Latest Odisha News

ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ)

ଶ୍ରୀଜଗନ୍ନାଥ । ସେ ସମସ୍ତଙ୍କର। ସାରା ଜଗତର । ସେ ଏମିତି ଠାକୁର,ଯାହାଙ୍କୁ ଆଖି ପାଏ ନାହିଁ । ଆଖି ପାଏ ନାହିଁ ବୋଲି ସେ ଅନନ୍ତ । ସେ ଆକାଶଠାରୁ ଆହୁରି ବିସ୍ତୃତ, ସମୁଦ୍ରଠାରୁ ଆହୁରି ଗଭିର । ଜଳଠାରୁ ଆହୁରି ତରଳ । ମାଟିଠାରୁ ଆହୁରି ନିବିଡ । ସେ ଅନାଦି, ଅପାଦ । ଆପଣାର ଠାକୁର କହି ଲୋକେ ତାଙ୍କୁ ଡାକନ୍ତି ବଡଠାକୁର । ହୃଦୟ ଖୋଲି ଗୁହାରି କଲେ ସେ ନିକଟତର ହୋଇଯାଆନ୍ତି ଭକ୍ତର । ତା’କୁ ସବୁ ପାପ ତାପରୁ ମୁକ୍ତି ଦିଅନ୍ତି । ତା’ର ସବୁ ଇଚ୍ଛା ପୂରଣ କରନ୍ତି । ଓଡିଆ ହୃଦୟର ସେ ବଡଠାକୁର । ଶ୍ରୀଜଗନ୍ନାଥ କରୁଣାର ଦିଅଁ । ଭକ୍ତି ଆଉ ଭାବର ଠାକୁର ।

ଯିଏ ସାରା ସୃଷ୍ଟିର କର୍ତ୍ତା, ବିଶ୍ବନିୟନ୍ତା, ତାଙ୍କର ସୃଷ୍ଟି ପୁଣି କେମିତି ହୋଇଥିବ ! ଜଗତର ନାଥ ବୋଲାଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ କିଭଳି ଆରମ୍ଭ କରିଛନ୍ତି ତାଙ୍କର ଲୀଳା ? ଆକଳନ କରିହବନି ସେ ସମୟ, ଯେବେଠୁ ଜଗନ୍ନାଥ ଓଡିଆ ଜାତିର ହୃଦୟରେ ଜାଗା ନେଇଛନ୍ତି ।

ଅଧିକ ପଢନ୍ତୁ – ଚକ୍ରରାଜ ସୁଦର୍ଶନ: ଜାଣନ୍ତୁ, ଏହି ମହାଶକ୍ତିଙ୍କ ପଛରେ କ’ଣ ରହିଛି ରହସ୍ୟ !

ସେହି ବଡଠାକୁର ଆମ ଚେତନାକୁ କେବେ ପ୍ରବେଶ କଲେ, କେବେ ଛୁଇଁଲେ ଓଡିଆର ପ୍ରାଣସ୍ପନ୍ଦନକୁ, ତାହା ଜିଜ୍ଞାସା ଆସିଥାଏ ମନରେ ।

ମହାପ୍ରଭୁଙ୍କ କ୍ଷେତ୍ରର ନାମ ପୁରୁଷୋତ୍ତମ କ୍ଷେତ୍ର । ବିଭିନ୍ନ ପୁରାଣ ସଂହିତା, ଗୀତା, ଯାମଳ ଆଦି ଗ୍ରନ୍ଥରେ ଏହି ପୁରୁଷୋତ୍ତମ କ୍ଷେତ୍ରର ବିଭିନ୍ନ ନାମ ସମ୍ବନ୍ଧରେ କେତେକ କିମ୍ବଦନ୍ତୀ ମଧ୍ୟ ଦିଆଯାଇଛି ।

ତନ୍ତ୍ର ଯାମଳ ଆଦି ଅନେକ ପ୍ରାଚୀନ ଗ୍ରନ୍ଥରେ ଏହାକୁ ଭୂସ୍ୱର୍ଗ ରୂପେ ମଧ୍ୟ କଳ୍ପନା କରାଯାଇ କୁହାଯାଇଛି:

