Latest Odisha News

BREAKING NEWS

ଓଡିଆ ପାଞ୍ଜି ଓ ଶେଖ୍ ଅମିନୁଲ୍ ଇସଲାମ୍; ସମନ୍ୱୟ ଓ ସଂହତିର ଜୀବନନାମା

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

ଓଡିଆ ପାଞ୍ଜିର କଥା ଉଠିଲେ ଆଉ ଦୁଇଟି ନାଁ ଆପେ ଆପେ ଚର୍ଚ୍ଚାକୁ ଚାଲିଆସେ- ଚନ୍ଦ୍ରଶେଖର ସିଂହ ସାମନ୍ତ ଓରଫ୍ ପଠାଣୀ ସାମନ୍ତ ଓ ଓଡିଶା କୋହିନୂର୍ ପ୍ରେସ୍ । ପାଞ୍ଜିର ଗଣକ ଓ ସଂକଳକ ନୈଷ୍ଠିକ ହିନ୍ଦୁ ହୋଇଥିବାବେଳେ ଏହାର ପ୍ରକାଶକ ଜଣେ ଉଦାରବାଦୀ ମୁସଲମାନ। କୋହିନୂର୍ ପାଞ୍ଜି ଓଲଟାଇଲେ ଏହାର ପ୍ରତିଷ୍ଠାତା ଭାବରେ ଯାହାଂକ ନାମ ଆଖିରେ ପଡେ ସେ ହେଉଛନ୍ତି ଶେଖ୍ ଅମିନୁଲ୍ ଇସଲାମ୍। ଧର୍ମର ସଂକୀର୍ଣତା ଓ ସୀମା ବିଷୟରେ ଆମେ ଅନେକ କଥା ଶୁଣିଛୁ ଓ ଜାଣିଛୁ , ହେଲେ ଧର୍ମର ଉଦାର ସ୍ୱରୂପ ଦେଖିବାକୁ ଶେଖ୍ ଅମିନୁଲ୍ ଇସଲାମଂକ ପରି ଚରିତ୍ରଙ୍କ ବିଷୟରେ ଜାଣିବା ନିହାତି ଜରୁରୀ। ଅମିନୁଲ୍ ଇସଲାମ୍ କେବଳ ପାଞ୍ଜିର ପ୍ରକାଶକ ନଥିଲେ, ବହୁ ହିନ୍ଦୁ ଧର୍ମଶାସ୍ତ୍ର ଓ ସଂସ୍କୃତ ଗ୍ରନ୍ଥର ସେ ଥିଲେ ଆଗ୍ରହୀ ପ୍ରକାଶକ ।

ଭାରତୀୟ ଜୀବନବୋଧରେ ସମନ୍ୱୟ ଓ ସହାବସ୍ଥାନର ଏକ ଅନନ୍ୟ ଉଦାହରଣ ପ୍ରସ୍ତୁତ କରିଥିବା ଓଡିଶା କୋହିନୂର ପ୍ରେସ୍ ଓ ଏହାର ପ୍ରତିଷ୍ଠାତା ଶେଖ ଅମିନୁଲ୍ ଇସଲାମଂକ ବିଷୟରେ ଓଡିଶାରେ ଖୁବ ବେଶୀ ଚର୍ଚ୍ଚା ହୁଏନାହିଁ, ସେଇଟା ବିଡମ୍ବନା। ଆଜି ଯେତେବେଳେ ଧର୍ମକୁ ନେଇ ଆମ ଭିତରେ ବିଭେଦ ଓ ବିଭାଜନର ରାଜନୈତିକ ମଞ୍ଜି ବୁଣା ଯାଉଛି, ସେତେବେଳେ ଶେଖ ଅମିନୁଲ ଇସଲାମ ଆମ ଆଗରେ ସାହାବସ୍ଥାନ, ସଂପ୍ରୀତି ଓ ସଂହତି ର ଦେବଦୂତ ଭାବରେ ଠିଆ ହୋଇଛନ୍ତି। ଓଡିଶାର ସମନ୍ୱୟବାଦୀ ଇତିହାସରେ ସେ ଆମ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ଚରିତ୍ର।

