Latest Odisha News

BREAKING NEWS

Special OTET Exam: ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି, ଆଇନ ଶୃଙ୍ଖଳା ନେଇ ସହଯୋଗ କରିବାକୁ ନିବେଦନ

ଭୁବନେଶ୍ୱର: ଆଗାମୀ ୨୭ ତାରିଖରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା। ଏଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ହୋଇଛି। ଆଗାମୀ ୨୭ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପରିଚାଳନାର ତଦାରଖ ଓ ଆଇନ ଶୃଂଖଳା ରକ୍ଷା ପାଇଁ ସହଯୋଗ କରିବାକୁ ଜିଲ୍ଳାପାଳମାନଙ୍କୁ ନିବେଦନ କରି ଚିଠି ଲେଖିଛନ୍ତି ବୋର୍ଡ ସମ୍ପାଦକ। ବୋର୍ଡକୁ ପଠାଯିବା ପର୍ଯ୍ୟନ୍ତ ଗୋପନୀୟ ଜିନିଷ ଗୁଡିକୁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ ଭାବେ ରଖିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ସମ୍ପାଦକ।

ଏଥିସହ କ୍ଷେତ୍ର କର୍ମଚାରୀଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେବାକୁ ଚିଠିରେ ନିବେଦନ କରାଯାଇଛି। ରାଜ୍ୟର ୧୯୩ କେନ୍ଦ୍ରରେ ପରୀକ୍ଷା ହେବ। ୧୭ ତାରିଖରୁ ବୋର୍ଡ ୱେବସାଇଟ www.bseodisha.ac.inରେ ଆଡ଼ମିଟ କାର୍ଡ ଉପଲବ୍ଧ ହେବ। ୨୭ ଯାଏ ପରୀକ୍ଷାର୍ଥୀ ଆଡ଼ମିଟ କାର୍ଡ ଡାଉନଲୋଡ୍‌ କରିପାରିବେ। ସକାଳ ୯ଟାରୁ ୧୧ଟା ୩୦ ଓ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ। ଦୁଇଟି ସିଟିଂରେ ପେପର-୧ ଓ ପେପର-୨ ପରୀକ୍ଷା ହେବ। ପୂର୍ବାହ୍ନ ୯ ଟାରୁ ୧୧ଟା ୩୦ ଯାଏଁ ପ୍ରଥମ ପତ୍ର ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ ୨ ଟାରୁ ୪ଟା ୩୦ ଯାଏଁ ଦ୍ବିତୀୟ ପତ୍ର ପରୀକ୍ଷା ହେବ।

ଓଟିଇଟି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଚୋରି ହେବାରୁ ଜୁଲାଇ ୨୦ରେ ପରୀକ୍ଷା ବାତିଲ ହୋଇଥିଲା। ତାପରେ ଓଟିଇଟି ପ୍ରଶ୍ନପତ୍ର ଚୋରିକୁ ନେଇ ଖୋଳତାଡ ପରେ ବଡ କେଳେଙ୍କାରୀ ସାମନାକୁ ଆସିଥିଲା। ପ୍ରଶ୍ନପତ୍ର ଚୋରି ପଛରେ ସମ୍ପୃକ୍ତ ଥିବା ଅଭିଯୋଗରେ ବୋର୍ଡ ଉପସଭାପତିଙ୍କ ସମେତ ପ୍ରାୟ ୮ଜଣ କର୍ମଚାରୀ ଗିରଫ ହୋଇଛନ୍ତି। ତେଣୁ ଏଥର ଶୃଂଖଳାର ସହ, ବିନା ତ୍ରୁଟିରେ ଓଟିଇଟି ପରୀକ୍ଷା ସାରିବା ବୋର୍ଡ କର୍ତ୍ତୁପକ୍ଷଙ୍କ ପାଇଁ ବଡ ଆହ୍ବାନ ପାଲଟିଛି।

Comments are closed.