Latest Odisha News

ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ଆଜି ୨ୟ ଦିନରେ ଗୁରୁତ୍ୱପୂର୍ଣ୍ଣ ‘ବିଜିନେସ ଲିଡ଼ରସିପ୍ ସମ୍ମିଳନୀ’

ଭୁବନେଶ୍ୱର: ଓଡ଼ିଶାରେ ଅଧିକ ପୁଞ୍ଜି ନିବେଶ କରିବା ତଥା ବିଦେଶର ଶିଳ୍ପପତିମାନଙ୍କୁ ପୁଞ୍ଜିନିବେଶ କରି ରାଜ୍ୟକୁ ସମୃଦ୍ଧିଶାଳୀ କରିବା ଉଦ୍ଦେଶ୍ୟରେ ରାଜଧାନୀରେ ଅନୁଷ୍ଠିତ ହେଉଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ଆଜି ହେଉଛି ୨ୟ ଦିନ । ଏହି ଶିଳ୍ପମହାକୁମ୍ଭ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ସୋମବାର ଦିନ ଗୁରୁତ୍ୱପୂର୍ଣ୍ଣ ‘ବିଜିନେସ ଲିଡ଼ରସିପ୍ ସମିଟ୍’ ଅନୁଷ୍ଠିତ ହେଉଛି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୫ ଦିନ ଧରି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କନକ୍ଲେଭକୁ ଉଦଘାଟନ କରିବା ଅବସରରେ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଛନ୍ତି, “ମୁଁ ନୂଆ ଓଡ଼ିଶାକୁ ଆପଣମାନଙ୍କୁ ସ୍ୱାଗତ କରୁଛି, ଆସନ୍ତୁ ଏବଂ ଏହି ପରିବର୍ତ୍ତନର ଏକ ଅଂଶ ହୁଅନ୍ତୁ ।” ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣରେ କହିଛନ୍ତି, କଳା ଓ ସଂସ୍କୃତି ଲାଗି ପରିଚିତ ଓଡ଼ିଶା ଏହାର ଦକ୍ଷ ଶ୍ରମଶକ୍ତି ବଳରେ ଦେଶ ବିକାଶରେ ବଡ଼ ଧରଣର ଭାଗିଦାରୀ ହୋଇପାରିଛି ।

ଓଡ଼ିଶାର ଲୋକମାନେ ବିଭିନ୍ନ ଟ୍ରେଡ଼ରେ ଟ୍ରେନିଂ ନେଇଛନ୍ତି ଏବଂ ସେମାନେ ଓଡ଼ିଶା ତଥା ରାଜ୍ୟ ବାହାରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକରେ ଉତ୍କର୍ଷତା ହାସଲ କରିପାରିଛନ୍ତି । ଏହି ଯୁବପ୍ରତିଭାଗଣ ହିଁ ‘ମୁଁ ଓଡ଼ିଶା’ର ବାର୍ତ୍ତା ପ୍ରଚାର କରିପାରିଛନ୍ତି । ଏହି ଅବସରରେ ବିଭିନ୍ନ ଦେଶ ଓ ରାଜ୍ୟର ପ୍ରତିନିଧିମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି, ଓଡ଼ିଶା ପ୍ରଦାନ କରୁଥିବା ବ୍ୟବସାୟ ଓ ଅଭିବୃଦ୍ଧିରେ ବିପୁଳ ସୁଯୋଗକୁ ଆଗାମୀ ଦିନରେ ସନ୍ଧାନ କରିବା ଆବଶ୍ୟକ ।

ଜନତା ମଇଦାନରେ ଉଦଘାଟିତ ହୋଇଥିବା ଏହି ଶିଳ୍ପ ମହାକୁମ୍ଭର ୨ୟ ଦିବସରେ ପ୍ଲିନାରି ଅଧିବେଶନ ତଥା ବିଜିନେସ୍ ଲିଡ଼ରସିପ ସମ୍ମିଳନୀ ଆରମ୍ଭ ହେଉଛି । ଏହି ବିଜିନେସ୍ ସମିଟରେ ଦେଶ ବିଦେର ନାମୀ ଶିଳ୍ପପତି ଯୋଗଦେଉଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିଃ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମଧ୍ୟ ଯୋଗ ଦେଉଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ଏହି ବିଜିନେସ୍ ଲିଡ଼ରସିପ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଟାଟା ସନ୍ସର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖର, ବେଦାନ୍ତ ରିସୋର୍ଟ ପକ୍ଷରୁ ଅନୀଲ ଅଗ୍ରୱାଲ, ଜିନ୍ଦଲ୍ ଷ୍ଟିଲ ଏଣ୍ଡ ପାୱାର ତରଫରୁ ନବୀନ ଜିନ୍ଦଲ, ଓସିଏଲ ଗ୍ରୁପ ଏମଡ଼ି ପୁନିତ ଡ଼ାଲମିଆ, ଆଦିତ୍ୟ ବିରଳା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିରଳା, ସେଲ ଅଧ୍ୟକ୍ଷ ଅନୀଲ ଚୌଧୁରୀ, ଇମାମୀ ଫାଉଣ୍ଡର୍ ଆର ଏସ ଗୋଏଙ୍କା, ଷ୍ଟେଟବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର, ଭାରତୀୟ ତୈଳ ନିଗମ ଅଧ୍ୟକ୍ଷ ସଞ୍ଜୀବ ସିଂହ, ନାଲକୋ ସିଏମଡ଼ି ଡ଼ଃ ଟି କେ ଚାନ୍ଦ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଉଛନ୍ତି ।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ଏହି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ -୨୦୧୮ ଅବସରରେ ଜନତା ମଇଦାନରେ ଏକ୍ସପୋରେ ୧୨୦ଟି ଷ୍ଟଲ୍ ଖୋଲିଛି ।

ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭିତରକନିକା, ଚିଲିକା ଏବଂ ଶିମିଳିପାଳ ନାମରେ ୩ଟି ଶୀତତାପ ନିୟନ୍ତ୍ରିତ ହ୍ୟାଙ୍ଗର୍ ଖୋଲାଯାଇଛି । ଏହି ଏକ୍ସପୋରେ ଆଦାନୀ, ବିରଳା, ଜିନ୍ଦଲ, ଭାରତୀୟ ତୈଳ ନିଗମ, ଇମାମୀ ପେପର ମିଲ, ରିଲାଏନ୍ସ ଜିଓ ଇନପୋ, ପାର୍ଲେ ଆଗ୍ରୋ, ଆଟିସି ଗ୍ରୁପ, ଟାଟା ଷ୍ଟିଲ, ବେଦାନ୍ତ ଲିମିଟେଡ଼, ଟାଟାଷ୍ଟିଲ, ବ୍ରିଟାନିଆ ହିନ୍ଦୁସ୍ତାନ କୋକାକୋଲା ପ୍ରଭୃତି କମ୍ପାନୀମାନେ ସେମାନଙ୍କର ଷ୍ଟଲ୍ ଏହି ଏକ୍ସପୋରେ ଖୋଲିଛନ୍ତି ।

Comments are closed.