ଅର୍ଥାତ ପୁରୁଷ ଏବଂ ସ୍ତ୍ରୀଙ୍କ ସମାନତା ସୁନିଶ୍ଚିତ କରିବାରେ ବାୟୁସେନା ଗୋଟିଏ ଉଦାହରଣ ସୃଷ୍ଟି କରିଛି ଏବଂ ଏହାର ପ୍ରତ୍ୟେକ ବିଭାଗର ଦ୍ୱାରଦେଶ ଝିଅମାନଙ୍କ ପାଇଁ ଉନ୍ମୁକ୍ତ କରିଦେଇଛି । ଏବେ ତ ବାୟୁସେନା ମହିଳାମାନଙ୍କୁ ସର୍ଟ ସର୍ଭିସେସ କମିଶନ ସହ ସ୍ଥାୟୀ କମିଶନ’ର ବିକଳ୍ପ ମଧ୍ୟ ପ୍ରଦାନ କରୁଛି, ଯାହାର ଘୋଷଣା ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ମୁଁ ଲାଲକିଲ୍ଲାର ପ୍ରାଚୀର ଉପରୁ କରିଥିଲି । ଭାରତୀୟ ସେନାରେ, ସଶସ୍ତ୍ର ବାହିନୀରେ କେବଳ ପୁରୁଷ ଶକ୍ତି ନୁହେଁ, ସ୍ତ୍ରୀ ଶକ୍ତିର ମଧ୍ୟ ସେତିକି ଯୋଗଦାନ ରହିଛି । ନାରୀ ସଶକ୍ତ, କିନ୍ତୁ ଏବେ ସେ ସଶସ୍ତ୍ର ମଧ୍ୟ ହେବାକୁ ଯାଉଛି ।
ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ଆମ ନୌବାହିନୀର ଜଣେ ଅଧିକାରୀ ଅଭିଳାଷ ଟମି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ତାଙ୍କ ଜୀବନରକ୍ଷା ପାଇଁ ସାରା ଦେଶ ବ୍ୟସ୍ତ ଥିଲା ।

ଆପଣ ଜାଣିଛନ୍ତି? ଅଭିଳାଷ ଟମି ଜଣେ ଖୁବ୍ ସାହସୀ – ବୀର ନୌବାହିନୀ ଅଧିକାରୀ । କୌଣସି ଆଧୁନିକ ଜ୍ଞାନକୌଶଳ ବିନା, ଗୋଟିଏ ଛୋଟିଆ ନୌକାରେ ବିଶ୍ୱ ଭ୍ରମଣ କରିବାରେ ସେ ପ୍ରଥମ ଭାରତୀୟ ଥିଲେ । ବିଗତ ୮୦ ଦିନ ଧରି ସେ ଦକ୍ଷିଣ ହିନ୍ଦ ମହାସାଗରରେ ଗୋଲ୍ଡେନ ଗ୍ଲୋବ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସମୁଦ୍ରରେ ନିଜ ଗତିକୁ ସ୍ଥିର ରଖି ଆଗକୁ ମାଡ଼ିଚାଲିଥିଲେ । କିନ୍ତୁ ଭୟଙ୍କର ସାମୁଦ୍ରିକ ଝଡ଼ ତାଙ୍କପାଇଁ ବାଧା ସୃଷ୍ଟି କଲା । ହେଲେ ଭାରତୀୟ ନୌବାହିନୀର ଏହି ବୀର ସମୁଦ୍ର ମଧ୍ୟରେ ଅନେକ ଦିନ ଧରି ବଂଚିବା ପାଇଁ ସଂଗ୍ରାମ କରିଚାଲିଥିଲେ । ବିଶାଳ ଜଳରାଶି ମଧ୍ୟରେ ନ ଖାଇ – ନ ପିଇ ସେ ମୃତ୍ୟୁ ସହ ସଂଗ୍ରାମ କରିଚାଲିଲେ । ମୃତ୍ୟୁ ଆଗରେ ପରାଜୟ ସ୍ୱୀକାର କଲେନାହିଁ । ସାହସ, ସଂକଳ୍ପଶକ୍ତି, ପରାକ୍ରମର ଗୋଟିଏ ଅଦ୍ଭୁତ ଉଦାହରଣ । କିଛିଦିନ ତଳେ ଅଭିଳାଷଙ୍କୁ ସମୁଦ୍ରରୁ ଉଦ୍ଧାର କରାଯିବା ପରେ ମୁଁ ଟେଲିଫୋନ ମାଧ୍ୟମରେ ତାଙ୍କ ସହ କଥା ହୋଇଥିଲି । ଆଗରୁ ମଧ୍ୟ ଟମିଙ୍କ ସହ ମୋର ସାକ୍ଷାତ ହୋଇଥିଲା । ଏବେ ଏହି ବିପଦରୁ ଉଦ୍ଧାର ପାଇବା ପରେ ମଧ୍ୟ ତାଙ୍କ ସାହସ ତିଳେମାତ୍ର ଊଣା ହୋଇନଥିଲା । ବରଂ ପୁଣିଥରେ ଏଭଳି କିଛି ଦୁଃସାହସିକ କାର୍ଯ୍ୟ କରି ଦେଖାଇବାର ଯେଉଁ ସାହସ ଓ ସଂକଳ୍ପଶକ୍ତି ମୋତେ ଦେଖାଇଲେ ତାହା ଦେଶର ଯୁବପିଢ଼ି ପାଇଁ ପ୍ରେରଣାଦାୟକ । ମୁଁ ଅଭିଳାଷ ଟମିଙ୍କ ଉତମ ସ୍ୱାସ୍ଥ୍ୟଲାଭ ପାଇଁ ପ୍ରାର୍ଥନା କରୁଛି । ତାଙ୍କର ସାହସ, ପରାକ୍ରମ, ସଂକଳ୍ପଶକ୍ତି ଆମ ଦେଶର ଯୁବପିଢ଼ିକୁ ଲଢ଼ିବା ଏବଂ ଜିତିବାର ଶକ୍ତି ସହ ନିଶ୍ଚୟ ପ୍ରେରଣା ଯୋଗାଇବ ।

 

