Latest Odisha News

ଅଧା ରହିଗଲା କ୍ୟାପଟେନ ସାଠେଙ୍କ ମାଆଙ୍କୁ ଜନ୍ମଦିନରେ ସରପ୍ରାଇଜ ଦେବା ସ୍ୱପ୍ନ

ମୁମ୍ବାଇ: ଆଜି ଥିଲା କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କ୍ୟାପଟେନ ଦୀପକ ସାଠେଙ୍କ ମାଆଙ୍କ ଜନ୍ମ ଦିନ । ତେଣୁ ଜନ୍ମଦିନରେ ନାଗପୁରରେ ଥିବା ମାଆଙ୍କୁ ସରପ୍ରାଇଜ ଦେବାର ଯୋଜନା କରିଥିଲେ କ୍ୟାପଟେନ । କିନ୍ତୁ ନିୟତିର ନିୟମ ଥିଲା କିଛି ଭିନ୍ନ ।

କ୍ୟାପଟେନ ସାଠେଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ଗତ ମାର୍ଚ୍ଚ ମାସରେ କ୍ୟାପଟେନ ସାଠେ ତାଙ୍କ ବୃଦ୍ଧ ବାପା ମାଆଙ୍କୁ ଭେଟିବାକୁ ଆସିଥିଲେ । ଏହା ପରେ କରୋନା ଯୋଗୁଁ ସେମାନେ ପ୍ରତଦିନ ଫୋନରେ କଥା ହୋଇଥିଲେ ସୁଦ୍ଧା ଦେଖା କରିବାକୁ ଆସିପାରି ନ ଥିଲେ । ଦୁଇ ଦିନ ପୂର୍ବରୁ ବି ସେ ଫୋନରେ ମାଆଙ୍କ ସହ କଥା ହୋଇଥିଲେ ।’

ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟ କହିଥିଲେ ଯେ କ୍ୟାପଟେନ ମାଆଙ୍କ ଜନ୍ମ ଦିନରେ କେତେ କଣ ଯୋଜନା କରିଥିଲେ । କିନ୍ତୁ ଏହା ସବୁ ଅଧାରେ ରହିଗଲା ।

ଏବେ ମାଆ ପୁଅ ସାଙ୍ଗେ ହୋଇଥିବା କଥାକୁ ମନେ ପକାଇ ଆଖିରୁ ଲୁହ ଗଡାଉଛନ୍ତି । କରୋନା ମହାମାରୀର ରୂପ ନେଇଥିବାରୁ ଘରୁ ବାହାରକୁ ନ ଯିିବା ପାଇଁ ପୁଅ ତାଗିଦା କରୁଥିଲା । ଉଭୟ ବାପା ମାଆଙ୍କର କିଛି ହେଇଗଲେ ନିଜକୁ କ୍ଷମା କରିପାରିବନି ବୋଲି ସବୁ ବେଳେ କହୁଥିବା ପୁଅକୁ ଭଗବାନ କାହିଁକି ନେଇଗଲେ ବୋଲି କହି କୋହଭରା କଣ୍ଠରେ କହିଛନ୍ତି ମାଆ ।

ପୂର୍ବରୁ ଏକ ରାସ୍ତା ଦୁର୍ଘଟଣାରେ ସେନାରେ ଲେଫ୍ଟନାଣ୍ଟ ଥିବା ତାଙ୍କ ବଡ ପୁଅକୁ ହରାଇଛନ୍ତି । ଆଉ ଏବେ ସାନପୁଅକୁ । ସତେ ଯେମିତି ଏ ଘଟଣା ସେମାନଙ୍କୁ ମୂକ କରିଦେଇଛି ।

କ୍ୟାପଟେନ ସାଠେ ପିଲାଟି ବେଳରୁ ପାଠପଢା ସହ ଖେଳକୁଦରେ ନାଁ କରିଥିଲେ । ଟେବୁଲ ଟେନିସ୍‌, କ୍ୱାସ୍ ସେ ଭଲ ଖେଳୁଥିଲେ । ସେନାରେ ଥିବା ବେଳେ ସେ ସମ୍ମାନଜନକ ‘ସୋଡ ଅଫ୍ ଅନର’ ସମ୍ମାନର ଅଧିକାରୀ ହୋଇଥିଲେ । ୨୧ ବର୍ଷ କାର୍ଯ୍ୟକାଳ ଭିତରେ ସେନାରେ ଭଲ ଅଫିସର ହିସାବରେ ବି ସେ ବେଶ୍ ନାଁ କରିଥିଲେ । ଅବସର ପରେ ୨୦୦୫ ମସିହାରେ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ । ଭଲ ଅଫିସର ହିସାବରେ ବି ସେ ବେଶ୍ ନାଁ କରିଥିଲେ ।

କ୍ୟାପଟେନ ସାଠେଙ୍କ ବାପା ମାଆ ନାଗପୁରରେ ରହୁଥିବା ବେଳେ ସେ ମୁମ୍ବାଇରେ ପତ୍ନୀଙ୍କ ସହ ରହନ୍ତି । ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ଜଣେ ବେଙ୍ଗାଳୁରୁରେ ରହୁଥିବା ବେଳେ ଅନ୍ୟ ଜଣେ ଆମେରିକାରେ ରହୁଛନ୍ତି ।

Leave A Reply

Your email address will not be published.