ଭାରତେ ଚୋତ୍କଳେ ଦେଶେ ଭୂସ୍ୱର୍ଗେ ପୁରୁଷୋତ୍ତମେ । 
ଦାରୁରୂପୀ ଜଗନ୍ନାଥୋ ଭକ୍ତାନାମଭୟପ୍ରଦଃ ||

ସେ ଜଗତର ନାଥ । ଦେଉଳ ଯାହାଙ୍କର ବଡଦେଉଳ । ଦାଣ୍ଡ ଯାହାଙ୍କର ବଡଦାଣ୍ଡ । ପ୍ରସାଦ ଯାହାଙ୍କର ମହାପ୍ରସାଦ । ସମୁଦ୍ର ଯାହାଙ୍କର ମହୋଦଧି । ପୁଣି ଆଖି ଯାହାଙ୍କର ଚକାଆଖି । ବାହୁ ଯାହାଙ୍କର ମହାବାହୁ । ସେଇ ଠାକୁର ସମସ୍ତଙ୍କ ତୁଣ୍ଡରେ – ବଡଠାକୁର । ତାଙ୍କର ସୃଷ୍ଟି ଇତିହାସକୁ କାହାର ବା ଆଖି ପାଇବା ? ସେ ଅମାପ, ଅସୀମ । ବିଶ୍ବାସର ଠାକୁର ସିଏ । ମଣିଷ ହୃଦୟର ଠାକୁର । କିଏ ବା କଳନା କରିବ ତାଙ୍କ ଅତୀତକୁ ! କିଏ ବା ତୁଳନା କରିବ ତାଙ୍କ ମହିମାକୁ ।

ପବିତ୍ର ଧର୍ମକ୍ଷେତ୍ର ପୂର୍ଣ୍ଣ ନୀଳାଚଳରେ ବିଦ୍ୟମାନ ମହାପ୍ରଭୁ ଶ୍ରୀଜଗନ୍ନାଥ । ଯିଏ ସାରା ବିଶ୍ୱର ଅଗଣିତ ଭକ୍ତଙ୍କର ତ୍ରାଣକର୍ତ୍ତା। ତେବେ କେମିତି ହେଲା ତାଙ୍କର ଆବିର୍ଭାବ ? ଯିଏ ଜଗତ ଗଢିଛି, ତା’କୁ ଗଢିବ ବା କିଏ ? ଦିନେ ଏହି ଶ୍ରୀକ୍ଷେତ୍ରରେ ନୀଳଗିରି ପର୍ବତରେ ପୂଜା ପାଉଥିଲେ ମହାପ୍ରଭୁ ଶ୍ରୀନୀଳମାଧବ ରୂପରେ । କିନ୍ତୁ, ମାଳବର ରାଜା ଇନ୍ଦ୍ରଦ୍ଯୁମ୍ନଙ୍କ ଶ୍ରୀକ୍ଷେତ୍ରରେ ପ୍ରବେଶ କାଳରେ ଅଦୃଶ୍ୟ ହେଇଯାଇଥିଲେ ନୀଳମାଧବ ।  ଏକ ମତରେ – ବାଙ୍କି ମୁହାଣରେ ଲାଗିଥିଲା ଭାସମାନ ଶ୍ରୀକୃଷ୍ଣଙ୍କ ଦେହାବଶେଷ ପାଲଟିଥିବା ଦିବ୍ୟଦାରୁ । ଏଥିରେ ମୂର୍ତ୍ତି ଗଢିବାକୁ ରାଣୀ ଗୁଣ୍ଡିଚା ଅନୁରୋଧ କରିଥିଲେ ରାଜା ଇନ୍ଦ୍ରଦ୍ଯମ୍ନଙ୍କୁ । ଗଢା ହେଲେ ତିନି ଦିଅଁ । ଆଉ ମହାବେଦୀରେ ବିରାଜିତ ହେଲେ ମହାପ୍ରଭୁ । ପରେ ଇତିହାସର ଚିତ୍ର ବଦଳିଛି ଅନେକବାର। ଗଙ୍ଗବଂଶୀୟ ରାଜା ଅନନ୍ତବର୍ମା ଚୋଡଗଙ୍ଗ ଦେବଙ୍କ ସମୟରେ ଶ୍ରୀମନ୍ଦିରରେ ଭିତ୍ତିଭୂମି ପଡିଥିଲା। ପରେ ତାଙ୍କ ଅଣନାତି ପରମ ବିଷ୍ଣୁଭକ୍ତ ଅନଙ୍ଗଭୀମ ଦେବ ଶ୍ରୀମନ୍ଦିରକୁ ପୂର୍ଣ୍ଣାଙ୍କ ଓ ପ୍ରତିଷ୍ଠା କରି ଶ୍ରୀଜିଉମାନଙ୍କୁ ସ୍ଥାପନ କରିଥଲେ । ପରିପୂର୍ଣ୍ଣ ହୋଇଉଠିଲା ଶ୍ରୀମନ୍ଦିର । ତିନି ଦିଅଁଙ୍କ ଦର୍ଶନରେ ପରମ ତୃପ୍ତି ପାଇଲେ ଭକ୍ତ । ଶ୍ରୀଜିଉ ଅବସ୍ଥାନ କରୁଥିବା ଶ୍ରୀମନ୍ଦିରର ଉଚ୍ଚତା ୨୧୪ ଫୁଟ ୮ ଇଞ୍ଚ । ଶ୍ରୀମନ୍ଦିରଟି ପଞ୍ଚରଥ ବିଶିଷ୍ଟ ରେଖ ଦେଉଳ । ଏହା ଶିଳ୍ପଶାସ୍ତ୍ର ଅନୁମୋଦିତ ପୁରାତନ କାରୁକାର୍ଯ୍ୟପୂର୍ଣ୍ଣ ଐତିହ୍ୟ ।

