Latest Odisha News

BREAKING NEWS

ଦି’ପଦ ଦୁଃଖର ଦାବିନାମା..

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ବିଶ୍ରାମରେ ସୁଖ କି ଆଶ୍ରମରେ ଶାନ୍ତି ଅଛିକି ନାହିଁ, କେବେ ଖୋଜିନି – ଜାଣିନି । ଆଶ୍ରମ ଆଉ ବିଶ୍ରାମ – ଏ ଦୁଇଟି ଭିତରୁ ସୁଖ ଶାନ୍ତିର ଠିକଣା ନ ଖୋଜି ମୁଁ ବରଂ ଦୁଃଖ ସହିତ ଦୁଇପଦ କଥା ହେବି କେଉଁଠି । ସେ ଦୁଃଖ – କେତେମଣିଷର, କେତେ ଦିଗକୁ ଅନାଇ ରହିଥିବା ଅନେକ ଆଖିର, ହଜାରେ ହୃଦୟର, ଲକ୍ଷେ ମନର – ଜୀବନ ଯେଉଁଠି ଦିନ ଦିନର ସ୍ମୃତି ଆଉ ରାତିରାତିର ସ୍ୱପ୍ନ ମଝିରେ ସଜାଡୁଥାଏ ତା’ ଧୂପଦୀପ । ଏ ଜୀବନ ସବୁ ଦୁଃଖ କଷ୍ଟ ଭିତରେ ବି ଦୁର୍ଲଭ – ଅପରୂପ ।

ସବୁ ସଭ୍ୟତାର ଶିକ୍ଷା, ସବୁ ଦର୍ଶନର ଦୀକ୍ଷା, ସବୁକଳା-ସଂସ୍କୃତି-ସାହିତ୍ୟର ପରୀକ୍ଷା ନିରୀକ୍ଷାରେ ମଣିଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ପ୍ରଶିକ୍ଷିତ ହୋଇଆସିଛି ଜୀବନବୋଧ ଦ୍ୱାରା ଆଲୋଡିତ ହୋଇ । ଜୀବନ ଏହି ଦୃଷ୍ଟିରୁ ମୋ ପାଇଁ ପ୍ରିୟ ପ୍ରଶିକ୍ଷକ । ମୁଁ ତାର ଶିଷ୍ୟ ହେବା ପାଇଁ ଚାହେଁ କୌଣସି ଆଶ୍ରମର ବଟଚ୍ଛାୟା ତଳେ ନ ବସି, ତା’ କଟାଗଛର ଘନଅରଣ୍ୟରେ । ଜୀବନର ଜଣେ ବିଶ୍ୱସ୍ତ ବନଚାରୀ ଭାବରେ ଏ ପ୍ରାନ୍ତରରୁ ସେ ପଥକୁ ମୁହାଁଉଥିବା ବେଳେ ମୁଁ ମୋର କ୍ଲାନ୍ତି ଅପନୋଦନ ଉଦ୍ଦେଶ୍ୟରେ ମଧ୍ୟବର୍ତୀ କୌଣସି ବିଶ୍ରାମ ସ୍ଥଳର ଶଯ୍ୟାରେ ଦିବାନିଦ୍ରା ନ ଯାଇ, ଏ ସ୍ୱପ୍ନ ଦେଖିବାକୁ ଚାହେଁ ଦୁର୍ବାରଜାଗରଣର ଦାବାଗ୍ନି-ପ୍ରଜ୍ୱଳିତ ଜନଅରଣ୍ୟରେ – ଯଦି କେବେ ମୁଁ ବିଶ୍ରାମ ଲୋଡିବି, ତା’ ହେଲେ ସେ ବିଶ୍ରାମସ୍ଥଳ ହେବ ମୋ ସାଥୀ ସଂଗ୍ରାମୀ ପ୍ରିୟମଣିଷମାନଙ୍କର ସେଇ ନିର୍ଭରଯୋଗ୍ୟ ଶକ୍ତସବଳକାନ୍ଧସବୁ, ଏକଦା ଯେଉଁମାନଙ୍କ ସହିତ ହାତ ଧରାଧରି ହୋଇ ଦୀର୍ଘକାଳ ପଲ୍ଲୀରୁ ଦିଲ୍ଲୀଯାଏଁ ପଟୁଆରୀ ଯାତ୍ରାରେ ମୋର ପାଦ ଥିଲା ଚଳଚଂଚଳ ଏବଂ ହୃଦୟ ଥିଲା ସ୍ପନ୍ଦନଶୀଳ ।

ବହୁ ଶୁଭେଚ୍ଛୁ ସମକାଳୀନ ବନ୍ଧୁ ମତେ ବେଳେବେଳେ ଦରଦଭରା ସ୍ୱରରେ କହିଥାନ୍ତି – ବୟସ ହେଲା, ବିଶ୍ରାମ ନିଅ, ଏଣିକି ଟିକିଏ ସୁଖଶାନ୍ତିରେ ରୁହ । ମୁଁ ସେମାନଙ୍କୁ ଏ ବିଷୟରେକିଛି ନ କହି ହସିଦିଏ – ସେଇହସ, ଯାହା ସହିତ ସେମାନେ ସୁପରିଚିତ । ମୋ ହସ ହିଁ ସେମାନଙ୍କୁ ଅସଲ ଉତର । ଏ କଥାଟା ସେମାନେ ବିଜାଣନ୍ତି ।

