Latest Odisha News

BREAKING NEWS

୨ଜି ସେବା ବନ୍ଦ କରି ଆଗକୁ ବଢିବା ନେଇ ଜରୁରୀକାଳୀନ ନୀତିଗତ ପଦକ୍ଷେପ ପାଇଁ ମୁକେଶ ଅମ୍ବାନିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦେବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଅମ୍ବାନି ଆହ୍ୱାନ ଦେଇଛନ୍ତି ।

ଆଜିକୁ ୨୫ ବର୍ଷ ପୂର୍ବେ ଭାରତରେ କରାଯାଇଥିବା ପ୍ରଥମ ମୋବାଇଲ୍ କଲ୍‌ର ରୌପ୍ୟ ଜୟନ୍ତୀ ଉତ୍ସବ ଅବସରରେ ସେ କହିଛନ୍ତି, ଭାରତ ଓ ସାରା ବିଶ୍ୱ ଯେତେବେଳେ ୫ଜି ଟେଲିଫୋନ ଯୁଗ ଆଡ଼କୁ ମୁହାଁଉଛି ସେହି ସମୟରେ ୨ଜି ଯୁଗର ଫିଚର ଫୋନ୍‌କୁ ଭାରତରେ ପ୍ରାୟ ୩୦ କୋଟି ଗ୍ରାହକ ବ୍ୟବହାର କରୁଥିବାରୁ ସେମାନେ ମୌଳିକ ଇଟଂରନେଟ୍ ସେବା ପାଇବାରୁ ବଂଚିତ ହେଉଛନ୍ତି ।

ଯେତେବେଳେ ଭାରତ ଓ ସାରା ବିଶ୍ୱ ୫ଜି ଟେଲିଫୋନିର ଦ୍ୱାରଦେଶରେ ରହିଛନ୍ତି ସେତେବେଳେ ଭାରତରେ ୩୦ କୋଟି ମୋବାଇଲ୍ ଗ୍ରାହକ ଏବେବି ୨ଜି ଯୁଗରେ ଫସି ରହିଛନ୍ତି ଏବଂ ସେମାନଙ୍କ ଫିଚର ଫୋନ୍ ସେମାନଙ୍କୁ ଇଟଂରନେଟ୍‌ର ମୌଳିକ ବ୍ୟବହାର ଠାରୁ ଦୂରେଇ ରଖିଛି । ୨ଜି କୁ ଇତିହାସ ପୃଷ୍ଠାରେ ସ୍ଥାନିତ କରି ଆଗକୁ ବଢିବା ଲାଗି ଜରୁରୀକାଳୀନ ଭିତିରେ ନୀତିଗତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀଯୁକ୍ତ ଅମ୍ବାନି କହିଛନ୍ତି ।

ଏହି ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ ୧୯୯୫ରେ ମୋବାଇଲ୍ ସେବାର ଅଭ୍ୟୁଦୟ ହେବା ସହ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଭାରତ ଏକ ବଡ ଲମ୍ଫ ସହିତ ଯାତ୍ରା ଆରମ୍ଭ କରିଥିଲା । ଯେତେବେଳେ ଲ୍ୟାଣ୍ଡ୍‌ଲାଇନ୍‌ର ଆବିସ୍କାର ହୋଇଥିଲା ତାହା ଏକ ବିରଳ ଐତିହାସିକ ମୁହୂର୍ତ ଥିଲା । ମାତ୍ର ତାହା ଯୋଗାଯୋଗରେ ଆଂଶିକ ସ୍ୱାଧୀନତା ଦେଉଥିଲା ।