ଆମ ପରମ୍ପରାରେ ଶ୍ରୀଜଗନ୍ନାଥ ଯେତିକି ବିଚିତ୍ର, ତାଙ୍କ ଇତିହାସ ମଧ୍ୟ ସେତିକି ଆଶ୍ଚର୍ଯ୍ୟକର। ବିବର୍ତ୍ତନର ଧାରାରେ ଓଡିଶାର ନରପତିମାନେ ଶ୍ରୀଜଗନ୍ନାଥଙ୍କୁ ବାଦ୍ ଦେଇ ନିଜ ରାଜ୍ୟ ଶାସନ କଥା ଚିନ୍ତା କରିପାରିନାହାନ୍ତି । ପୁଣି ସାଧାରଣ ଲୋକବି ସବୁ ପରିସ୍ଥିତିରେ ଲୋଡିଛନ୍ତି ତାଙ୍କ ଆପଣାର ଠାକୁରଙ୍କୁ । ସବୁରି ମୂଳରେ ଅଛନ୍ତି ଶ୍ରୀଜଗନ୍ନାଥ । ଓଡିଆ ଜାତି ଇତିହାସର ସେ କୀର୍ତ୍ତିମାନ ପୁରୁଷୋତ୍ତମ ।

ଯେ ଦାରୁବ୍ରହ୍ମମୂର୍ତ୍ତୀ ପ୍ରଣବତନୁଧର ସର୍ବବେଦାନ୍ତସାରୀ ।
ଭକ୍ତାନାଂ କଳ୍ପବୃକ୍ଷେ ଭବଜଳତରଣି ସର୍ବସତ୍ତ୍ବାନୁତତ୍ତ୍ବମ୍ ।
ସିଦ୍ଧାନାଂ ଯୋଗମୂର୍ତ୍ତି ହରିହରନୁମିତଃ ଶ୍ରୀପତିବୈଷ୍ଣବାନାମ୍ ।
ଶୈବାନାଂ ଭୈରବୋ ଯଃ ସତତସୁବିଦିତଃ ଶାକ୍ତତତ୍ତ୍ବେ ଚ ଶକ୍ତିଃ ।
ବୌଦ୍ଧାନାଂ ବୁଦ୍ଧମୂର୍ତ୍ତୀ ରଷଭମୁନିବରୋ ଜୈନସିଦ୍ଧାନ୍ତସାରେ ।
ସୋୟଂ ନୀଳାଦ୍ରିନାଥଃ ଭବଭୟହରଣଃ ମାଧବଃ ପାତୁ ନିତ୍ୟମ୍ ||

ମାର୍କଣ୍ଡେଶ୍ୱର ସାହି, ରାଧାଗୋବିନ୍ଦ ଲେନ୍‌, ପୁରୀ  ମୋ – ୯୮୬୧୩୩୨୪୩୪
(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.