Latest Odisha News

BREAKING NEWS

୧୦ ଦିନ ଲାଗି ବାଲିଯାତ୍ରା ପ୍ଲଟ୍ ଫି’ ଚୂଡ଼ାନ୍ତ ହେଲା

କଟକ: କଟକରେ ନଭେମ୍ବର ୨୩ରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରାରେ ବ୍ୟବସାୟୀଙ୍କ ଲାଗି ପ୍ଲଟ୍ ଫି’ ଦର ଚୂଡ଼ାନ୍ତ ହୋଇଛି । ବାଲିଯାତ୍ରା ବ୍ୟବସାୟୀ ସଂଘ ଏବଂ କଟକ ଜିଲ୍ଲା ପ୍ରଶାସନର ଏକ ବୈଠକର ନିଷ୍ପତ୍ତି ଅନୁସାରେ ଏହି ଦର ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି ।

ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟକୁ ନେଇ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ୧୦ ଦିନ ଧରି ଅନୁଷ୍ଠିତ ହେବ ବୋଲି ସୂଚନା ଦେଇ କହିଛନ୍ତି କଟକ ଉପ-ଜିଲ୍ଲାପାଳ ପ୍ରବୋଧ କୁମାର ରାଉତ ।

ସାଧାରଣତଃ ଏହି ଐତିହାସିକ ବାଲିଯାତ୍ରା ପ୍ରତିବର୍ଷ ୭ଦିନ ଧରି ଅନୁଷ୍ଠିତ ହୋଇଥାଏ ।

ମିଳିଥିବା ସୂଚନାନୁଯାୟୀ, ବାଲିଯାତ୍ରା ପଡିଆରେ ଷ୍ଟଲ୍ ଲାଗି ବ୍ୟବସାୟୀମାନେ ବର୍ଗଫୁଟ ପିଛା ୩୩ଟଙ୍କା ଦରରେ ପଇଠ କରିବେ । ତେବେ ଷ୍ଟଲ ବଣ୍ଟନ ଶନିବାର ଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

“ଗତବର୍ଷ ପ୍ଲଟ ବର୍ଗଫୁଟ ପିଛା ୨୭ଟଙ୍କା ହିସାବରେ ଆମେ ପଇଠ କରିଥିଲୁ । ଯେହେତୁ ୭ଦିନ ପରିବର୍ତ୍ତେ ବାଲିଯାତ୍ରା ୧୦ ଦିନକୁ ବଢିବା ଫଳରେ ଆମକୁ ଦୈନିକ ୩.୩୮ଟଙ୍କା ଅଧିକ ଦେବାକୁ ପଡ଼ିବ,”ବୋଲି କହିଛନ୍ତି ବାଲିଯାତ୍ରା ବ୍ୟବସାୟୀ ସଂଘର ସଭାପତି ଦେବୀ ପ୍ରସାଦ ମହାନ୍ତି ।

ଏବେ ବ୍ୟବସାୟୀ ମାନେ ନିର୍ଦ୍ଦାରିତ ହୋଇଥିବା ଦରରେ ଷ୍ଟଲ୍ ବୁକ୍ କରିପାରିବେ ବୋଲି ସେ କହିଛନ୍ତି ।

“ଏନେଇ ଯାହାକିଛି ସମସ୍ୟା ରହିଥିଲା ତାହାର ସମାଧାନ ହୋଇଯାଇଛି, ପ୍ରତିବର୍ଷ ପରି ଏଥର ମଧ୍ୟ ବାଲିଯାତ୍ରା ସୂଚାରୁରୂପେ ଅନୁଷ୍ଠିତ ହେବ,” ବୋଲି କହିଛନ୍ତି କଟକ ସଦର ତହସିଲଦାର ସଞ୍ଜୟ ପ୍ରତିହାରୀ ।

ପ୍ରତିବର୍ଷ ୭ଦିନ ଧରି ଅନୁଷ୍ଠିତ ହେଉଥିବା ବାଲିଯାତ୍ରା ଏଥର ୧୧ ଦିନ ଧରି ଅନୁଷ୍ଠିତ ହେବ ବୋଲି ଘୋଷିତ ହୋଇଥିଲା, ମାତ୍ର ଏହା ୧୦ ଦିନ ଧରି ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.