Latest Odisha News

ଏବେଠୁ ପଦକ୍ଷେପ ନନେଲେ ଆଗକୁ ଆର୍ଥିକ ପରିସ୍ଥିତି ଆହୁରି ଭୟଙ୍କର ହେବ: ରଘୁରାମ ରାଜନ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ଯାହା ହେଲାଣି ଏବେ ଠାରୁ ସମସ୍ତେ ସତର୍କ ହୋଇଯିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ।
ବର୍ତ୍ତମାନଦେଶର ଆର୍ଥିକ ଅଭିବୃଦ୍ଧି ହାର, ଜିଡିପି-୨୩.୯ ପ୍ରତିଶତରେ ପହଞ୍ଚିଲାଣି। ଇନଫର୍ମାଲ ସେକ୍ଟରର ସଂଖ୍ୟାକୁ ଏଥିରେ ମିଶାଇଲେ ଏହା ଆହୁରି ତଳକୁ ଖସିଯିବ।
ଏପରିକି ଭାରତର ଅର୍ଥ ବ୍ୟବସ୍ଥା ଆମେରିକା ଏବଂ ଇଟାଲୀଠାରୁ ଆହୁରି ଖରାପ ସ୍ଥିତିକୁ ଆସିଯାଇଛି ବୋଲି ଶ୍ରୀ ରାଜନ କହିଛନ୍ତି। ଏହା ଛଡ଼ା କରୋନା ମହାମାରୀ ଯୋଗୁଁ ଆମେରିକା ଏବଂ ଇଟାଲୀ ବିଶ୍ବରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।
ଯେପର୍ଯ୍ୟନ୍ତ ଟିକା ନବାହାରିଛି ସେ ପର୍ଯ୍ୟନ୍ତ ଭାରତର ଆର୍ଥିକ ସ୍ଥିତିରେ କୌଣସି ସୁଧାର ଆସିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଯେଉଁ ପ୍ୟାକେଜ ଘୋଷଣା କରିଛନ୍ତି ତାହା ପର୍ଯ୍ୟା‌ପ୍ତ ନୁହେଁ।
ଭବିଷ୍ୟତରେ ପ୍ୟାକେଜ ଦେବା ପାଇଁ ସରକାର ଚିନ୍ତା କରୁଛନ୍ତି। ସରକାରୀ ଅଧିକାରୀ ବର୍ତ୍ତମାନ ସ୍ଥିତିକୁ ଠିକ୍ ଭାବେ ଆକଳନ କରିପାରୁ ନାହାଁନ୍ତି। ଭାଇରସ୍ ନିୟନ୍ତ୍ରଣକୁ ଆସିବା ବେଳକୁ ଅର୍ଥନୀତି ବହୁତ ତଳକୁ ଖସି ସାରିଥିବ, ଏମିତିକି ପୂରା ବର୍ବାଦ ହୋଇସାରିଥିବ ବୋଲି କହିଛନ୍ତି ଶ୍ରୀ ରାଜନ।
ଯଦି ଏବେଠାରୁ ପଦକ୍ଷେପ ନିଆନଯାଏ ତେବେ ଛୋଟଛୋଟ କମ୍ପାନୀଗୁଡ଼ିକ ଧୀରେ ଧୀରେ ବନ୍ଦ ହୋଇଯିବ। ଏପରି ହେଲେ ସେଠାରେ କାମ କରୁଥିବା ହଜାର ହଜାର ଶ୍ରମିକଙ୍କ ପରିବାର ଭୋକ ଉପାସରେ ମରିଯିବେ ବୋଲି ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଆକଳନ କରିଛନ୍ତି।

Comments are closed.