ନୂଆଦିଲ୍ଲୀ: ନରମିଲେ ଟ୍ରମ୍ପ
ରୁଷିଆ ତେଲ ପାଇଁ ନେଲେ ବଡ ୟୁ-ଟର୍ଣ୍ଣ!
ଭାରତ ଉପରୁ ୧୦୦% ଟାରିଫ୍ ଛାଡ଼!
ରୁଷିଆଠାରୁ ତେଲ କିଣିଲେ ଭାରତ ଉପରେ ଲାଗିବ ୧୦୦ ପ୍ରତିଶତ ଟାରିଫ୍! ଏମିତି ଧମକ ଦେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜ ନିଷ୍ପତ୍ତିରୁ ପଛକୁ ହଟିଛନ୍ତି। ରୁଷିଆ ସହିତ ନିଜେ ବଡ ଡିଲ୍ କରିବା ପରେ ରୁଷିଆରୁ ତେଲ ଓ ଗ୍ୟାସ୍ କିଣୁଥିବା ଭାରତ ସମେତ ୫ଟି ଦେଶକୁ ଟାରିଫ୍ରୁ ଛାଡ଼ ଦେଇଛନ୍ତି ଟ୍ରମ୍ପ। ଭାରତ ସମେତ ରୁଷିଆରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶଗୁଡ଼ିକ ପାଇଁ ନୂଆ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାର ବ୍ୟବସ୍ଥାକୁ ଟ୍ରମ୍ପ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। ଏହି ନିଷ୍ପତ୍ତି ପରେ ଭାରତ ଉପରେ ଘନେଇ ଆସୁଥିବା ନୂଆ ଶୁଳ୍କ ବୋଝର ଆଶଙ୍କା ଏବେ ଟଳିଛି।
ସବୁଠାରୁ ବଡ଼ କଥା ହେଉଛି, ଯେଉଁ ଟ୍ରମ୍ପ ପୂର୍ବରୁ ରୁଷିଆଠାରୁ ତେଲ କିଣୁଥିବା ଦେଶଗୁଡ଼ିକୁ ଆର୍ଥିକ ଦଣ୍ଡ ଦେବାକୁ ଚାହୁଁଥିଲେ, ସେହି ଆମେରିକା ପ୍ରଶାସନ ଏବେ ନିଜ ଦେଶରେ ଇନ୍ଧନ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ରୁଷିଆର ଡିଜେଲ୍ ଯୋଗାଣକୁ ନେଇ ମଧ୍ୟ ନରମ ଆଭିମୁଖ୍ୟ ଦେଖାଇଛି। ରୁଷିଆ ସହ ଡିଜେଲ୍ ଯୋଗାଣ ସମ୍ପର୍କିତ ବୁଝାମଣା ଘୋଷଣା ହେବାର କିଛି ଦିନ ପରେ ଏହି ଶୁଳ୍କ ସ୍ଥଗିତ ନିଷ୍ପତ୍ତି ଆସିଛି। ତେବେ ପ୍ରଶ୍ନ ଉଠୁଛି, ଯିଏ ଭାରତକୁ ଶୁଳ୍କ ବୃଦ୍ଧିର ଧମକ ଦେଉଥିଲେ, ସେ ହଠାତ୍ ନରମ ପଡ଼ିଲେ କାହିଁକି?
ତେବେ ସେପ୍ଟେମ୍ବର ୧୮ ତାରିଖରେ ଟ୍ରମ୍ପ ‘ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ରୁଷିଆ ଆଣ୍ଡ ଇରାନ୍ ଆକ୍ଟ, ୨୦୨୬’ ନାମକ ଆଇନରେ ସ୍ୱାକ୍ଷର କରିଥିଲେ। ଏହି ଆଇନ ଅନୁସାରେ, ରୁଷିଆରୁ ଅଶୋଧିତ ତେଲ ଓ ପ୍ରାକୃତିକ ଗ୍ୟାସ୍ କିଣୁଥିବା ପ୍ରମୁଖ ପାଞ୍ଚଟି ଦେଶ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାର କ୍ଷମତା ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଥିଲା। ଅକ୍ଟୋବର ୧୮ରୁ ରୁଷିଆରୁ ନୂଆ କରି ତେଲ କିମ୍ବା ଗ୍ୟାସ୍ କିଣିଲେ ଏହି ବ୍ୟବସ୍ଥା ଲାଗୁ ହେବାର ଆଶଙ୍କା ଥିଲା। ଏହା ବ୍ୟତୀତ ରୁଷିଆ ଉପରେ ଲାଗିଥିବା ତେଲ ସମ୍ପର୍କିତ କଟକଣାକୁ ଏଡ଼ାଇବାରେ ସହାୟତା କରୁଥିବା ପାଞ୍ଚଟି ଦେଶକୁ ମଧ୍ୟ ଟାର୍ଗେଟ୍ କରିବାର ବ୍ୟବସ୍ଥା ଥିଲା। ରୁଷିଆରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ୫୦୦ ପ୍ରତିଶତ ଶୁଳ୍କ ବୃଦ୍ଧିର ବ୍ୟବସ୍ଥା ମଧ୍ୟ ଆଇନରେ ଉଲ୍ଲେଖ ରହିଥିଲା।