ସୁଖ ପାଇବାକୁ ବିଶ୍ରାମ ଚାହେଁନା । ସେ ବିଶ୍ରାମ ଲୋଡେନା ଯାହା ମତେ ଜୀବନ-ଆନ୍ଦୋଳନର ଦାବୀନାମାଠାରୁ କରି ରଖିବ ଦୂରବର୍ତୀ ।
ଶାନ୍ତି ପାଇବାକୁ ଆଶ୍ରମ ଯାଏନା । ସେ ଆଶ୍ରମର ଆଶ୍ରିତ ହେବାକୁ କେବେ ଇଚ୍ଛା କରେନା, ଯାହା ମତେ ମୋର ଜୀବନରେ ଜନାରଣ୍ୟଠାରୁ ବିଚ୍ଛିନ୍ନକରାଇ ଦାନ କରିବ କେବଳ ନିରର୍ଥକ ନିଃସଙ୍ଗ ନିର୍ଜନତା ।

ସୁଖ – ଏ ସୁଖ ମତେ ମିଳୁ ଅଶ୍ରୁରେ, ମାତ୍ର ତାହା ହେଉ ସେଇ ଅନେକ ଆଖିର ଆନନ୍ଦାଶ୍ରୁ ।
ଶାନ୍ତି – ଏ ଶାନ୍ତିମତେ ଅନୁଭୂତ ହେଉ ଆନନ୍ଦରେ, ମାତ୍ର ତାହା ହେଉ ସେଇ ଐକ୍ୟବଦ୍ଧ ଆହ୍ଲାଦକର ଅନାମୟ ଅଙ୍ଗୀକାର ।
ଦୁଃଖ – ଏ  ଦୁଃଖମତେ ଆଲୋଡିତ କରୁ ତାର ପ୍ରତ୍ୟେକ ସ୍ପନ୍ଦନରେ, ମାତ୍ର ତାହା ହେଉ ସେଇ ହଜାରେ ହୃଦୟ, ଲକ୍ଷେ ମନର ମରମ କଥାକୁ ନେଇ ମହାଜୀବନର ହୃତ୍‌ସ୍ପନ୍ଦନ ।

ଆଜି ମଧ୍ୟ ମୁଁ ବିଶ୍ରାମହୀନ – ଏ ମହାଜାତିର ଉତ୍ପୀଡିତ କ୍ରନ୍ଦନରୋଳ ମଧ୍ୟରେ ନିଷ୍ପଷିତ ଜନ, ଜାତି ଓ ଜନଜାତିର ଜୀବନଶୈଳୀକୁ ସମନ୍ୱିତ କରାଇବାରେ ଯୋଜନା ଓ ସର୍ଜନାକୁନେଇ ସ୍ୱପ୍ନ ଦେଖିବାରେ । ଦିନେ ଏ ସ୍ୱପ୍ନକୁ ଘୋଷଣାନାମାରେ ପରିଣତ କରିବାକୁ ଯାଇ ସମସ୍ତଙ୍କୁ ଶୁଣାଇଥିଲି – ଜମି ବିକନା, ଭଡା ଦିଅ । ଲୋକେ ଶୁଣିଲେ । ଥୋକେ ବୁଝିଲେ । ମାତ୍ର ଶୁଣିଲାନି ଶାସନ, ବୁଝିଲାନି ପ୍ରଶାସନ । ମୋର ସମସ୍ତ ଚିନ୍ତା, ଚେତନା, କର୍ମ ଓ କାର୍ଯ୍ୟକଳାପକୁ ଭିତିକରି ଏକ ଫିଲ୍ମ “ଦି ମଦରଲ୍ୟାଣ୍ଡ୍‌” ୨୦୧୯ ମସିହାରେ ପ୍ରସ୍ତୁତ ହୋଇସାରିଛି । ବିଶ୍ୱର ଦଶଟି ସ୍ଥାନରେ ଆର୍ନ୍ତଜାତିକ ଚଳଚ୍ଚିତ୍ର ମହୋତ୍ସବରେ ଆନୁଷ୍ଠାନିକ ସ୍ୱିକୃତୀ ମିଳିଛି ।

ଜମି ବିକନା, ଭଡା ଦିଅ । ଇଂରାଜିରେ“ଲ୍ୟାଣ୍ଡ୍‌ ଟୁଲେଟ୍‌” ସମଗ୍ରବିଶ୍ୱର ଦୃଷ୍ଟି ଆକର୍ଷଣକରିରାଜନୀତିଜ୍ଞ ଓ ଅର୍ଥନୀତିଜ୍ଞମାନଙ୍କର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିପାରିଛି । ଦି ମଦରଲ୍ୟାଣ୍ଡ୍ ଫିଲ୍ମରେ ଖଟିଖିଆ, ମଜୁରିଆ, ମେହନତୀ ମଣିଷର ସ୍ୱାର୍ଥରକ୍ଷା ପାଇଁ ସୃଷ୍ଟି ହୋଇଛି ଏକ ନୂତନ ପୃଥିବୀ, ଯେଉଁଠି ଶୋଷଣ ସ୍ୱତସ୍ପୃତ ଭାବେ ଶୁଖିଯିବ ଏବଂ ନ୍ୟାୟ ଓ ମିମାଂସା ସୁଲଭ ହୋଇଯିବ ।

