ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅନେକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବା ସହ ଅନେକ ବଡ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଏହା ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି କ୍ୟାବିନେଟ୍ ସରକାରୀ କର୍ମଚାରୀଙ୍କ ପାଇଁ କର୍ମଯୋଗୀ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଶାସନିକ ସୁଧାର ଦିଗର ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହା ବ୍ୟତୀତ କ୍ୟାବିନେଟ୍ ଜାମ୍ମୁ-କାଶ୍ମୀରର ସରକାରୀ ଭାଷା ବିଧେୟକ ୨୦୨୦କୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ମନ୍ତ୍ରିମଣ୍ଡଳ ଦ୍ଵାରା ଅନୁମୋଦିତ ନୂତନ ବିଧେୟକ ଅନୁଯାୟୀ ଉର୍ଦ୍ଦୁ, କାଶ୍ମୀରୀ, ଡୋଗରୀ, ହିନ୍ଦୀ ଓ ଇଂରାଜୀ ଜାମ୍ମୁ-କାଶ୍ମୀରର ସରକାରୀ ଭାଷା ହେବ। ଏହି ନିଷ୍ପତ୍ତିରେ କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଜାମ୍ମୁ ଓ କାଶ୍ମୀରରେ ଡୋଗରୀ, ହିନ୍ଦୀ ଓ କାଶ୍ମୀରୀକୁ ସରକାରୀ ଭାଷା ରୂପେ ସାମିଲ କରିବା କେବଳ ଦୀର୍ଘ ସମୟ ଧରି ହେଉଥିବା ଦାବି ପୂରଣ ହୋଇ ନାହିଁ ବରଂ ୨୦୧୯ ଅଗଷ୍ଟ ୫ରେ ସମାନତାର ଭାବନାକୁ ଦୃଷ୍ଟିରେ ରଖି ଏହାକୁ ମଞ୍ଜୁରୀ ଦିଆଯାଇଛି।
କର୍ମଯୋଗୀ ଯୋଜନା ବିଷୟରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ସଚିବ ସି ଚନ୍ଦ୍ରମୌଲି କହିଛନ୍ତି, ମିଶନ କର୍ମଯୋଗୀ ବ୍ୟକ୍ତିଗତ ଏବଂ ସଂସ୍ଥାଗତ କ୍ଷମତା ନିର୍ମାଣ ଉପରେ କେନ୍ଦ୍ରିତ। ପ୍ରଧାନମନ୍ତ୍ରୀଙ୍କ ମାନବ ସମ୍ବଳ ପରିଷଦ ରହିବ ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞ ସାମିଲ ହେବେ। ସେ କହିଛନ୍ତି ମିଶନ କର୍ମଯୋଗୀର ଲକ୍ଷ୍ୟ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ଭବିଷ୍ୟତ ପାଇଁ ଅଧିକ ରଚନାତ୍ମକ, କଳ୍ପନାଶୀଳ, ଅଭିନବ, ସକ୍ରିୟ, ପେଶାଦାର, ପ୍ରଗତିଶୀଳ, ଉର୍ଜାବାନ, ସକ୍ଷମ, ପାରଦର୍ଶୀ ଓ ଅଦୌଗିକି ସକ୍ଷମ କରି ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯିବ।
Comments are closed.