ଏହି ଶୁଳ୍କ ଧମକର ପ୍ରଭାବ ଭାରତ, ଚୀନ୍, ସ୍ଲୋଭାକିଆ, ହଙ୍ଗେରୀ ଓ ଆଜରବାଇଜାନ୍ ଭଳି ଦେଶ ଉପରେ ପଡ଼ିବାର ଆଶଙ୍କା ଥିଲା। କିନ୍ତୁ ଅକ୍ଟୋବର ୧୬ରେ ଜାରି ଏକ କାର୍ଯ୍ୟନିର୍ବାହୀ ଆଦେଶ ମାଧ୍ୟମରେ ଟ୍ରମ୍ପ ଏହି ଆଇନର କିଛି ଶୁଳ୍କ ଓ କଟକଣାକୁ ଛାଡ଼ ଦେଇଛନ୍ତି। ଟ୍ରମ୍ପ ଏହି ଆଇନର ଧାରା ୧୧୫ ଅନୁସାରେ ଛାଡ଼ ଦେବାର କ୍ଷମତା ବ୍ୟବହାର କରିଛନ୍ତି। ଯେଉଁଥିରେ ଭାରତ ବ୍ୟତୀତ ଚୀନ୍, ସ୍ଲୋଭାକିଆ, ହଙ୍ଗେରୀ ଓ ଆଜରବାଇଜାନ୍କୁ ମଧ୍ୟ ଏହି ଛାଡ଼ ମିଳିଛି। ଏହା ଆମେରିକାର ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଥିବା କହି ସେ କଂଗ୍ରେସକୁ ମଧ୍ୟ ଜଣାଇଛନ୍ତି। ତେବେ ଏହା ସବୁ ପ୍ରକାର ଆମେରିକୀୟ ଶୁଳ୍କ ଉଚ୍ଛେଦ ହେବା ନୁହେଁ, କେବଳ ଏହି ନୂଆ ଆଇନ ଅନୁସାରେ ଥିବା ନିର୍ଦ୍ଦିଷ୍ଟ ବ୍ୟବସ୍ଥାକୁ ଛାଡ଼ ମିଳିଛି। ଭବିଷ୍ୟତରେ ପରିସ୍ଥିତି ବଦଳିଲେ ଏହି ଛାଡ଼ ପୁଣି ଉଠାଇ ନିଆଯାଇପାରେ।
ତେବେ ଟ୍ରମ୍ପଙ୍କ ଏହି ପଦକ୍ଷେପ ପଛରେ ଆମେରିକାର ବଢ଼ୁଥିବା ଇନ୍ଧନ ଖର୍ଚ୍ଚ ଓ ତେଲ ଦର ମଧ୍ୟ ଏକ କାରଣ ହୋଇପାରେ। ଇରାନ୍କୁ ନେଇ ଚାଲିଥିବା ଯୁଦ୍ଧ ଯୋଗୁଁ ଶକ୍ତି ବଜାର ଉପରେ ଚାପ ବଢ଼ିଛି। ଆଗକୁ ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ଥିବାରୁ ତେଲ ଦର ବୃଦ୍ଧି ଟ୍ରମ୍ପଙ୍କ ପାଇଁ ଚିନ୍ତା ବଢ଼ାଇପାରେ। ସେପଟେ ରୁଷିଆଠାରୁ ତେଲ କିଣିବା ଭାରତର ଶକ୍ତି ସୁରକ୍ଷା ଓ ଶସ୍ତା ଇନ୍ଧନ ଯୋଗାଣ ସହ ଜଡ଼ିତ। ତେଣୁ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ସ୍ପଷ୍ଟ କରିଆସିଛି ଯେ, ୧୪୦ କୋଟିରୁ ଅଧିକ ଲୋକଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଦେଶକୁ ଉପଲବ୍ଧତା, ଦର ଓ ଯୋଗାଣର ସୁରକ୍ଷା ଦେଖି ତେଲ କିଣିବାକୁ ପଡ଼ିବ। ତେଣୁ ଟ୍ରମ୍ପଙ୍କ ନୂଆ ନିଷ୍ପତ୍ତି ଭାରତକୁ ଏବେ ଆଶ୍ୱସ୍ତି ଦେଇଥିଲେ ମଧ୍ୟ, ରୁଷିଆ ତେଲ ପ୍ରସଙ୍ଗରେ ଆମେରିକାର ନୀତି ଆଗକୁ କେଉଁ ମୋଡ଼ ନେବ, ତାହା ଉପରେ ନଜର ରହିବ।

