Latest Odisha News

କାର୍ତ୍ତିକ ପୂର୍ଣ୍ଣିମା: ୨୫୦୦ ହବିଷ୍ୟାଳୀଙ୍କ ଲାଗି ପୁରୀରେ ମାଗଣା ଖାଇବା ଓ ରହିବା ସୁବିଧା

ପୁରୀ: ଆସନ୍ତା ଅକ୍ଟୋବର ୨୪ ତାରିଖରେ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେବା ପରିପ୍ରେକ୍ଷୀରେ ହବିଷ୍ୟାଳୀ ବ୍ରତ କରିଥିବା ୨୫୦୦ ବ୍ରତଧାରୀଙ୍କ ଲାଗି ମାଗଣାରେ ରହିବା ଏବଂ ଖାଇବାର ସୁବିଧା ଯୋଗାଇଦିଆଯିବ ।

ଏହି ହବିଷ୍ୟାଳୀ ବ୍ରତ ସମୟରେ ସମ୍ପୂର୍ଣ୍ଣ କାର୍ତ୍ତିକ ମାସ ସମାପ୍ତ ହେବା ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ହବିଷ୍ୟାଳୀମାନେ ପ୍ରତିଦିନ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ କରିବା ସହିିତ ଉପାସ ବ୍ରତ କରିଥାଆନ୍ତି ।

ପୁରୀ ଶ୍ରୀମନ୍ଦିର କାର୍ଯାଳୟ ସୂତ୍ରରୁ ଜଣାପଡ଼ିଛି, ୨୫୦୦ ହବିଷ୍ୟାଳୀଙ୍କ ଲାଗି ମାଗଣା ରହିବା ସହିତ ଦୈନିକ ମହାପ୍ରସାଦ ସେବନ ଏବଂ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ହେବା ନେଇ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ।

ହବିଷ୍ୟାଳୀମାନଙ୍କ ନିମନ୍ତେ ରେଲୱେ କମ୍ପେ୍ଲକ୍ସ ମଧ୍ୟରେ ରହିଥିବା ମୋଚିସାହି ଏବଂ ଜେଇ ରୋଡ଼ରେ ଥିବା କୋଠାରେ ରହିବାର ସୁବନ୍ଦୋବସ୍ତ କରାଯାଇଛି ।

ଏହି ବ୍ରତଧାରୀ ହବିଷ୍ୟାଳୀମାନଙ୍କୁ ଦୈନିକ ମାଗଣାରେ ଶ୍ରୀମନ୍ଦିରକୁ ମାଗଣାରେ ଗାଡ଼ିରେ ନେବାଆଣିବାର ବ୍ୟବସ୍ଥା ମଧ୍ୟ ହୋଇଛି ବୋଲି ସୂଚନା ମିଳିଛି ।

ହବିଷ୍ୟାଳୀମାନେ ଯେପରି ଠିକଭାବେ ରହି ସେମାନଙ୍କର ବ୍ରତ ଉପାସନା କାର୍ଯ୍ୟ ସୂଚାରୁରୂପେ କରିପାରିବେ ସେହିପରି ସୁବ୍ୟବସ୍ଥା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ।

“ସେମାନେ ଏହି ଦୁଇଟି ବିଲ୍ଡିଂ ମଧ୍ୟରୁ ଯେଉଁଠି ରହିବେ ସେମାନେ ନିଜେ ବାଛିପାରିବେ, ସେମାନଙ୍କୁ ଶୋଇବା ଲାଗି ଏକ ସପ, ବେଡ଼ସିଟ, ତକିଆ ସହିତ ପାନୀୟ ଜଳ ଏବଂ ଖାଦ୍ୟ ତଥା ଆବଶ୍ୟକୀୟ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି,”ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ତେବେ ହବିଷ୍ୟାଳୀମାନେ ସେମାନଙ୍କର ସଠିକ୍ ପରିଚୟ ପ୍ରଦାନ କଲାପରେ ସେମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି ।

ଇତିମଧ୍ୟରେ ଅନେକ ହବିଷ୍ୟାଳୀ ଏବଂ ସେମାନଙ୍କର ସମ୍ପର୍କୀୟମାନେ ପୁରୀ ପର୍ଯ୍ୟଟନ କାର୍ଯ୍ୟାଳୟରେ ସେମାନଙ୍କର ନାମ ରେଜିଷ୍ଟ୍ରେସନ କରୁଥିବାର ଲକ୍ଷ୍ୟ କରାଯାଇଛି । ରେଜିଷ୍ଟ୍ରେସନ ସମୟରେ ହବିଷ୍ୟାଳୀମାନେ ସେମାନଙ୍କର ଆଧାର କାର୍ଡ଼ ସହିତ ଫଟୋଗ୍ରାଫ ମଧ୍ୟ ଦେବା ଆବଶ୍ୟକ ବୋଲି ସେ ସୂଚନା ଦେଇଛନ୍ତି ।

“ଏଠାରେ ସମସ୍ତ ହବିଷ୍ୟାଳୀଙ୍କ ଲାଗି ଭଲ ବ୍ୟବସ୍ଥା କରାଯାଇଥିବାର ଆମେ ଲକ୍ଷ୍ୟ କରୁଛୁ,” ବୋଲି ପୁରୀ ଆସିଥିବା ଜଣେ ହବିଷ୍ୟାଳୀଙ୍କ ସମ୍ପର୍କୀୟ ଗଣମାଧ୍ୟମକୁ ଜଣାଇଛନ୍ତି ।

Comments are closed.