ଭାରତୀୟ ବୁଦ୍ଧିଜୀବୀ ବର୍ଗ ଉପରେ ମୋର ତିଳାର୍ଦ୍ଧ ଆସ୍ଥା ନାହିଁ । କାରଣ ସେମାନେ ଯାହା ବୁଝନ୍ତି, ତାହା କୁହନ୍ତି ନାହିଁ କିମ୍ବା ଯାହା ଶୁଣନ୍ତି ତାହା ଜଣାନ୍ତି ନାହିଁ । ଭୟକୁ ଜୟ କରିପାରି ନ ଥିବା ଏହି ମଧ୍ୟବର୍ଗୀ ତ୍ରିଶଙ୍କୁ ଗୋତ୍ରୀୟଗଣ ନା ପ୍ରାଣୀଙ୍କ ଆରତ ହୃଦୟଙ୍ଗମକରି ଦୁଃଖ ଅପ୍ରମିତର ଦିଗ ଦେଖାଇପାରିବେ ନା ଭବିଷ୍ୟତର ଗୋଟିଏ ଭାରତୀୟ ଗଣସମାଜ ଗଢିତୋଳିବା ପାଇଁ ଆମ କାହାକୁ ଦେଇପାରିବେ ବିନ୍ଦୁଏ ବି ଭରସା ! ସେମାନଙ୍କୁ ତେଣୁ ମୋ ତରଫରୁ କିଛି କହିବାର ନାହିଁ । କାଲି ମୁଁ ଯାହା ସବୁ କହିଥିଲି, ସେ ସବୁ ମୋ ସମୟରେ ସଦ୍ୟତରୁଣ ଥିବା ଗୋଟିଏ ପଣପ୍ରବଣ ପରାକ୍ରମୀ ପିଢିକୁ । ଆଜିର ତୀବ୍ରତରୁଣ ପିଢି କ’ଣ ମୋ କଥା ଶୁଣିବ? ତାକୁ ଆଜି କ’ଣ କହିବି? କହିବି ଯେ – ନିଜକୁ ବିକନା, ଭଡାରେ ଲଗାନା, ଜୀବନର ଜମି ଚଷି ଉତର ପିଢି ପାଇଁ ଫଳାଅ ଫସଲ, ଫୁଟାଅ ଫୁଲ । ଉପୁଜାଅ ସେଇ ଇତିହାସ – ଯାହା ଅନାଗତ ଭବିଷ୍ୟତ ପାଇଁ ହୋଇ ପାରିବ ଉର୍ବରତାର ଉତ୍କୃଷ୍ଟତର ଉଦାହରଣ ।

ଆଜି ଅନ୍ତଃକରଣରେ ପ୍ରାର୍ଥନାକରୁଛି – ହେ ମର୍ତ୍ୟବାସୀ ମନୁଷ୍ୟ ସନ୍ତାନମାନେ, ପ୍ରତ୍ୟେକ କରାଳ-କରୁଣ, କର୍ମଭୂମି – ଯୁଦ୍ଧଭୂମିକୁ ତୁମେମାନେ ଆଜିଠାରୁ ଶ୍ୟାମଳ-ସବୁଜଶସ୍ୟ ଭୂମିରେ ରୂପାନ୍ତରିତ କରିବାର ଶପଥ କର । ସବୁ ରକ୍ତକର୍ଦ୍ଦମାକ୍ତ ଜୀବନ-ଜୀବିକା କ୍ଷେତ୍ରର ରୂପ ବଦଳିଯାଉ । ରାଶି ରାଶି ଫୁଲ ଫୁଟୁଥିବା ଏକ ଚମତ୍କାର ଅନିନ୍ଦ ସୁନ୍ଦର ରୂପବର୍ଣ୍ଣନର ଚତୁରଚେହେରାରେ ! ପତ୍ର-ଫୁଲ-ଫଳର ଫର୍ଦ୍ଦ ପାଠକରୁ ଏ ପ୍ରତାରିତ ପୃଥିବୀ – ଆଜିଠାରୁ ଏଇ ସଂକଳ୍ପଗ୍ରହଣକର । ଏ ଉଚ୍ଚାରଣ ଆଶ୍ରମରୁ ନୁହେଁ – ମୋର ଗଭୀର ଅନ୍ତଃକରଣରୁ । ଏହାହିଁ ଆଜି ଏଠାରେ ମୋର ସର୍ବସମକ୍ଷରେ ଅନ୍ତର୍ଭେଦୀ ଦି’ପଦ ଦୁଃଖର ଦାବିନାମା … ଅସଲ ସୁଖଶାନ୍ତିର ଶପଥପାଠ ।

ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.