– ଗତ ୮୦ ବର୍ଷ ଧରି ପ୍ରକାଶ ପାଉଥିବା ଓଡିଶା କୋହିନୂର ପ୍ରେସର ପାଞ୍ଜି ପଠାଣୀ ସାମନ୍ତଂକ “ସିଦ୍ଧାନ୍ତ ଦର୍ପଣ” ର ତତ୍ତ୍ବ ଓ ସୂତ୍ର ଆଧାରରେ ପ୍ରସିଦ୍ଧ ଖଡିରତ୍ନ ପରିବାର ପ୍ରସ୍ତୁତ କରିଥାନ୍ତି। ୮୩ ବର୍ଷ ତଳେ କଟକର ଜଣେ ତରୁଣ ମୁସଲମାନ ପ୍ରକାଶକ ଶେଖ୍ ଅମିନୁଲ୍ ଇସଲାମ୍ ଏହି ପାଞ୍ଜିର ପ୍ରକାଶନ ଆରମ୍ଭ କରିଥିଲେ , ଯାହାକି ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦ୍ବାରା ଅନୁମୋଦନ ଲାଭ କରିଥିଲା । ଗତ ୮୩ ବର୍ଷ ଧରି କୋହିନୂର ପାଞ୍ଜି ଓଡିଶାର ଅନ୍ୟତମ ବିଶୁଦ୍ଧ ଓ ନିର୍ଭୁଲ ପଂଜିକା ଭାବରେ ସ୍ୱୀକୃତି ହାସଲ କରିଛି ।

– ଶେଖ୍ ଅମିନୁଲ୍ ଇସଲାମ୍ ୫ ଅଗଷ୍ଟ ୧୯୦୦ ରେ କଟକ ସୂତାହାଟ ରେ ଜନ୍ମଗ୍ରହଣ କରିଥିଲେ। ପ୍ରକାଶନ ସହିତ ତାଂକର ପାରିବାରିକ ସମ୍ପର୍କ ରହିଥିଲେ ମଧ୍ୟ ଧାର୍ମିକ ପୁସ୍ତକ ପ୍ରକାଶନ କଥା ସେତେବେଳେ କେହି ଚିନ୍ତା କରୁନଥିଲେ । ୧୯୨୮ ରେ ଅଳ୍ପ କେତେଜଣ ଉତ୍ସାହୀ ପ୍ରକାଶକଂକ ଭିତରୁ ଅମିନୁଲ୍ କଟକରେ ଏକ ପ୍ରେସ୍ ପ୍ରତିଷ୍ଠା କରିଥିଲେ। ଏହି ପ୍ରେସ୍ ର ଯଶଗାନ କରି ସଂସ୍କୃତ ପଣ୍ଡିତ ମାନେ କହନ୍ତି – “ ବିଦ୍ବତବିଷ୍ଣୁ ଯୁତପ୍ରସାଦ
ଗଣନା ଶୁଦ୍ଧା….ତାଂ କୋହେନୂରମୁଦ୍ରଣାଳୟପତିନିର୍ମାତି ..

– ଜଣେ ମୁସଲମାନ୍ ପ୍ରକାଶକଂକ ଦ୍ବାରା ପ୍ରକାଶିତ ଏହି ପାଞ୍ଜିକୁ ହିନ୍ଦୁ ଶାସନୀ ବ୍ରାହ୍ମଣ ମାନଙ୍କର ସବୁଠୁ ବଡ ସଭା ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସଭା ସ୍ୱୀକୃତି ପ୍ରଦାନ କରିବା ଏକ ବିରାଟ ଅବଦାନ । ଶ୍ରୀମନ୍ଦିରର ପୂଜା ପାର୍ବଣ ଓ ଯାନୀ ଯାତ୍ରାର ଦିନ ଘଡି ନିର୍ଣ୍ଣୟରେ କୋହିନୂର ପାଞ୍ଜିର ଗୁରୁତ୍ବପୂର୍ଣ ଭୂମିକା ରହି ଆସିଛି ।

