Latest Odisha News

BREAKING NEWS

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ବ୍ରଜବନ୍ଧୁ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶାର ଖ୍ୟାତନାମା ଶିକ୍ଷାବିତ୍ ପ୍ରଫେସର୍ ବ୍ରଜବନ୍ଧୁ ମିଶ୍ରଙ୍କର ଜନ୍ମ ଦିବସ । ଜଣେ ଛାତ୍ର ବତ୍ସଳ ଶିକ୍ଷକ ତଥା ଉଚ୍ଚକୋଟୀର ଶିକ୍ଷାବିତ୍ ଭାବେ ପରିଚିତ ସ୍ୱର୍ଗତଃ ମିଶ୍ରଙ୍କର ଆଜିର ଏହି ଜନ୍ମ ଶତବାର୍ଷିକୀରେ ତାଙ୍କର ଅଗଣିତ ଛାତ୍ରଛାତ୍ରୀ, ଶିକ୍ଷକ ତଥା ବୁଦ୍ଧିଜୀବୀ ସ୍ମୃତିଚାରଣ କରିଛନ୍ତି ।

ଓଡ଼ିଶାର ଶିକ୍ଷା ଜଗତ ଓ ଶିକ୍ଷକ, ଶିକ୍ଷାବିତ୍ ତଥା ଛାତ୍ରମାନଙ୍କ ମଧ୍ୟରେ ଏକ ସୁପରିଚିତ ନାମ । ଜଣେ ମେଧାବୀ ଛାତ୍ର, ଉଚ୍ଚକୋଟୀର ଶିକ୍ଷାବିତ୍ ଓ ଶିକ୍ଷା ପ୍ରଶାସକ ଭାବେ ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ଅନେକ ସଂସ୍କାର ମୂଳକ କାର୍ଯକରି ବିଶେଷ ଖ୍ୟାତି ଅର୍ଜନ କରିଥିଲେ । ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇ ଶିକ୍ଷାଜଗତରେ ଜଣେ ଆଲୋକ ବର୍ତ୍ତିକା ଭାବେ ଆବିର୍ଭାବ ହୋଇଥିଲେ ।

ସିକିମ୍ ଭଳି ଏକ ନୂତନ ରାଜ୍ୟର ଶିକ୍ଷା ସଚିବ ତଥା ନିର୍ଦ୍ଦେଶକ ପଦବୀରେ ରହି ସେ ରାଜ୍ୟର ନୂତନଭାବେ ଆଧୁନିକ ଶିକ୍ଷା ପ୍ରଣାଳୀ ଆରମ୍ଭ କରିଥିଲେ । ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ୍ କରିଥିଲେ । ଏହା ଛାତ୍ରଛାତ୍ରୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ହୋଇଥିଲା । ଗଣିତ ଭଳି ଏକ ଜଟିଳ ବିଷୟକୁ ସେ ଅତି ସରଳଭାବେ ପଢାଇ ବୁଝାଉଥିଲେ ।

ବିିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ମିଶ୍ର ୧୯୨୦ ମସିହା ମେ ୧୮ ତାରିଖରେ ତାଳଚେରଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୩୬ ରେ ସ୍ଥାନୀୟ ‘ଯୁବରାଜ ହାଇସ୍କୁଲ’ରୁ ପ୍ରଥମ ଶ୍ରେଣୀରେ ମ୍ୟାଟ୍ରିକ୍ ପାସ କରିଥିଲେ । ପାଟଣା ବିଶ୍ୱବିଦ୍ୟାଳୟରୁ ଆଇଏସସି ଓ ୧୯୪୦ରେ ବିଏସସି (ଗଣିତ)ରେ ଅନର୍ସରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିପାରିଥିଲେ । ସେହି ବର୍ଷ ହିଁ ସେ ରେଭେନ୍ସା କଲେଜର ସବୁ ବିଷୟ ମଧ୍ୟରେ କେବଳ ସେ ଜଣେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୪୨ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଗଣିତରେ ମଧ୍ୟ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ରେକର୍ଡ଼ ଏବଂ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହୋଇଥିଲେ । ଆମେରିକାର ମିଚିଗାନ୍ ବିଶ୍ୱବିଦ୍ୟାଳୟରୁ ଏମଏସ ଓ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଏଏମ ଡିଗ୍ରୀ ହାସଲ କରିଥିଲେ ।

ଜଣେ ପ୍ରତିଭାବାନ ଗଣିତ ଶିକ୍ଷକ ଭାବେ ବ୍ରଜବନ୍ଧୁ ମିଶ୍ର ରେଭେନ୍ସା କଲେଜର ଅଧ୍ୟାପକ, ପ୍ରାଧ୍ୟାପକ ଓ ପ୍ରଫେସର ଭାବେ ଶିକ୍ଷାଦାନ କରି ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ସୁନାମ ଅର୍ଜନ କରିଥିଲେ । ୧୯୬୭ ମସିହାରେ ନବଗଠିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ ରେଜିଷ୍ଟ୍ରାର୍ ଭାବେ ଏବଂ ପରେ ଓୟୁଏଟିର ରେଜିଷ୍ଟ୍ରାର୍ ଭାବେ କାର୍ଯ୍ୟ କରିଥିଲେ । ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ସରକାର ହାତକୁ ନେବା ପରେ ତାଙ୍କୁ ଆଡ଼ମିନିଷ୍ଟ୍ରେଟର୍ ଭାବେ ନିଯୁକ୍ତ କରିଥିଲେ । ଶିକ୍ଷା ସିଲେକ୍ସନ ବୋର୍ଡ଼ ଅଧ୍ୟକ୍ଷ, ଓଡ଼ିଶା ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନର ଅଧ୍ୟକ୍ଷ ଓ ସ୍କୁଲ ସମୂହର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଅନେକ ଗରିବ ଛାତ୍ରମାନଙ୍କୁ ପାଠ ପଢିବାରେ ସାହାଯ୍ୟ କରି ନିଜର ମହାନୁଭବତାର ପରିଚୟ ଛାଡ଼ି ଯାଇଛନ୍ତି । ଜଣେ ଉଚ୍ଚ ନୀତିବାନ ଆଦର୍ଶ ଶିକ୍ଷକ ଏବଂ ବିଶିିଷ୍ଟ ଶିକ୍ଷା ପ୍ରଶାସକ ଭାବେ ପ୍ରଫେସର ମିଶ୍ର ନିଜର କର୍ମ ସୁ ସମ୍ପାଦନ କରି ଯାଇଛନ୍ତି ।

୧୯୯୯ ମସିହା ଡିସେମ୍ବର ୧୪ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ବିୟୋଗ ଘଟିଥିଲା ।

Leave A Reply

Your email address will not be published.