Latest Odisha News

BREAKING NEWS

Cyber Fraud: ନେତାଙ୍କ ନାଁରେ ଲୋକଙ୍କୁ ଲୁଟୁଥିଲା! ଗୃହମନ୍ତ୍ରୀଙ୍କ PA କହି ୧୩,୫୦୦ ଚୂନ ଲଗାଇ ଧରାପଡ଼ିଲା ଜଗନ୍ନାଥ…

ଭୁବନେଶ୍ୱର: ନାଁ ଜଗନ୍ନାଥ, ହେଲେ କାରନାମା ଶୁଣିଲେ ତାଜୁବ ହେବେ! କେତେବେଳେ ଅମିତ ଶାହଙ୍କ PA ତ ଆଉ କେତେବେଳେ ନିତିନ ନବୀନଙ୍କ PA। ନେତାଙ୍କ ନାଁ ନେଇ ଲୋକଙ୍କୁ ଚୂନ ଲଗାଇବା ଥିଲା ତା’ ପେଶା। ଏଥର ଗୃହମନ୍ତ୍ରୀଙ୍କ ପରିବାର ପାଇଁ ହୋଟେଲ ରୁମ୍ ବୁକିଂ ନାଁରେ ୧୩,୫୦୦ ଟଙ୍କା ଠକି ପୋଲିସ ହାତରେ ଧରାପଡ଼ିଛି। ହୋଟେଲ ବୁକିଂ ନାଁରେ ୧୩ ହଜାର ୫୦୦ ଟଙ୍କା ଠକେଇ ଘଟଣାରେ ମୈତ୍ରୀବିହାର ଥାନା ପୋଲିସ ତାକୁ ଗିରଫ କରିଛି। ତଦନ୍ତ ବେଳେ ତା’ ନାଁରେ ଏକାଧିକ ରାଜ୍ୟରେ ମାମଲା ଥିବା ଜଣାପଡ଼ିଛି।

ପୋଲିସଠୁ ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୨୭ ତାରିଖରେ ଅଭିଯୋଗକାରୀଙ୍କ ନିକଟକୁ ୯୮୪୫୧୭୨୭୦୯ ନମ୍ବରରୁ ଏକ ହ୍ୱାଟ୍ସଆପ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପିଏ ସଞ୍ଜୟ ତିୱାରୀ ବୋଲି ପରିଚୟ ଦେଇଥିଲେ। ଗୃହମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କ ପାଇଁ ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ସ୍ୱସ୍ତି ପ୍ରିମିୟମ୍ ହୋଟେଲରେ ଦୁଇଟି ରୁମ୍ ବୁକିଂ କରିବାକୁ କହିଥିଲେ। ଏହି ବିଶ୍ୱାସରେ ଅଭିଯୋଗକାରୀ ଫୋନ୍‌ପେ ଜରିଆରେ ଅଭିଯୁକ୍ତ ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ୧୩,୫୦୦ ଟଙ୍କା ପଠାଇଥିଲେ। ପରେ ଠକେଇର ଶିକାର ହୋଇଥିବା ଜାଣି ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ। ଆଉ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ତା’ର ନାଁ ଜଗନ୍ନାଥ ମଣ୍ଡଳ। ଏହା ପୂର୍ବରୁ ମଧ୍ୟ ସେ ରାଜନୈତିକ ପରିଚୟ ଦେଇ ଠକେଇ ଉଦ୍ୟମ କରିଥିବା ଅଭିଯୋଗ ରହିଛି।

ପୂର୍ବରୁ ମଧ୍ୟ ବ୍ରହ୍ମପୁର ଟାଉନ୍ ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ରାଜେଶ କୁମାର ପାତ୍ର ନାମକ ଚିକିଟି ବିଧାୟକଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଥିଲା। ଏପ୍ରିଲ ୧ ତାରିଖରେ ‘ନିତିନ ନବୀନ PA’ ନାଁରେ ସେଭ୍ ଥିବା ନମ୍ବରରୁ ହ୍ୱାଟ୍ସଆପ୍ କଲ୍ କରି ୫୦ ହଜାର ଟଙ୍କା ମାଗିଥିଲା। ଏହି ଟଙ୍କା ଗୁପ୍ତ ସର୍ଭେ ଓ ଦଳୀୟ କାମରେ ଲାଗିବ ବୋଲି କହିଥିଲା। ରାଜେଶ ସନ୍ଦେହ କରି ପରିଚୟ ପଚାରିବାରୁ ଅଭିଯୁକ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦଳୀୟ ସଭାପତିଙ୍କ ନିକଟରେ ଅଭିଯୋଗ କରିବାକୁ ଧମକ ଦେଇଥିଲା। ଏହି ମାମଲାରେ ଜଗନ୍ନାଥ ମଣ୍ଡଳକୁ ଜୁନ୍ ୨୦ ତାରିଖରେ ଗିରଫ କରାଯାଇଥିଲା।

କେବଳ ଓଡ଼ିଶା ନୁହେଁ, ତଦନ୍ତରେ ଗୁଜରାଟର ଜୁନାଗଡ଼ର ଦୁଇଟି ମାମଲା, ବଡ଼ବଜାର ଥାନାର ଗୋଟିଏ ମାମଲା ଏବଂ କର୍ଣ୍ଣାଟକର ବେଙ୍ଗାଲୁରୁ ସେଣ୍ଟ୍ରାଲ CEN କ୍ରାଇମ୍ ଥାନାର ଗୋଟିଏ ସାଇବର ଅପରାଧ ମାମଲାରେ ମଧ୍ୟ ତାର ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏହି ଘଟଣା ନକଲି ରାଜନୈତିକ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅପରାଧୀଙ୍କ ନୂଆ ଚାଲ୍‌କୁ ପଦାରେ ପକାଇଛି।

Leave A Reply

Your email address will not be published.