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଏଭଳି କୌଣସି ଦିନ ନାହିଁ ଯାହାର କିଛି ମହାତ୍ମ୍ୟ ନ ଥିବ, କୌଣସି ପର୍ବ ନ ଥିବ । ପ୍ରତ୍ୟେକ ଦିନ ଭାରତର କୌଣସି ନା କୌଣସି କୋଣରେ କିଛି ନା କିଛି ଚାଲିଥାଏ । ମାତ୍ର କିଛିଦିନ ତଳେ ଗଣେଶୋତ୍ସବ ଶେଷ ହୋଇଛି ଏବଂ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ଏହାର ଠିକ୍ ପରେ ପରେ ଦୀପାବଳୀର ଜାକଜମକ ଦେଖିବାକୁ ମିଳିବ । ଏହି ଉତ୍ସବଗୁଡ଼ିକ ପାଳନ ପାଇଁ ଲୋକେ ଛୁଟି ମଧ୍ୟ ନେଇଥାନ୍ତି । ଅବଶ୍ୟ, ଆମ ଆଖପାଖରେ ଆମେ ଏଭଳି ଲୋକଙ୍କୁ ମଧ୍ୟ ଦେଖୁଁ, ଯେଉଁମାନେ ପର୍ବପର୍ବାଣୀ ଦିନମାନଙ୍କରେ ମଧ୍ୟ ନିଜ ଡ୍ୟୁଟି କରୁଥାନ୍ତି । ନିଜ ପରିବାରର ଆବଶ୍ୟକତା, ପରିବାରର ଖୁସି, ସୁଖ-ଦୁଃଖ, ପର୍ବପର୍ବାଣୀରେ ଅଂଶଗ୍ରହଣ କରିବାର ସୁଯୋଗ ସେମାନଙ୍କୁ ଖୁବ୍ କମ ମିଳିଥାଏ । ପ୍ରବଳ ବର୍ଷା ହେଉ କି ପ୍ରଚଣ୍ଡ ରୌଦ୍ରତାପ – ଯେକୌଣସି ସ୍ଥାନରେ କିଛି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହେଲେ, ଏମାନେ ସର୍ବପ୍ରଥମେ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଆମେ ସେମାନଙ୍କୁ ଦେଖୁ କିନ୍ତୁ ଏ କଥା ଆଡ଼କୁ ଆମର ଦୃଷ୍ଟି ଯାଏନି – ଏମାନେ ହେଉଛନ୍ତି ଆମର ସାହସୀ ପୁଲିସ କର୍ମଚାରୀ । ମୁଁ ଆଜି ଗୌରବର ସହ ଆମର ସାହସୀ ପୁଲିସ କର୍ମୀମାନଙ୍କୁ ସ୍ମରଣ କରିବାକୁ ଚାହୁଁଛି । ସମସ୍ତ ଦେଶବାସୀ ତାଙ୍କୁ ସର୍ବଦା ଗର୍ବର ସହ ସ୍ମରଣ କରନ୍ତୁ ଏଥିପାଇଁ ମୁଁ ଧୀରେ ଧୀରେ ଦେଶବାସୀଙ୍କୁ ଅଭ୍ୟସ୍ତ କରିବାକୁ ଚାହୁଁଛି ।

 

ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରୀୟ ପୁଲିସ ବାହିନୀରେ କାର୍ଯ୍ୟରତ ସେହି ଲକ୍ଷ ଲକ୍ଷ ପୁଲିସ କର୍ମୀମାନଙ୍କୁ ମୁଁ ସଲାମ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ପ୍ରଣାମ କରୁଛି । ଦେଶ ପାଇଁ ନିଜର ସର୍ବସ୍ୱ ସମର୍ପଣ କରିଥିବା ପୁଲିସ କର୍ମଚାରୀମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖକୁ ‘ପୁଲିସ ସ୍ମୃତି ଦିବସ’ ରୂପେ ପାଳନ କରାଯାଏ । ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦ୍ଦାଖରେ ଭାରତ-ଚୀନ ସୀମାରେ ହୋଇଥିବା ଗୁଳିକାଣ୍ଡରେ ଆମର ଦଶଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ । ଏହି ଦିବସ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳିତ ହୁଏ । ଆପଣମାନେ ଏହା ଜାଣନ୍ତି କି, ସ୍ୱତନ୍ତ୍ରତା ପ୍ରାପ୍ତି ପରଠାରୁ ଏବେଯାଏ ପ୍ରାୟ ୩୫,୦୦୦ ପୁଲିସ କର୍ମଚାରୀ ଦେଶ ପାଇଁ, ସମାଜ ଓ ସାଧାରଣ ଜନତାଙ୍କ ଜୀବନରକ୍ଷା ପାଇଁ ନିଜର ପ୍ରାଣ ବିସର୍ଜନ କରିସାରିଛନ୍ତି । ମୁଁ ଦେଶର ସେହି ମହାନ ବରପୁତ୍ରମାନଙ୍କୁ ସେମାନଙ୍କର ସର୍ବୋଚ୍ଚ ବଳିଦାନ ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସେମାନଙ୍କର ପରିଜନଙ୍କର ମହନୀୟ ତ୍ୟାଗ – ତପସ୍ୟାରେ ବହୁମୂଲ୍ୟ ଯୋଗଦାନ ବି ରହିଛି; ଯାହାପାଇଁ ଦେଶ ଗର୍ବ କରେ । ଭାରତର ସୁରକ୍ଷା ଓ ଶାନ୍ତି ନିମନ୍ତେ ଆମର ପୁଲିସ କର୍ମଚାରୀଗଣ ପ୍ରତିକୂଳ ପରିସ୍ଥିତିରେ ପ୍ରତିଟି ଆହ୍ୱାନର ମୁକାବିଲା କରି ନିଜର କର୍ତବ୍ୟ ସମ୍ପାଦନ କରିଥାନ୍ତି । ଏମାନେ ଆତଙ୍କବାଦର ମୁକାବିଲା କରୁଥିବା ଜାମ୍ମୁ କାଶ୍ମୀର ପୁଲିସ ସାହସୀ କର୍ମଚାରୀ ହୁଅନ୍ତୁ କି ଅର୍ଦ୍ଧସାମରିକ ବାହିନୀର ସୈନିକ କିମ୍ବା ଛତିଶଗଡ଼ରେ ନକ୍ସଲମାନଙ୍କର ମୁକାବିଲା କରୁଥିବା ପୁଲିସ କର୍ମଚାରୀ । ଅପରାଧ ଉପରେ କଠୋର ପଦକ୍ଷେପ ନେବାର କଥା ହେଉ କିମ୍ବା ଟ୍ରାଫିକ୍ ଦାୟିତ୍ୱ ନିର୍ବାହ କାର୍ଯ୍ୟ ହେଉ କୁମ୍ଭମେଳା ହେଉ ବା ଜଗନ୍ନାଥଙ୍କ ରଥଯାତ୍ରା ହେଉ ବା ଅମରନାଥ ଯାତ୍ରା ବା ସବୀରମାଲାଙ୍କ ଯାତ୍ରା ହେଉ ଅଥବା ମୁହରମର ଶୋଭାଯାତ୍ରା ହେଉ । ଏ ଦେଶର ଏପରି କୌଣସି ଧାର୍ମିକ ପର୍ବ ନାହିଁ; ଏପରି କୌଣସି ଧାର୍ମିକ ଆୟୋଜନ ନାହିଁ, ଯେଉଁଠାରେ କୋଟି କୋଟି ଶ୍ରଦ୍ଧାଳୁମାନଙ୍କର ସାହାଯ୍ୟ ସହଯୋଗର ଆହ୍ୱାନମୂଳକ କାର୍ଯ୍ୟଗୁଡ଼ିକୁ ଆମ ପୁଲିସ କର୍ମଚାରୀମାନେ ଦୃଢ଼ତାର ସହ ନିର୍ବାହ କରିନଥାନ୍ତି ।

ମୋ ପ୍ରିୟ ଦେଶବାସୀଗଣ! ଆମ ଦେଶ ପାଇଁ ଅକ୍ଟୋବର ୨ ର କ’ଣ ବିଶେଷତ୍ୱ ରହିଛି, ତାହା ପ୍ରତ୍ୟେକ ପିଲା ଜାଣେ । ଏ ବର୍ଷର ଅକ୍ଟୋବର ୨ ତାରିଖର ବିଶେଷ ମହତ୍ୱ ଅଛି । ଏବେଠାରୁ ୨ ବର୍ଷ ପର୍ଯ୍ୟନ୍ତ ଆମେମାନେ ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ନିମନ୍ତେ ସମଗ୍ର ବିଶ୍ୱରେ ଅନେକ କାର୍ଯ୍ୟକ୍ରମର ଯୋଜନା କରିଛୁ । ମହାତ୍ମାଗାନ୍ଧୀଙ୍କର