Latest Odisha News

ପୁରୀ ବଡଦାଣ୍ଡ, ହେମନ୍ତ ଦାସ ଓ କେହିଜଣେ ସିନେମା ପ୍ରେମୀ ରିକ୍ସାବାଲା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

– ବାବୁ ତୁ କ’ଣ ଆଉ ସିନେମାରେ କାମ କରୁନୁ ?
– ନାଇଁରେ, ମୁଁ ବୁଢ଼ା ହୋଇଗଲିଣି ତ, ସେଥିପାଇଁ ସେମାନେ ମୋତେ ଆଉ ଖୋଜୁନାହାନ୍ତି । ଯା’ହେଉ, ତୁ ମୋତେ ମନେରଖିଛୁ ।

ପ୍ରାୟ ପନ୍ଦର ବର୍ଷ ତଳେ ପୁରୀ ବଡ଼ଦାଣ୍ଡରେ ଜଣେ ରିକ୍ସାବାଲା ଓ ସ୍ୱର୍ଗତ ଅଭିନେତା ହେମନ୍ତ ଦାସଙ୍କ କଥୋପକଥନର କିଛି ଅଂଶ ଇଏ । ହେମନ୍ତ ଦାସଙ୍କୁ ଚିହ୍ନିଥିବା ରିକ୍ସାବାଲା ଓ ରିକ୍ସାବାଲାକୁ ଭଲପାଉଥିବା ହେମନ୍ତ ଦାସଙ୍କୁ ନେଇ ଯେଉଁ ପୃଷ୍ଠଭୂମି ନିର୍ମାଣ ହୋଇଛି ସେଥିରେ ଆମ ଜୀବନବୋଧ ଓ କଳାପକ୍ଷର ଏକ ବିଚିତ୍ର ଦିଗର ସଙ୍କେତ ମଧ୍ୟ ରହିଛି । ଶିଳ୍ପୀ ଓ କଳାକାରର ଦେଶ ବୋଲି ଛାତି ବାଡ଼େଇବାରେ ଆମ ଗୌରବ ବୋଧର କୌଣସି ସୀମା ନାହିଁ ।

ବାସ୍ତବ ଜୀବନରେ କଳାର ଅମର୍ଯ୍ୟାଦା ଏବଂ ଶିଳ୍ପୀକୁ ଅବହେଳା ତାଙ୍କର ଉପେକ୍ଷିତ ଜୀବନ କାହାଣୀ କେବଳ ନୁହେଁ, ତାହା ପ୍ରତ୍ୟେକ ଓଡ଼ିଆ କଳାକାରର ଉପେକ୍ଷା ଓ ଅବହେଳାର ଅନ୍ୟତମ ଦୃଷ୍ଟାନ୍ତ ମାତ୍ର । ହେମନ୍ତ ଦାସଙ୍କ ଅଭିନୟକୁ ଆମ ଚଳଚ୍ଚିତ୍ର ଜୀବନର ସେହି ବିନ୍ଦୁ ବୋଲି ଆମେ କହିପାରିବା, ଯୋଉଠି ଗୋଟିଏ ପ୍ରଜନ୍ମର ପୂର୍ଣ୍ଣଛେଦ ପଡ଼ିଲା । ରଙ୍ଗମଞ୍ଚ ଏବଂ ଚଳଚ୍ଚିତ୍ରର ଅନ୍ତିମ ମହାନାୟକ ସିଏ ।

ଅଭିନୟରେ ନିଖୁଣ ଓଡ଼ିଆ ଭାବ, ସଂଳାପ, ଉଚ୍ଚାରଣରେ ନିପଟ ଓଡ଼ିଆପଣ ଏବଂ ଚାହାଣୀ-ଚଳଣୀ ଓ ନିତାନ୍ତ ସାଧାରଣ ଓଡ଼ିଆ ମଣିଷର ପ୍ରତିନିଧି । କ୍ରମଶଃ ମାଙ୍କଡ଼ମାନଙ୍କର ସହର ପାଲଟି ଯାଉଥିବା ଆମ ଚଳଚ୍ଚିତ୍ରର ପରଦା ଭିତରେ ହେମନ୍ତ ବାବୁଥିଲେ ଓଡ଼ିଆ ମଣିଷର ସ୍ୱପ୍ନ ଓ ସଂଘର୍ଷର ପ୍ରତିନିଧି । ସେ ଅଭିନୟ ଜଗତର ଏମିତି ଏକ ପିଢ଼ିରୁ ଆସିଥିଲେ ଯେଉଁଠି ଜାଗତିକ ସଫଳତାର କୌଣସି ଅର୍ଥ ନଥିଲା ।