– ଅମିନୁଲ୍ କେବଳ ପାଞ୍ଜିର ପ୍ରକାଶକ ନଥିଲେ, ବହୁ ସଂସ୍କୃତ ଧର୍ମଗ୍ରନ୍ଥର ସମ୍ପାଦନ ଓ ପ୍ରକାଶନ କାର୍ଯ୍ୟ ସେ କରିଛନ୍ତି । ପଣ୍ଡିତ କୁଞ୍ଜବନ ତ୍ରିପାଠୀ ଓ ପଣ୍ଡିତ ରଘୁନାଥ ମିଶ୍ରଂକ ସମ୍ପାଦନାରେ ବହୁ ଗ୍ରନ୍ଥ ସେ ଛାପିଥିଲେ ।

– ସଂସ୍କୃତ ବ୍ୟତୀତ ସେ ଥିଲେ ଓଡିଶାର ପ୍ରଥମ ସାନ୍ତାଳୀ ଭାଷାର ପ୍ରକାଶକ । ୧୯୩୨ ମସିହାରେ ସାନ୍ତାଳି ଭାଷା ର ମହାନ ସାରଥୀ ଓ ଅଲଚିକି ଲିପିର ସ୍ରଷ୍ଟା ରଘୁନାଥ ମୁର୍ମୂଂକ ନାଟକ “ବିଦୁ ଚାଦାନ” କୁ ଅମିନୁଲ୍ ପ୍ରକାଶ କରିଥିଲେ। ସାନ୍ତାଳୀ ଆଜି ଏକ ପୂର୍ଣ୍ଣାଙ୍ଗ ଭାଷାର ସାମ୍ବିଧାନିକ ମର୍ୟଦା ପାଇଲା ପରେ ମଧ୍ୟବଡ ସାନ୍ତାଳୀ ପ୍ରକାଶକ ବାହାରି ନାହାନ୍ତି । ଅଥଚ ୮୬ ବର୍ଷ ପୂର୍ବେ ଏକ ଆଦିବାସୀ ଭାଷାର ବହି ଛାପିବାର ସାହସ ଅମିନୁଲଂକ ପାଖରେ ଥିଲା ।

– ସ୍ୱାଧିନତା ଆନ୍ଦୋଳନକୁ ସମର୍ଥନ କରି ବହୁ ଗୀତ, କବିତା ଓ ରଚନା ପ୍ରକାଶ କରି ସେ ବ୍ରିଟିଶ ସରକାରର ବିଷ ଦୃଷ୍ଟିରେ ମଧ୍ୟ ପଡିଥିଲେ। ୧୯୩୦ ରେ ତାଂକ ରଚିତ ଓ ପ୍ରକାଶିତ “ଦାଣ୍ଡି ଯାତ୍ରା “ କବିତା ବହି ବ୍ରିଟିଶ ସରକାର ଜବତ କରିଥିଲେ।

– ୧୦,ଅଗଷ୍ଟ ୧୯୯୫ ରେ ଏହି ବିଶିଷ୍ଟ ପ୍ରକାଶକ ମୃତ୍ୟୁବରଣ କରିଥିଲେ ଓ ଜଣେ ମୁସଲମାନ୍ ର ବିୟୋଗରେ ପ୍ରଥମ ଥର ଲାଗି ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭା ଶୋକ ପ୍ରସ୍ତାବ ରଖିଥିଲେ। ଆଜି ଯେତେବେଳେ ସାମ୍ପ୍ରଦାୟିକତା ଓ ଧାର୍ମିକ ସଂକୀର୍ଣତାକୁ ନେଇ ଦେଶର ରାଜନୀତି ପ୍ରବଳ, ସେହି ସମୟରେ ଶେଖ ଅମିନୁଲ୍ ଇସ୍ଲାମ୍ ଆମ ଆଗରେ ସମନ୍ବୟର ଏକ ଐତିହାସିକ ପ୍ରତୀକ ଭାବରେ ପ୍ରେରଣା ଦିଅନ୍ତି ।

 

 

Leave A Reply

Your email address will not be published.