ବିଚାରଧାରା ସମଗ୍ର ସଂସାରକୁ ପ୍ରେରଣା ଦେଇଛି । ଡ. ମାର୍ଟିନ ଲୁଥର କିଙ୍ଗ ଜୁନିୟର ହୁଅନ୍ତୁ ବା ନେଲସନ୍ ମାଣ୍ଡେଲାଙ୍କ ପରି ମହାନ ବ୍ୟକ୍ତି, ସମସ୍ତେ ଗାନ୍ଧିଜୀଙ୍କର ବିଚାରଧାରାର ପ୍ରେରଣା ଓ ଶକ୍ତି ପାଇଛନ୍ତି ତଥା ନିଜର ଲୋକମାନଙ୍କୁ ସମାନତା ଓ ସମ୍ମାନର ଅଧିକାର ପ୍ରଦାନ ନିମନ୍ତେ ଦୀର୍ଘ ସଂଗ୍ରାମ କରିପାରିଛନ୍ତି । ଆଜିର ‘ମନ୍ କି ବାତ୍’ରେ ମୁଁ ଆପଣମାନଙ୍କ ସହ ପୂଜ୍ୟ ବାପୁଜୀଙ୍କର ଆଉ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟର ଆଲୋଚନା କରିବାକୁ ଚାହୁଁଛି ଯାହାକୁ ଅଧିକରୁ ଅଧିକ ଦେଶବାସୀ ଜାଣିବା ଆବଶ୍ୟକ । ୧୯୪୧ରେ ମହାତ୍ମାଗାନ୍ଧୀ ଗଠନମୂଳକ କାର୍ଯ୍ୟକ୍ରମ ଭାବରେ କେତେକ ବିଚାରଧାରାକୁ ଲେଖିବା ଆରମ୍ଭ କଲେ । ପରବର୍ତୀ ସମୟରେ ୧୯୪୫ରେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ଅଧିକ ଦୃଢ଼ ହେବାକୁ ଲାଗିଲା, ସେତେବେଳେ ସେ ସେହି ବିଚାରଧାରାର ସଂଶୋଧିତ ପ୍ରତିଲିପି ପ୍ରସ୍ତୁତ କଲେ ।

ପରମପୂଜ୍ୟ ବାପୁଜୀ କୃଷକମାନଙ୍କର, ଗ୍ରାମଗୁଡ଼ିକର, ଶ୍ରମିକମାନଙ୍କର ଅଧିକାରର ସୁରକ୍ଷା, ସ୍ୱଚ୍ଛତା, ଶିକ୍ଷାର ପ୍ରଚାର ପ୍ରସାର ଆଦି ଅନେକ ବିଷୟ ଉପରେ ନିଜର ବିଚାରଧାରାକୁ ଦେଶବାସୀଙ୍କ ସମ୍ମୁଖରେ ରଖିଛନ୍ତି । ଏହାକୁ ‘ଗାନ୍ଧୀ ଚାର୍ଟର’ ମଧ୍ୟ କୁହାଯାଏ । ପୂଜ୍ୟ ବାପୁ ଲୋକସଂଗ୍ରାହକ ଥିଲେ । ଲୋକମାନଙ୍କ ସହ ମିଶିଯିବା ଏବଂ ସେମାନଙ୍କୁ ନିଜ ସହିତ ସାମିଲ କରିବାର ଗୁଣ ବାପୁଙ୍କର ସ୍ୱଭାବ ଥିଲା । ଏହା ତାଙ୍କ ବ୍ୟକ୍ତିତ୍ୱର ସବୁଠାରୁ ଅଦ୍ୱିତୀୟ ବିଶେଷତ୍ୱ ଭାବେ ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରନ୍ତି । ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହା ଅନୁଭବ କରାଇପାରିଲେ ଯେ ସେ ହିଁ ଦେଶ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଏବଂ ନିତାନ୍ତ ଆବଶ୍ୟକ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ସବୁଠାରୁ ମହାନ ଯୋଗଦାନ ଏହା ଥିଲା ଯେ ସେ ଏହାକୁ ଏକ ବଡ଼ ଜନଆନ୍ଦୋଳନର ରୂପ ଦେଲେ । ସ୍ୱାଧୀନତା ଆନ୍ଦୋଳନରେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ସମାଜର ପ୍ରତିଟି ଅଂଚଳର ଓ ପ୍ରତିଟି ସମ୍ପ୍ରଦାୟର ଲୋକମାନେ ନିଜକୁ ସମର୍ପିତ କରିଦେଲେ । ବାପୁ ଆମ ସମସ୍ତଙ୍କୁ ଗୋଟିଏ ପ୍ରେରଣାଦାୟୀ ମନ୍ତ୍ର ପ୍ରଦାନ କରିଥିଲେ ଯାହା ‘ଗାନ୍ଧିଜୀଙ୍କର ତଲିସମାନ’ ନାମରେ ସୁପରିଚିତ । ସେଥିରେ ଗାନ୍ଧିଜୀ କହିଥିଲେ – “ମୁଁ ଆପଣମାନଙ୍କୁ ଗୋଟିଏ ମନ୍ତ୍ର ଦେଉଅଛି, ଯେତେବେଳେ ବି ତୁମମାନଙ୍କୁ ସନ୍ଦେହ ହେବ ବା ତୁମର ଅହଂକାର ତୁମ ଉପରେ ପ୍ରଭାବ ବିସ୍ତାର କରିବାରେ ଲାଗିବ, ସେତେବେଳେ ଏହି ମନ୍ତ୍ରକୁ ପ୍ରୟୋଗ କର – ଯିଏ ସବୁଠୁ ଗରିବ ଓ ଦୁର୍ବଳ ବ୍ୟକ୍ତି, ଯାହାକୁ ତୁମେ ଦେଖିଛ, ତା’ର ଚେହେରା ମନେପକାଅ ଏବଂ ନିଜ ହୃଦୟକୁ ପ୍ରଶ୍ନ କର ଯେ ଯେଉଁ ପଦକ୍ଷେପ ନେବାପାଇଁ ତୁମେ ଚିନ୍ତା କରୁଛ, ତାହା ସେ ବ୍ୟକ୍ତି ନିମନ୍ତେ କେତେ ମାତ୍ରାରେ ଉପଯୋଗୀ । କ’ଣ ତା’ଦ୍ୱାରା ତାକୁ କିଛି ଲାଭ ମିଳିବ? କ’ଣ ସେଥିରୁ ସେ ନିଜ ଜୀବନ ଓ ଭାଗ୍ୟ ଉପରେ କିଛି ଅଙ୍କୁଶ ଲଗାଇପାରିବ? ଅର୍ଥାତ୍ କ’ଣ ତଦ୍ୱାରା ସେହି କୋଟି-କୋଟି ଲୋକମାନଙ୍କୁ ସ୍ୱରାଜ ମିଳିପାରିବ ଯାହାଙ୍କର ପେଟ ଭୋକିଲା ଏବଂ ଆତ୍ମା ଅତୃପ୍ତ । ସେତେବେଳେ ତୁମେ ଦେଖିବ ଯେ ତୁମର ସନ୍ଦେହ ଦୂର ହେବାରେ ଲାଗୁଛି ଏବଂ ଅହଂକାର ସମାପ୍ତ ହେଉଅଛି ।”
ମୋ ପ୍ରିୟ ଦେଶବାସୀଗଣ! ଗାନ୍ଧିଜୀଙ୍କର ଏହି ମନ୍ତ୍ର ଆଜି ବି ସେତିକି ମହତ୍ୱପୂର୍ଣ୍ଣ । ଆଜି ଆମ ଦେଶରେ ମଧ୍ୟମ ବର୍ଗର ଶକ୍ତି, ଆର୍ଥିକ କ୍ଷମତା ଓ କ୍ରୟଶକ୍ତି ବୃଦ୍ଧି ହେବାରେ ଲାଗିିଛି । ଯେତେବେଳେ ଆମେ କିଛି ବି କିଣିବାକୁ ଯାଉଛନ୍ତି, କ’ଣ କିଛି ମୁହୂର୍ତ ପାଇଁ ପୂଜ୍ୟବାପୁଙ୍କୁ ସ୍ମରଣ କରିପାରିବା? କିଣାକିଣି କରିବା ସମୟରେ କ’ଣ ଆମେ ଏହା ଚିନ୍ତା କରିପାରିବା ଯେ ମୁଁ ଯେଉଁ ଜିନିଷ ସବୁ କିଣୁଅଛି, ତଦ୍ୱାରା ମୋ ଦେଶର କେଉଁ ନାଗରିକକୁ ଲାଭ ମିଳିବ? କାହା ମୁହଁରେ ହସ ଦେଖାଦେବ? କିଏ ଭାଗ୍ୟଶାଳୀ ହେବ, ଯାହାକୁ ଆପଣଙ୍କର ଜିନିଷ କିଣିବା ଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷ ଲାଭ ମିଳିବ? ଆଉ ଯଦି ଗରିବରୁ ଗରିବ ବ୍ୟକ୍ତିକୁ ଲାଭ ମିଳିବ, ତା’ହେଲେ ମୋ ଆନନ୍ଦ ଅଧିକରୁ ଅଧିକ ହେବ । ଗାନ୍ଧିଜୀଙ୍କର ଏହି ମନ୍ତ୍ରକୁ ସ୍ମରଣ କରି ଆଗାମୀ ଦିନଗୁଡ଼ିକରେ ଆମେ ଯେତେବେଳେ ବି କିଛି କିଣିବା, ସେତେବେଳେ ଆମେ ନିଶ୍ଚୟ ଧ୍ୟାନଦେବା ଯେ ଆମର ପ୍ରତିଟି ଜିନିଷ କିଣିବା ଦ୍ୱାରା କୌଣସି ନା କୌଣସି ଦେଶବାସୀଙ୍କ ମଙ୍ଗଳ ହେବା ଆବଶ୍ୟକ । ଆଉ ସେଥିରେ ମଧ୍ୟ ଯିଏ ନିଜର ଝାଳ ବୁହାଇଛି, ଯିଏ ନିଜର ପଇସା ବିନିଯୋଗ କରିଛି, ଯିଏ ନିଜର ପ୍ରତିଭାର ଉପଯୋଗ କରିଛି; ସେ ସମସ୍ତଙ୍କୁ କିଛି ନା କିଛି ଲାଭ ମିଳିବା ଦରକାର । ଏହାହିଁ ତ ଗାନ୍ଧିଜୀଙ୍କର ମନ୍ତ୍ର; ଏହାହିଁ ଗାନ୍ଧିଜୀଙ୍କର ସନ୍ଦେଶ ଏବଂ ଏହା ମୋର ବିଶ୍ୱାସ ଯେ ଯିଏ ସବୁଠୁ ଗରିବ ଓ ଦୁର୍ବଳ ବ୍ୟକ୍ତି, ତା’ର ଜୀବନରେ ଆପଣଙ୍କର ଗୋଟିଏ ଛୋଟ ପଦକ୍ଷେପ ବହୁତ ବଡ଼ ପରିଣାମ ଆଣିପାରେ ।