ଏହା ବାସ୍ତବରେ ଦୂରତ୍ୱକୁ ନେଇ ରହିଥିବା ସବୁ ସମସ୍ୟା ଦୂର କରିପାରିନଥିଲା । ଲୋକମାନେ ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ଚବିଶ ଘଂଟା ଯୋଗାଯୋଗରେ ରହିବାର ସୁଯୋଗ ପାଇନଥିଲେ । ସେ କହିଛନ୍ତି, ଭାରତରେ ମୋବାଇଲ୍ ଫୋନ୍ ଆଶା ଠାରୁ ଅଧିକ ସୁଲଭ ମୂଲ୍ୟର ହୋଇପାରିଛି । ୧୯୯୫ରେ ସେଲ୍ ଫୋନ୍‌ରୁ କରାଯାଉଥିବା କଲ୍‌ର ଦାମ୍ ୨୪ ଟଙ୍କା ଥିଲା । କଲ୍ କରୁଥିବା ବ୍ୟକ୍ତି ୧୬ ଟଙ୍କା ଓ କଲ୍ ଗ୍ରହଣ କରୁଥିବା ବ୍ୟକ୍ତି ୮ ଟଙ୍କା ଗଣୁଥିଲେ । ମାତ୍ର ଏବେ ଭଏସ୍ କଲ୍ ସମ୍ପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ଏହାର କୌଣସି ସର୍ବାଧିକ ସୀମା ମଧ୍ୟ ନାହିଁ । ସୁଲଭ ମୋବାଇଲ୍ ସେବା ଗଣତନ୍ତ୍ରରେ ପରିଣତ ହୋଇଛି ଏବଂ ଦୀର୍ଘବର୍ଷ ପୂର୍ବ ସମୟ ଭଳି ଏହା ଆଉ ଧନୀ ବ୍ୟକ୍ତିଙ୍କ ଏକଚାଟିଆ ଅକ୍ତିଆରରେ ନାହିଁ । ମାନବ ଇତିହାସରେ ମୋବାଇଲ୍ ଫୋନ୍ ଭଳି ଅନ୍ୟ କୌଣସି ପ୍ରଯୁକ୍ତି ଉପକରଣ ଧନୀ ଓ ଗରିବଙ୍କ ଭିତରେ ଥିବା ପ୍ରଭେଦକୁ ଏଭଳି ଭାବେ ଦୂର କରିପାରିନାହିଁ । ମୋବାଇଲ୍ ଇଟଂରନେଟ୍ ଯୋଗୁଁ ପୂର୍ବରୁ କେବଳ ଗୋଟିଏ କାର୍ଯ୍ୟ ହୋଇପାରୁଥିବା ମୋବାଇଲ୍ ଫୋନ୍‌ରେ ଆଜି ବିବିଧ ପ୍ରକାର କାର୍ଯ୍ୟ ହେଉଛି । ଏହା ସହିତ ଯୋଗାଯୋଗର ବିପ୍ଳବ ମାନବିକ ଅଭିନବ ଚିନ୍ତାଧାରାର ବନ୍ୟା ସୃଷ୍ଟି କରିଛି ବୋଲି ଅମ୍ବାନି କହିଛନ୍ତି ।

ସେ କହିଛନ୍ତି, ୨୫ ବର୍ଷ ପୂର୍ବେ ମୋବାଇଲ୍ ଟେଲି ଯୋଗାଯୋଗ କ୍ଷେତ୍ର ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଠାରୁ ଭାରତ ବହୁ ପଛରେ ଥିଲା । କିନ୍ତୁ ଏବେ ଦେଶ ପାଇଁ ସମୟ ଆସିଛି ପ୍ରଯୁକ୍ତିର ପ୍ରମୁଖ ଭାଗରେ ବିଶ୍ୱର ଅନ୍ୟମାନଙ୍କ ଠାରୁ ଆଗରେ ରହିବା ପାଇଁ । ଲୋକମାନେ ଏବେ ନିଜ ମୋବାଇଲ୍ ଫୋନ୍‌ରେ ଜ୍ଞାନ ହାସଲ କରିବା ସହ ପରସ୍ପର ସହ ବାଂଟୁଛନ୍ତି, ଖବର ପାଉଛନ୍ତି ଏବଂ ଭିଡିଓ ଦେଖୁଛନ୍ତି ଓ ତିଆରି ମଧ୍ୟ କରୁଛନ୍ତି । ଲୋକମାନେ ଫୋନ୍ ଜରିଆରେ ଘରେ ରହି କାମ କରୁଛନ୍ତି ଏବଂ ପଢ଼ୁଛନ୍ତି । ଭର୍ଚୁଆଲ୍ ବୈଠକରେ ସେମାନେ ଭାଗ ନେଉଛନ୍ତି । ମୋବାଇଲ୍ ଫୋନ୍ କିଭଳି ଲୋକମାନଙ୍କୁ ସଶକ୍ତ କରୁଛି କୋଭିଡ୍ ଲକ୍‌ଡାଉନ ତାହାର ଶ୍ରେଷ୍ଠ ଉଦାହରଣ ପ୍ରଦାନ କରିଛି । ସାରା ଦେଶକୁ ଏହା ଯୋଗାଯୋଗ ମାଧ୍ୟମରେ ସଂଯୁକ୍ତ ରଖିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.