ପୁରୀ:କାଳିଆରେ ..ତୋ ପାଦ ତଳେ ଆଶ୍ରୟ ଟିକିଏ ମିଳୁ.. ତୋ ମୁଖ ଚାହିଁ ଏ ଜୀବନ ଯାଉ…ଚକାଡୋଳାକୁ ଚାହିଁଦେଲେ ଭକ୍ତଟିଏ ବିଭୋର ହୋଇ ଏମିତି ମନାସିଥାଏ । ହେଲେ ଏହାର ପ୍ରତ୍ୟକ୍ଷ ଦୃଶ୍ୟ ଆଜି ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ପତିତପାବନକୁ ଚାହିଁ ପାଟ ଅଗଣାରେ ଚାଲିଗଲା ଜୀବନ । ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ପୁରୀ ଶ୍ରୀମନ୍ଦିରରେ ।
ସୁଦୂର ଆନ୍ଧ୍ର ପ୍ରଦେଶର ବିଶାଖାପଟନମରୁ ପରିବାର ସହ ଜଗା ଦର୍ଶନ ପାଇଁ ଆସିଥିଲେ ପାଖି ଦିବାକର । ଆଜି ସକାଳେ ପରିବାର ସଦସ୍ୟଙ୍କ ସହ ଶ୍ରୀମନ୍ଦିର ଯାଇଥିଲେ । ପରିବାର ଲାେକଙ୍କ କହିବା ଅନୁଯାୟୀ ଦିବାକର ମହାପ୍ରଭୁଙ୍କ ଦର୍ଶନ କରି ବିଭୋର ହୋଇ ପଡିଥିଲେ । ପରେ ଯାଇଥିଲେ ମା’ ଲକ୍ଷ୍ମୀଙ୍କ ଦର୍ଶନ ପାଇଁ । ଲକ୍ଷ୍ମୀଙ୍କ ଦର୍ଶନ ସାରି ଫେରୁଥିଲେ । ହଠାତ ଟଳି ପଡିଥିଲେ ।
ତାଙ୍କୁ ତୁରନ୍ତ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରିଛନ୍ତି ଡ୍ୟୁଟିରେ ଥିବା ଡାକ୍ତର। ତେବେ ଶବବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର ସଠିକ୍ କାରଣ ଯଣାପଡିବ। କିନ୍ତୁ ମୃତକଙ୍କ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ରାଜି ହେଉନଥିବା ଜଣାପଡିଛି।
ପରିବାର ଲାେକଙ୍କ କହିବା ଅନୁଯାୟୀ ଦିବକରଙ୍କ ବୟସ ୫୭ ବର୍ଷ ହେବ । ତାଙ୍କର କୗେଣସି ରୋଗ ଥିବାର ସୂଚନା ଦେଇ ନାହାନ୍ତି ଘର ଲୋକେ । ଦୁଇ ଦିନ ତଳେ ଆନ୍ଧ୍ରରୁ ଆସି ଏଠାରେ ପହଞ୍ଚିଥିଲେ । ଜଟଣୀରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଥିଲେ । ଏକ ମାନସିକ ରଖିଥିଲେ । ମାନସିକ ପୂରଣ ପରେ ଜଗା ଦର୍ଶନ ପାଇଁ ଆସିଥିଲେ । ହେଲେ ଶ୍ରୀମନ୍ଦିର ଭିତରେ ପାଟଅଗଣାରେ ପତିତପାବନକୁ ଚାହିଁ ଚାଲିଗଲା ତାଙ୍କ ଜୀବନ।
ହସଖୁସିରେ ପୁରୀ ବୁଲି, ଜଗା ଦର୍ଶନ କରିବାକୁ ଆସିଥିବା ପରିବାର ଲାେକେ ଏବେ ପ୍ରିୟଜନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।
Comments are closed.