Latest Odisha News

BREAKING NEWS

ମେ’ ୨୭ରେ ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ; ଆରଡ଼ିରେ ଉଠିଲା ଲଗ୍ନଥାଳ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପାରମ୍ପରିକ ବିବାହ ଉତ୍ସବ ଆସନ୍ତା ମେ’ ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ଦେବଦମ୍ପତିଙ୍କ ବିବାହ ଉତ୍ସବ ଲାଗି ସୋମବାର ଦିନ ବିଧି ମୁତାବକ ଲଗ୍ନଥାଳ ଉଠିଛି ।

ମିଳିଥିବା ସୂଚନାନୁଯାୟୀ, ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ଶୈବପୀଠରେ ଦେବଦମ୍ପତ୍ତିଙ୍କ ଶୁଭ-ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ଜ୍ୟୋତିଷ ଓ ବ୍ରାହ୍ମଣଙ୍କ ଦ୍ୱାରା ଲଗ୍ନବିଚାର ଲେଖାଯାଇଛି । ଏଥିସହିତ ଉଭୟ ବରପିତା ଏବଂ କନ୍ୟାପିତାଙ୍କ ପକ୍ଷରୁ ଲଗ୍ନଥାଳ ଉଠିଛି ।

ଏହି ସମସ୍ତ ପାରମ୍ପରିକ ଉତ୍ସବ ସରକାରଙ୍କ ଲକ୍‌ଡାଉନ୍ କଟକଣାକୁ ମାନି କରାଯାଇଥିବା ବେଳେ ଉପସ୍ଥିତ ରହିଥିବା ସମସ୍ତ ବ୍ରାହ୍ମଣମାନେ ସାମାଜିକ ଦୂରତା ଅବଲମ୍ବନ କରିଥିଲେ । ମନ୍ଦିର ସେବାୟତମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି ।

ସକାଳେ ମଙ୍ଗଳ ଆଳତି ପରେ ବାବାମଣିଙ୍କ ମହାସ୍ନାନ ଏବଂ ପରେ ଘର୍ଷଣ ଭୋଗ ଲାଗି କରାଯାଇଥିଲା । ବାବାମଣିଙ୍କୁ ସେବାୟତମାନେ ପୁଷ୍ପ ଓ ବିଲ୍ୱପତ୍ର ସହିତ ନୂଆ ବସ୍ତ୍ରରେ ସଜ୍ଜିତ କରିଦେଇଥିଲେ । ବାବାମଣିଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରି ପୂଜାର୍ଚ୍ଚନା କରାଯାଇଥିଲା ।

ମଧ୍ୟାହ୍ନରେ ଯୋଗୀବେଶ ଏବଂ ଶୟନ ନୀତି ପାଳନ କରାଯାଇଥିଲା । ଆରଡ଼ିର ଏହି ପ୍ରସିଦ୍ଧ ଶୈବପୀଠରେ ପ୍ରତିବର୍ଷ ପାରମ୍ପରିକ ଭାବେ ଦେବଦମ୍ପତି ବିବାହ ପାଳିତ ହୋଇଥାଏ । ସେଥିଲାଗି ପୂର୍ବରୁ ଲଗ୍ନଥାଳ ଉଠାଯାଇଥାଏ । ବାବାମଣିଙ୍କ ଆଜ୍ଞାନୁଯାୟୀ ବରପିତା ତପନ ପାଢୀ ଏବଂ କନ୍ୟା ପିତା ଚନ୍ଦ୍ରମଣି ପାଢୀଙ୍କ ଦାତା ଚନ୍ଦ୍ରଶେଖର ଦାଶ ଲଗ୍ନଥାଳ ଉଠାଇବା ସହିତ ବୈଦିକ ରୀତି ଅନୁସାରେ ଲଗ୍ନବିଚାର ଓ ଗୁଆ ମଙ୍ଗୁଳାଇଥିଲେ ।

ଆରଡ଼ିଧାମରେ ଦେବଦମ୍ପତ୍ତିିଙ୍କ ଏହି ଶୁଭ ବିବାହ ଲାଗି କାର୍ଯ୍ୟସୂଚୀ ମଧ୍ୟ ଧାର୍ଯ୍ୟ କରାଯାଇଛି ।

ଆସନ୍ତା ୨୬ ତାରିଖରେ ମଙ୍ଗଳପାକ, ୨୭ ତାରିଖରେ ବରଧରା ଏବଂ ଶୁଭ ବିବାହ କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ ।

Leave A Reply

Your email address will not be published.