ଅଭିନୟର ନିଶା ଘାରିଥିଲା ବୋଲି ସେମାନେ ‘ଷ୍ଟାର୍‌’ ହେବାର ମୋହରେ ପଡ଼ିନଥିଲେ । ବେପାରୀ ବା ବଜାରୀ ହେବା କଳାର ଲକ୍ଷ୍ୟ ନୁହେଁ- ସେଠି ଜୀବନ ଓ ପ୍ରେମ ହିଁ ସବୁଠୁ ବଡ଼ କଥା । ଏଇ ପ୍ରେମ ସେମାନଙ୍କୁ ବାଇଆ କରିଥିଲା । ମଞ୍ଚ ଓ ପରଦାରେ ସେମନେ ନିଜ ଜୀବନକୁ ସମୁଦାୟ ଢାଳି ପକେଇଥିଲେ ।

ଉଚ୍ଚଶିକ୍ଷା ଓ ସ୍ୱଚ୍ଛଳ ପରିବାରରୁ ଆସିଥିବା ଅନେକ ଯୁବକ ସେତେବେଳେ କଳାକାର ହେବାର ନିଶାରେ ସ୍ୱେଚ୍ଛାରେ ଦାରିଦ୍ର‌୍ୟସକୁ ଗ୍ରହଣ କରିଥିଲେ । ହେମନ୍ତ ଦାସଙ୍କ କଥା ସହ ମନେପଡ଼ୁଛି ସାମୁଏଲ ସାହୁ(ବାବି)ଙ୍କ କଥା । ଇଞ୍ଜିନିୟର ନ ହୋଇ ବାବି ବାବୁ ଅଭିନେତା ହୋଇଥିଲେ । ପରିଣତିରେ ତାଙ୍କୁ ଯାହା ଭୋଗିବାକୁ ପଡ଼ିଥିଲା- ତା’ର ଇତିହାସ ଆମେ ସଭିଏଁ ଜାଣୁ ।

କଳା ଓ ଜୀବନର ନିଶା ଆଗରେ ଦାରିଦ୍ର‌୍ୟତର କୌଣସି ମାନେ ନଥାଏ । କଳାକାର ଜାଣେ, ସେ ତା’ର ମାଟି ଓ ମଣିଷର ପ୍ରତିନିଧି । ତେଣୁ ମାଟିରେ ଲୋଟିବାକୁ-ମଣିଷ ସହ ଏକାକାର ହେବାକୁ ସେ ଜୀବନସାରା ସଂଘର୍ଷ କରୁଥାଏ । ଦରଗଢ଼ା ସ୍ୱପ୍ନମାନଙ୍କୁ, ଭାଙ୍ଗି ଯାଉଥିବା ଅଭିଳାଷ ଓ ଦଦରା ସଂକଳ୍ପ ନେଇ ଶିଳ୍ପୀର ଅଭିଯାତ୍ରା । ଶିଳ୍ପୀ ସବୁବେଳେ ନିଶାରେ ଥାଏ । ନିଶାରେ ଥିବା ମଣିଷ ଜୀବନର ଅସଲ ସତ୍ୟକୁ ବୟାନ କରିପାରେ । ଆମ ପାଇଁ ଏହି ନିଶାଗ୍ରସ୍ତ ଶିଳ୍ପୀମାନେ ହିଁ ସତ୍ୟର ଆବିଷ୍କାରକ । ବିଡ଼ମ୍ବନାର କଥା ହେଲା ସେମାନଙ୍କୁ ଆମେ ସହଜରେ ଚିହ୍ନିପାରୁନା ।

