Latest Odisha News

BREAKING NEWS

ଭଡା ଘରୁ ମିଳିଲା ଡାକ୍ତରଙ୍କ ମୃତ ଦେହ, ବୁଧବାର ରାତିରେ କରିଥିଲେ ଗୃହ ପ୍ରବେଶ

ବଲାଙ୍ଗୀର: ନିକଟରେ ଘର ଭଡା ନେଇଥିଲେ ରହିବାକୁ । କିନ୍ତୁ ଘରେ ରହିବାର ଚବିଶ ଘଣ୍ଟା ବିତିନି ଭଡାଟିଆଙ୍କ ମର ଶରୀର ଉଦ୍ଧାର ହୋଇଛି। ବଲାଙ୍ଗୀର ସହରରେ ଏପରି ଏକ ଘଟଣା ଘଟିଛି। ମୃତକ ଜଣଙ୍କ ପେଶାରେ ଜଣେ ଆୟୁର୍ବେଦିକ ଡାକ୍ତର। ଏବେ ତାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଟ୍ଟା ବଢ଼ିଛି।

ଆୟୁର୍ବେଦିକ ଡାକ୍ତର ରାଜ ଭରଦ୍ୱାଜ ନବରଙ୍ଗପୁରରେ କାର୍ଯ୍ୟରତ ଥିଲେ। ସେ ବଲାଙ୍ଗୀର ସହରରେ ଥିବା ରାଜୀବ ନଗରର ରାଧାଗୋବିନ୍ଦ ପଟ୍ଟନାୟକଙ୍କ ଘରକୁ ଭଡ଼ାରେ ନେଇଥିଲେ। ବୁଧବାର ସେ ଭଡା ଘରକୁ ଆସି ନିଜ ଜିନିଷ ପତ୍ର ରାତିରେ ଆଣି ରଖିଥିଲେ।

କିନ୍ତୁ ଗୁରୁବାର ଅପରାହ୍ନ ଯାଏ ଡାକ୍ତର ଘରର କବାଟ ଖୋଲି ନଥିଲେ। ଏହାପରେ ଘର ମାଲିକ ବହୁ ସମୟ ଧରି ତାଙ୍କୁ ଡାକିଥିଲେ। ସନ୍ଦେହ ବଢିବାରୁ କବାଟ ବାଡ଼େଇଥିଲେ। ହେଲେ ଏହାପରେ ବି ଘ ମାଲିକ ଭଡାଟିଆଙ୍କଠୁ କୌଣସି ଉତ୍ତର ପାଇନଥିଲେ। ତେଣୁ ସେ ବଲାଙ୍ଗୀର ଟାଉନ୍ ଥାନାକୁ ଏ ବାବଦରେ ଖବର ଦେଇଥିଲେ।

ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ପୁଲିସ ଟିମ୍ ଘରର କବାଟ ଭାଙ୍ଗିଥିଲେ। ଆଉ ବେଡ୍ ଉପରେ ଡାକ୍ତର ଭରଦ୍ୱାଜ ପଡିଥିଲେ ଦେଖିବାକୁ ମିଳିଛି। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଜଣାପଡ଼ିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତକ ଜଣଙ୍କ ଜଣେ ସୁସ୍ଥ ଲୋକ ଥିଲେ ବୋଲି ସୂଚନା ରହିଛି। ତେଣୁ କେଉଁ କାରଣ ପାଇଁ ଆୟୁର୍ବେଦିକ ଡାକ୍ତର ଜଣଙ୍କ ପ୍ରାଣ ହରାଇଲେ ସେ ନେଇ ଏବେ ଚର୍ଚ୍ଚା ବଢ଼ିଛି। ପୋଲିସ ଏବେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିବା ସୂଚନା ରହିଛି।

ମୁଖ୍ୟତଃ ରାତିରେ ଶୋଇବା ବେଳେ ଡାକ୍ତର ଜଣଙ୍କ କୌଣସି ଚାପରେ ଥିଲେ କି ନାହିଁ ପରିବାର ଲୋକଙ୍କ ସହିତ ତାଙ୍କର ସଂପର୍କ ଠିକଠାକ ଥିଲା କି ନାହଁ ଇତ୍ୟାଦି ଅନେକ ଦିଗକୁ ନେଇ ଚର୍ଚ୍ଚା ବଢ଼ିଛି।

Leave A Reply

Your email address will not be published.