Latest Odisha News

BREAKING NEWS

ମହଙ୍ଗା ପଡିଲା ମାଇଁ ପ୍ରେମ: ମାମୁଁ ଠେଙ୍ଗା ମାଡ଼ରେ ଭଣଜା ମୃତ

ବେଲଗୁଣ୍ଠା: ମାମୁଁର ଠେଙ୍ଗା ମାଡ଼ରେ ପ୍ରାଣ ହରାଇଛି ଭଣଜା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲକୁଣ୍ଠା ଅଞ୍ଚଳରେ ।

ପ୍ରାପ୍ତ ସୂଚନା ଅନୁଯାୟୀ, ଉଭୟ ମାମୁଁ ଓ ଭଣଜା ମଧ୍ୟରେ କିଛି ଦିନ ଧରି ଘରୋଇ କଳହ ଲାଗିରହିଥିଲା ।ମୃତ କୃତିବାସ ନିଜ ମାମୁଁ ଗୋପାଳର ଘରେ ୭/୮ ବର୍ଷ ହେବ ରହିଆସୁଥିଲା । ଏହି ସମୟ ମଧ୍ୟରେ ଗୋପାଳର ସ୍ତ୍ରୀ ସହ କୃତିବାସର ପ୍ରେମ ସମ୍ପର୍କ ଗଢିଉଠିଥିଲ ।

ଏହା ଜଣାପଡିବା ପରେ ଏହାର ପ୍ରତିବାଦ କରିଥିଲେ ମାମୁଁ । ଗ୍ରାମରେ ବୈଠକ ବସି ଭଦ୍ର ଲୋକଙ୍କ ଉପସ୍ଥିତରେ ମାଇଁ ଓ ଭଣଜା ଦୁହେଁ ସ୍ୱାମୀ ସ୍ତ୍ରୀ ଭାବେ ରହିବା ପାଇଁ ଜିଦ୍ ଧରିବାରୁ ଭଦ୍ରଲୋକମାନେ ସେଥିରେ ରାଜି ହୋଇଥିଲେ ।ପରେ ମାଇଁ-ଭଣଜା ଉଭୟ ସ୍ୱାମୀ ସ୍ତ୍ରୀ ରୁପେ ଏକ ଭଡା ଘରେ ରହିଆସୁଥିଲେ ।

କିନ୍ତୁ ଏମାନଙ୍କ ସମ୍ପର୍କ ବେଶୀଦିନ ତିଷ୍ଠି ପାରି ନ ଥିଲା ।ପ୍ରାୟ ଦୁଇମାସ ଏକାଠି ରହିବା ପରେ ଏମାନଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଝଗଡା ହୋଇଥିଲା ।ଫଳରେ ମାଇଁ କୁ ଛାଡି ଭଣଜା କେଉଁଆଡେ ଫେରାର ହୋଇଯାଇଥିଲା ।ମାଇଁ କୃତିବାସକୁ ଅନେକ ଖୋଜାଖୋଜି କରି ନିରାଶ ହେବାରୁ ନିଜ ସାତ ବର୍ଷ ର ପୁଅକୁ ନେଇ ମାଇଁ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ତେବେ ଏହି କଥାକୁ ନେଇ ମାମୁଁ-ଭଣଜା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ସୋମବାର ରାତିରେ ମାମୁଁଙ୍କ ସହ କୃତିବାସ ଙ୍କର ଫୋନରେ କଥା କଟାକଟି ହୋଇଥିଲା ।ରାତି ପ୍ରାୟ ୧୧ ଟା ସମୟରେ କୃତିବାସ ଏକ ମୋଟରସାଇକଲ ଧରି ବିଞ୍ଜିଗିରି ଯାଇଥିଲେ । ସେଠାରେ ତାର ମାମୁଁ ଗୋପାଳ ଓ ତାର ଚାରି ପାଞ୍ଚ ଜଣ ସହଯୋଗୀ ମିଶି କୃତିବାସ କୁ ଠେଙ୍ଗା ଓ ଲୁହା ରଡରେ ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଏନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଶବ ଜବତ କରି ଏକ ମାମଲା ରୁଜୁ କରିଥିଲେ । ମାମୁଁ କୁ ଥାନାରେ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ମୃତ ଭଣଜା କୃତିବାସର ମାମୁଁ ବିଞ୍ଜିଗିରି ଗ୍ରାମର ଗୋପାଳ ଗୌଡଙ୍କ ସହ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି।

ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ଦୁଇଟି କାଠ ଫାଳିଆ,ଦୁଇଟି ଲାଠି ଓ ଗୋଟିଏ ଲୁହା ରଡ୍,ଗୋଟିଏ ମୋବାଇଲ ଏବଂ ଏକ ମୋଟରସାଇକଲକୁ ପୋଲିସ ଜବତ କରିଛି ।ସମସ୍ତଙ୍କୁ ଭାରତୀୟ ପିଙ୍ଗଳ କୋଡ୍ ଧାରା ୩୦୨/୩୪ରେ ଗିରଫ କରି ଆସ୍କା କୋର୍ଟ ଚାଲାଣ କରିଥିବା ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ ପ୍ରକାଶ କରିଛନ୍ତି ।

Comments are closed.