ବିଫଳତାର କଥା ଉଠୁଛି ଯେତେବେଳେ, ହେମନ୍ତ ଦାସଙ୍କ ବିଫଳତା କଥା ବି ଉଠୁ । ଫକୀର ମୋହନଙ୍କ ‘ପେଟେଣ୍ଟ ମେଡ଼ିସିନ୍‌’ଠୁ ନେଇ ‘ସୁଲୋଚନା’ ସିନେମା କରିବା ଲାଗି ତାଙ୍କର ଦୀର୍ଘବର୍ଷର ପ୍ରୟାସ ମରିବା ଯାଏ ସଫଳ ହେଲାନାହିଁ । ବାବୁ ଚନ୍ଦ୍ରମଣିଙ୍କୁ ଚଳଚ୍ଚିତ୍ରରେ ଦେଖିବାର ଓ ଦେଖାଇବାର ଅଧୁରାସ୍ୱପ୍ନ ଆଖିରେ ନେଇ ହେମନ୍ତ ଦାସ ଚାଲିଗଲେ । ମରିବାଆଗରୁ କହିଥିଲେ ବିଫଳତାକୁ ନେଇ ଭାବିଲେ କେବଳ ଅନୁଶୋଚନା ହିଁ ସାର ହେବ । ସତ୍ କଳାକାର କେବେବି ସଫଳତା, ବିଫଳତାକୁ ନେଇ ଚିନ୍ତାକରେନି । ତା’ପାଇଁ ସ୍ୱପ୍ନଟି ସବୁଠୁ ବଡ଼ । ଗୋଟେ ସ୍ୱପ୍ନକୁ ନେଇ ସେ ବଞ୍ଚେ । ତାକୁ ସାକାର କରିବା ଲାଗି ସଂଘର୍ଷ ଭିତରେ ପରାଜୟକୁ ସେ ଅସ୍ୱୀକାର କରେ । ପରାଜୟକୁ ଅସ୍ୱୀକାର କରିବା କମ୍ ବିଜୟ ନୁହେଁ ।

ହେମନ୍ତ ଦାସଙ୍କୁ ରିକ୍ସାବାଲା ଯେଉଁ ପ୍ରଶ୍ନ ପଚାରିଥିଲା, ସେ ପ୍ରଶ୍ନର ଉତ୍ତର ଆସନ୍ତାକାଲି ଆଉ କେଉଁ କଳାକାର ହୁଏତ ଦେବେନାହିଁ । ହୁଏତ, ଏମିତି ପ୍ରଶ୍ନଟିଏ ପଚାରିବାକୁ ରିକ୍ସାବାଲାଟିଏ ଯେ ମିଳିବ, ସେ ସମ୍ଭାବନା ମଧ୍ୟ ଦିଶୁନାହିଁ । ଚଳଚ୍ଚିତ୍ର ଯେଉଁଠି ଚକ୍ ଚକ୍ ବେପାର; ସେଠି ହେମନ୍ତ ଦାସମାନେ ବୁଢ଼ା ହୋଇ ଉପେକ୍ଷା ଭୋଗିବାକୁ ଓ ଚୁପ୍‌ଚାପ୍ ମରିଯିବାକୁ ବାଧ୍ୟ । ମୃତ୍ୟୁ ଗୋଟେ ନାଟକର ଯବନିକା ପତନ ନୁହେଁ- ତାହା ଇତିହାସର ନୂଆ ଏକ ଆରମ୍ଭ । ହେମନ୍ତ ଦାସଙ୍କ ଜୀବନ ଗୋଟେ ଲମ୍ବା ଇତିହାସ-ସେମିତି ମୃତ୍ୟୁ ବି ଗୋଟେ ନୂଆ ନାଟର ଆରମ୍ଭ ମାତ୍ର ।

ହେମନ୍ତ ଦାସ, ସାମୁଏଲ ସାହୁ, ବ୍ୟୋମକେଶ ତ୍ରିପାଠୀ, ଶରତ ପୂଜାରୀ ମାନେ କେବଠୁ ଏଇ ମାଟିରେ ପାଉଁଶ ହୋଇ ମିଶିଗଲେଣି। ଆଜିର ପୀଡି ସେଥିରୁ ଅନେକଙ୍କର ନାଁ ବି ଶୁଣି ନଥିବେ ହୁଏତ। ହେଲେ ସେମାନେ ଏଇ ଓଡିଆ ଜାତିର ଜୀବନକୁ ଅଭିନୟ ମାଧ୍ୟମରେ ଅମର କରିଥିଲେ। ସେମାନେ ଥିଲେ ବୋଲି ବୋଲି ଏ ଜାତିର ଭାଷା ଅଭିବ୍ୟକ୍ତି ପାଇଥିଲା। ସେମାନେ ନାହାନ୍ତି ବୋଲି, ଏ ଜାତି ଯଦି ସେମାନଙ୍କର ଶୂନ୍ୟତା ଭୋଗୁନାହିଁ, ସେଇଟା ଏଇ ଜାତିର ଦୁର୍ଭାଗ୍ୟ।

ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫
(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)
Leave A Reply

Your email address will not be published.