ଭୁବନେଶ୍ବର: ଜାତୀୟ ରାଜପଥରେ ଦିନକୁ ଦିନ ଗାଇଗୋରୁଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗୁଛି । ଯେଉଁକାରଣରୁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ଏହାକୁ ନଜରରେ ରଖି ଭାରତୀୟ ରାଜମାର୍ଗ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ଗାଈଗୋରୁଙ୍କ ପାଇଁ ସର୍ବାଧିକ ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି ।
ଏହାପରେ ଜାତୀୟ ରାଜପଥରେ ଗୋରୁଙ୍କ ପ୍ରାଦୁର୍ଭାବ ହ୍ରାସ ପାଇଁ ଆରମ୍ଭ ହେବ ଅଭିଯାନ । ଅଗ୍ରାଧିକାର ଭିତ୍ତିରେ ୩୧୬ ନଂ ଜାତୀୟ ରାଜପଥକୁ ଗାଈଗୋରୁ ମୁକ୍ତ କରାଯିବ । ଗାଈ ଗୋରୁଙ୍କୁ ସ୍ଥାନାନ୍ତର ପାଇଁ ପୌରସଂସ୍ଥାଙ୍କୁ ଅନ୍ୟୂନ ୫ଟି ଗାଡ଼ିର ଖର୍ଚ୍ଚ ଏନ୍ଏଚ୍ଏଆଇ ପ୍ରଦାନ କରିବ। ଗୋଶାଳା ପରିଚାଳନା ପାଇଁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବ।
ଏହାପରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ସ୍ଥାନୀୟ ପୌରସଂସ୍ଥା ପକ୍ଷରୁ ସେହି ଅଞ୍ଚଳରୁ ବୁଲା ଗାଈଗୋରୁଙ୍କୁ ନିକଟସ୍ଥ ଗୋଶାଳାକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ୯୫ଟି ପଞ୍ଜିକୃତ ଗୋଶାଳାକୁ ଚିହ୍ନଟ କରାଯାଇ ଥିବାବେଳେ ବିଭାଗ ଅଧୀନରେ ଆଉ ୩୭ଟି ନିର୍ମାଣ କରାଯାଉଛି । ଯେଉଁ ସ୍ଥାନରେ ଗୋଶାଳା ନଥିବ ସେଠାରେ ପୌରସଂସ୍ଥା ପକ୍ଷରୁ ଅସ୍ଥାୟୀ ଗୋଶାଳା ନିର୍ମାଣ କରାଯିବ ।
ରାସ୍ତାରେ ଗାଈଗୋରୁଙ୍କ ଉପସ୍ଥିତି ସମ୍ପର୍କରେ ଗାଡ଼ି ଚାଳକଙ୍କୁ ସତର୍କ କରିବା ପାଇଁ ନୂଆ ଜ୍ଞାନକୌଶଳ ବିକାଶ କରାଯିବ। ସେହିପରି ଦୁର୍ଘଟଣାରେ ଆହତ ଗାଈଙ୍କ ପରିବହନ ପାଇଁ ଅଧିକ ଆମ୍ବୁଲାନ୍ସ ନିୟୋଜନ ଲାଗି ନିଷ୍ପତ୍ତି ହୋଇଛି।
Comments are closed.