Latest Odisha News

କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ: କଂଗ୍ରେସର ୨୨ ଓ ଜେଡ଼ିଏସ ର ୧୨ ଜଣ ମନ୍ତ୍ରୀ ସାମିଲ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ୱାମୀ ଆଜି ତାଙ୍କର ମନ୍ତ୍ରୀମଣ୍ଡଳକୁ ପ୍ରଥମଥର ଲାଗି ସମ୍ପ୍ରସାରିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବାର ପ୍ରାୟ ୧୫ ଦିନ ପରେ କଂଗ୍ରେସର ୨୨ ଜଣ ଏବଂ ତାଙ୍କୁ ମିଶାଇ ଜେଡ଼ିଏସର ୧୨ ଜଣ ମନ୍ତ୍ରୀଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି କୁମାରସ୍ୱାମୀ ।

ବହୁଚର୍ଚ୍ଚିତ କର୍ଣ୍ଣାଟକ ବିଧାନସଭାରେ ଝୁଲା ସରକାର ହେବା ପରେ କୁମାରସ୍ୱାମୀ ନିଜ ଦଳ ଜେଡ଼ିଏସ୍ ଏବଂ କଂଗ୍ରେସର ମିଳିତ ସହଯୋଗରେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରଠାରୁ ମନ୍ତ୍ରୀମଣ୍ଡଳ ଲାଗି କଂଗ୍ରେସ ଓ ଜେଡ଼ିଏସ ମଧ୍ୟରେ ମତାନ୍ତର ରହିଥିଲା ।

ଆଜି କଂଗ୍ରେସ ଦଳରୁ ବରିଷ୍ଠ ବିଧାୟକ ଡ଼ିକେ ଶିବକୁମାର, ଶିବଶଙ୍କର ରେଡ୍ଡି, ଜେଜେ ଜର୍ଜ ଏବଂ ସେହିପରି ଜେଡ଼ିଏସ ପକ୍ଷରୁ ଏଚଡ଼ି ରେବଣା, ଜିଟି ଦେୱାଗୌଡ଼ା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏବେ ମଧ୍ୟ କେତେକ ବିଧାୟକ ମନ୍ତ୍ରୀମଣ୍ଡଳରେ ସ୍ଥାନ ନପାଇବାରୁ ଅସନ୍ତୁଷ୍ଟ ରହିଛନ୍ତି । କେତେକ ମନ୍ତ୍ରୀ କ୍ୟାବିନେଟ ପାହ୍ୟା ପାଇ ପାରିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, କର୍ଣାଟକ ବିଧାନସଭାରେ ବିଜେପି ସଂଖ୍ୟା ଗରିଷ୍ଠ ଦଳ ଭାବେ ୧୦୪ଟି ଆସନ ହାସଲ କରିଥିବା ବେଳେ ଶାସକ କଂଗ୍ରେସକୁ ୭୮ଟି ସିଟ ମିଳିଥିଲା ତେବେ ୩୭ଟି ଆସନ ପାଇଥିବା ଜେଡ଼ିଏସ ସହିତ କଂଗ୍ରେସ ମେଣ୍ଟ କରି ସରକାର ଗଠନ କରିପାରିଛି । ପୂର୍ବରୁ ବିଏସ ୟେଦିୟୁରାପ୍ପା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ମଧ୍ୟ ଆସ୍ଥା ଭୋଟରେ ପରାଜୟ ଆସନ୍ନ ଜାଣି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Comments are closed.