Latest Odisha News

୩ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକ ପ୍ରବେଶ ମନା

ବେଙ୍ଗାଳୁରୁ: ସାରା ଦେଶରେ ଗତକାଲିଠାରୁ ଲାଗୁ ହୋଇଛି ଲକଡାଉନ-୪ । ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କେନ୍ଦ୍ର ସରକାର ଅନେକ ଜିନିଷ କୋହଳ କରିଛନ୍ତି । ତେବେ କର୍ଣ୍ଣାଟକ ସରକାର କିନ୍ତୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି ।

ନିଜ ରାଜ୍ୟର ସୁରକ୍ଷାକୁ ନଜରରେ ରଖି ୩ ରାଜ୍ୟର ଲୋକଙ୍କୁ ପ୍ରବେଶ ନିଷେଧ କରିଛି କର୍ଣ୍ଣାଟକ । ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲନାଡୁର ଲୋକଙ୍କୁ ନିଜ ରାଜ୍ୟରେ ପ୍ରବେଶ ନେଇ କର୍ଣ୍ଣାଟକ ସରକାର କଟକଣା ଲଗାଇଛନ୍ତି । ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ କର୍ଣ୍ଣାଟକ ରାଜ୍ୟ ସରକାର ଏହି ନିୟମ ଜାରି କରିଥିବା ସୂଚନା ରହିଛି।

ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା କହିଛନ୍ତି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ନିୟମ କୋହଳ କରାଯିବ। ତେବେ, କର୍ଣ୍ଣାଟକ ସରକାର ତାଙ୍କ ରାଜ୍ୟର ସୀମାନ୍ତ ରାଜ୍ୟ କେରଳ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସେପରି କୌଣସି କଟକଣା ଜାରି କରିନାହାନ୍ତି।

ତେବେ ସେବା ସିନ୍ଧୁ ପୋର୍ଟାଲ୍‌ରେ ନାମ ପଞ୍ଜିକୃତ କରିଥିବା କିମ୍ବା ଅନ୍ତରାଜ୍ୟକୁ ଯାତ୍ରା ପାଇଁ ପୂର୍ବରୁ ପାସ୍ କାଟିଥିବା ବ୍ୟକ୍ତିଙ୍କ ପାଇଁ ଏହି କଟକଣା ଜାରି ହେବ ନାହିଁ। ଏହି ୩ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Comments are closed.