ମୋ ପ୍ରିୟ ଦେଶବାସୀଗଣ, ଆଜି ଯେତେବେଳେ ଆମେ ପୂଜ୍ୟବାପୁଙ୍କୁ ସ୍ମରଣ କରୁଛେ ଏହା ମଧ୍ୟ ସ୍ୱାଭାବିକ ଯେ ସ୍ୱଚ୍ଛତାର କଥା ନ କହି ରହିପାରିବାନି । ସେପ୍ଟେମ୍ବର ୧୫ରୁ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନର ଆରମ୍ଭ ହେଲା । କୋଟି କୋଟି ଲୋକ ଏହି ଅଭିଯାନରେ ସାମିଲ ହେଲେ ଏବଂ ମୁଁ ମଧ୍ୟ ଦିଲ୍ଲୀର ଆମ୍ବେଦକର ସ୍କୁଲରେ ପିଲାମାନଙ୍କ ସହିତ ସ୍ୱଚ୍ଛତା ଶ୍ରମଦାନ କରିବାର ସୌଭାଗ୍ୟ ପାଇଲି । ମୁଁ ସେହି ସ୍କୁଲକୁ ଗଲି ଯେଉଁ ସ୍କୁଲର ମୂଳଦୁଆ ସ୍ୱୟଂ ପୂଜ୍ୟ ବାବାସାହେବ ସ୍ଥାପିତ କରିଥିଲେ ।

ସାରା ଦେଶରେ ସବୁବର୍ଗର ଲୋକମାନେ ଏଇମାସ ୧୫ ତାରିଖରେ ଆୟୋଜିତ ଶ୍ରମଦାନ କାର୍ଯ୍ୟକ୍ରମରେ ଭାଗନେଲେ । ବିଭିନ୍ନ ଅନୁଷ୍ଠାନ ମଧ୍ୟ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କଲେ । ସ୍କୁଲ କଲେଜର ଛାତ୍ରଛାତ୍ରୀ, ଏନସିସି, ଏନଏସଏସ, ଯୁବ ସଂଗଠନ, ଗଣମାଧ୍ୟମ, କର୍ପୋରେଟ ଜଗତ ଆଦି ସମସ୍ତ ସଂଗଠନ ବହୁ ସଂଖ୍ୟାରେ ସ୍ୱଚ୍ଛତା ଶ୍ରମଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ । ଏହି ଯୋଗଦାନ ପାଇଁ ମୁଁ ଦେଶର ସମସ୍ତ ସ୍ୱଚ୍ଛତାପ୍ରେମୀ ଜନସାଧାରଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଫୋନ କଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ଦୃଷ୍ଟିହୀନ ବ୍ୟକ୍ତି ଯିଏକି ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ପ୍ରଶଂସାକରି ମୋଦିଙ୍କ ସଙ୍ଗେ କଥା ହୋଇଥିଲେ । ଏହି ଫୋନ କଲ୍ ର ଏକ କୀୟଦଂଶ –
ଫୋନ୍ କଲ – “ନମସ୍କାର, ମୋ ନାଁ ସଇତାନ ସିଂହ, ମୁଁ ରାଜସ୍ଥାନର ବିକାନେର୍ ଜିଲ୍ଲା ‘ପୁଗଲ’ ତହସିଲରୁ କହୁଛି । ମୁଁ ଜଣେ ଦୃଷ୍ଟିହୀନ ବ୍ୟକ୍ତି । ଦୁଇଟିଯାକ ଆଖିରେ ମୁଁ ଦେଖିପାରୁନାହିଁ । ମୁଁ ସମ୍ପୂର୍ଣ୍ଣ ଦୃଷ୍ଟିହୀନ । ମୁଁ କହିବାକୁ ଚାହେଁ ଯେ ‘ମନ୍ କି ବାତ୍’ରେ ମୋଦୀଜୀ ସ୍ୱଚ୍ଛତା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଖୁବ୍ ଭଲ । ଆମେ ଦୃଷ୍ଟିହୀନ ଲୋକମାନେ ଶୌଚକ୍ରିୟା ପାଇଁ ବହୁତ ହଇରାଣ ହେଉଥିଲୁ । ଏବେ ପ୍ରତ୍ୟେକ ଘରେ ଶୌଚାଳୟ ତିଆରି ହେବାରୁ ଆମମାନଙ୍କୁ ବହୁତ ସୁବିଧା ହେଲା । ଏ ପଦକ୍ଷେପ ଏକ ସୁନ୍ଦର ପଦକ୍ଷେପ ଏବଂ ଭବିଷ୍ୟତରେ ମଧ୍ୟ ଏହା ଚାଲୁରହିବା ଦରକାର ।”
ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ବଡ଼ କଥାଟିଏ କହିଲେ ।

ପ୍ରତ୍ୟେକଙ୍କ ଜୀବନରେ, ସ୍ୱଚ୍ଛତାର ବହୁତ ମହତ୍ୱ ଅଛି । ‘ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ଆପଣଙ୍କ ଘରେ ଶୌଚାଳୟ ନିର୍ମିତ ହେଲା ଏବଂ ତଦ୍ୱାରା ଆପଣଙ୍କର ସୁବିଧା ହେଲା । ଆମପାଇଁ ୟା’ଠାରୁ ବଳି ଖୁସିର କଥା ଆଉ କ’ଣ ହୋଇପାରେ । ଏହି ଅଭିଯାନ ସହିତ ସମ୍ପୃକ୍ତ ଥିବା ଲୋକମାନେ ହୁଏତ ଜାଣିପାରିନଥିବେ ଯେ ଜଣେ ପ୍ରଜ୍ଞାଚକ୍ଷୁ ହୋଇଥିବାରୁ ଆପଣ ଦେଖପାରୁନାହାଁନ୍ତି, ତା’ ସାଥିରେ ଶୌଚାଳୟଟିଏ ନ ଥିବାରୁ ଆପଣ କିଭଳି ଅସୁବିଧାରେ ଜୀବନ କାଟୁଥିବେ । ଏବେ ଶୌଚାଳୟଟିଏ ନିର୍ମିତ ହେବା ଆପଣଙ୍କ ପାଇଁ କିଭଳି ଏକ ବରଦାନ ହେଲା – ଯଦି ଆପଣ ଏ ବିଷୟରେ ଫୋନ୍ କରିନଥାନ୍ତେ, ତେବେ ହୁଏତ ଏହି ସମ୍ବେଦନଶୀଳ ବିଷୟଟି ସ୍ୱଚ୍ଛତା ଆନ୍ଦୋଳନ ସହ ଜଡ଼ିତ ଲୋକମାନଙ୍କର ଧ୍ୟାନକୁ ଆସିପାରିନଥାନ୍ତା । ଏହି ଫୋନକଲ୍ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ସଂସ୍କୃତରେ ଗୋଟିଏ ଉକ୍ତି ଅଛି – “ନ୍ୟାୟମୂଳଂ ସ୍ୱରାଜ୍ୟଂ ସ୍ୟାତ୍” ଅର୍ଥାତ୍ ସ୍ୱରାଜ୍ୟର ମୂଳରେ ନ୍ୟାୟ ଥାଏ । ଯେତେବେଳେ ନ୍ୟାୟ ସମ୍ବନ୍ଧରେ ଚର୍ଚ୍ଚା ହୁଏ, ସେଥିରେ ମାନବାଧିକାର କଥା ସମ୍ପୂର୍ଣ୍ଣ ସମାହିତ ହୋଇଥାଏ । ଶୋଷିତ, ପୀଡ଼ିତ ଏବଂ ବଂଚିତମାନଙ୍କର ସ୍ୱତନ୍ତ୍ରତା ତଥା ସେମାନଙ୍କ ପାଇଁ ଶାନ୍ତି ଓ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଏହା ଅନିବାର୍ଯ୍ୟ । ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ନିର୍ମିତ ସମ୍ବିଧାନରେ ଗରିବମାନଙ୍କର ମୂଳ ଅଧିକାର ରକ୍ଷା ପାଇଁ ବିଭିନ୍ନ ପ୍ରାବଧାନ ରହିଛି । ତାଙ୍କରି ଦୂରଦୃଷ୍ଟି ଦ୍ୱାରା ପ୍ରେରିତ ହୋଇ ୧୯୯୩ ମସିହା ଅକ୍ଟୋବର ୧୨ ତାରିଖ ଦିନ ‘ଜାତୀୟ ମାନବିକ ଅଧିକାର ଆୟୋଗ’ ଗଠିତ ହୋଇଥିଲା । କିଛିଦିନ ପରେ ଜାତୀୟ ମାନବିକ ଅଧିକାର ଆୟୋଗ ଗଠନର ୨୫ ବର୍ଷ ପୂର୍ତି ହେବ । ଏହି ଆୟୋଗ ଖାଲି ମାନବ ଅଧିକାର ରକ୍ଷା କରିଛି ତା’ନୁହେଁ ବରଂ ତା’ର ମାନବୀୟ ଗରିମାକୁ ବଢ଼ାଇବାର ପ୍ରୟାସ ମଧ୍ୟ କରିଛି । ଆମର ପ୍ରାଣପ୍ରିୟ ନେତା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ସ୍ପଷ୍ଟ ଭାବରେ କହିଥିଲେ ଯେ ମାନବ ଅଧିକାର ଆମମାନଙ୍କ ପାଇଁ ଅନ୍ୟ ଦ୍ୱାରା ପ୍ରଦତ କୌଣସି ଅବଧାରଣା ନୁହେଁ । ଆମର ‘ଜାତୀୟ ମାନବିକ ଅଧିକାର ଆୟୋଗ’ର ପ୍ରତୀକ ଚିହ୍ନରେ ବୈଦିକ କାଳର ଆଦର୍ଶସୂତ୍ର ‘ସର୍ବେ ଭବନ୍ତୁ ସୁଖିନଃ’ ଅଙ୍କିତ ହୋଇରହିଛି । ‘ଆମ ଜାତୀୟ ମାନବିକ ଅଧିକାର ଆୟୋଗ’ ମାନବ ଅଧିକାର ସମ୍ବନ୍ଧରେ ବ୍ୟାପକ ସଚେତନତା ଜାଗୃତ କରିବା ସଙ୍ଗେ ସଙ୍ଗେ ତା’ର ଅପବ୍ୟବହାରକୁ ନିବାରଣ କରବା ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଆସିଛି ।

ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବର ମାସରେ ହିଁ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ, ରାଜମାତା ବିଜୟାରାଜେ ସିନ୍ଧିୟାଙ୍କର ଜନ୍ମଶତାବ୍ଦୀ ବର୍ଷର ଆରମ୍ଭ । ଏହି ସମସ୍ତ ମହାପୁରୁଷମାନେ ଆମମାନଙ୍କୁ ପ୍ରେରଣା ଦେଇ ଆସିଥିଲେ – ମୁଁ ସେମାନଙ୍କୁ ପ୍ରଣାମ ଜଣାଉଛି । ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜନ୍ମଦିନ । ଏ ସମସ୍ତ ବିଷୟରେ ମୁଁ ଆଗାମୀ ‘ମନ୍ କି ବାତ୍’ରେ ସବିସ୍ତାର ଚର୍ଚ୍ଚା କରିବି । କିନ୍ତୁ ଆଜି ମୁଁ ଏ ବିଷୟରେ ଏତିକି କହିବାକୁ ଚାହେଁ ଯେ ଗତ କେତେବର୍ଷ ହେଲା – ସର୍ଦ୍ଦାର ପଟେଲଙ୍କ ଜନ୍ମଦିନରେ ଅକ୍ଟୋବର ୩୧ ତାରିଖ ଦିନ ହିନ୍ଦୁସ୍ଥାନର ପ୍ରତ୍ୟେକ ଛୋଟବଡ଼ ସହର, ପଡ଼ା ଓ ଗାଁମାନଙ୍କରେ ‘ଜଙ୍କଦ୍ଭ ଲକ୍ଟକ୍ସ ଟଦ୍ଭସଗ୍ଧଚ୍ଚ’, ‘ଏକତା ପାଇଁ ଦୌଡ଼’ ଆୟୋଜିତ ହୋଇଆସୁଛି । ଏ ବର୍ଷ ମଧ୍ୟ ଆମେମାନେ ଆଗ୍ରହର ସହିତ ନିଜର ଗ୍ରାମ, ସହର, ମହାନଗରଗୁଡ଼ିକରେ ‘ଏକତା ପାଇଁ ଦୌଡ଼’ ଆୟୋଜନ କରିବା । ‘ଏକତା ପାଇଁ ଦୌଡ’ – ଏହି କାର୍ଯ୍ୟକ୍ରମ ସର୍ଦ୍ଦାର ପଟେଲଙ୍କୁ ସ୍ମରଣ କରିବାର ଏକ ଉତମ ଉପାୟ । କାରଣ ସର୍ଦ୍ଦାର ପଟେଲ ସାରାଜୀବନ ଦେଶର ଏକତା ପାଇଁ କାମ କରିଥିଲେ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଅକ୍ଟୋବର ୩୧ ତାରିଖ ଦିନ ‘ଏକତା ପାଇଁ ଦୌଡ’ ଆୟୋଜନ ମାଧ୍ୟମରେ ସମାଜର ସବୁ ଶ୍ରେଣୀର ଲୋକଙ୍କୁ, ଦେଶର ପ୍ରତ୍ୟେକ ଏକକକୁ ଏକତା ସୂତ୍ରରେ ବାନ୍ଧିବାର ପ୍ରୟାସକୁ ଆମେମାନେ ଗୁରୁତ୍ୱ ଦେବା । ଏହାହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।

Leave A Reply

Your email address will not be published.