Latest Odisha News

କିଏ ଅସଲି….କିଏ ନକଲି….ଜାଣିବା ମୁସ୍କିଲ୍

ଜଗତସିଂପୁର: ବିଜ୍ଞାନ କହେ ସମାନ ଚେହେରା ଥିବା କାଳେ ୭ ଜଣ ମନୁଷ୍ୟ ଏ ଦୁନିଆରେ ଅଛନ୍ତି । ସେମାନଙ୍କ ଗଢଣ ଏକାଭଳି । ସେମାନଙ୍କ ସହ ଆପଣଙ୍କର କିଛି ସଂପର୍କ ଥାଉ କି ନଥାଉ କିନ୍ତୁ ସେମାନଙ୍କ ସହ ଆପଣଙ୍କ ଚେହେରା ମିଶିଥାଏ । ଯାହାର ଅନେକ ନିଦର୍ଶନ ମଧ୍ୟ ଆମେ ଦେଖିଛୁ । ବେଳେ ବେଳେ ଏହା ଆମକୁ ଚକିତ ମଧ୍ୟ କରେ । ଏବେ ଏମିତି ଏକ ଚକିତ କଲା ଭଳି ଚେହେରା ସାମ୍ନାକୁ ଆସିଛି । ତାହା କେଉଁ ସାଧାରଣ ବ୍ୟକ୍ତିଙ୍କର ନୁହେଁ । ଖୋଦ୍ ନୂଆ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ଚରଣ ମାଝୀଙ୍କର । ଆପଣ ବି ଦେଖିଲେ ଭେଟଣା ଖାଇଯିବେ । ଆଖିମଳି ଆଉ ଥରେ ଦେଖିବେ । ପୂରା ସେଇ ଅବିକଳ ଚେହେରା । ନିରିଖେଇ ନଦେଖିଲେ ଆପଣ ବି ଜାଣିପାରିବେ ନାହିଁ ଇଏ ସତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କି ନୁହେଁ ।

ତେବେ ଅବିକଳ ମୁଖ୍ୟମନ୍ତ୍ରୀଙ୍କ ଭଳି ପୋଷାକ ପିନ୍ଧି ଚାଲୁଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଗତସିଂପୁର ଜିଲ୍ଲା ପୁଣାଙ୍ଗ ଗାଁର ଉମେଶ କୁମାର ଜେନା । ପେଶାରେ ଜଣେ ଚାହା ବିକାଳି । ହେଲେ ପୋଷାକ ଠାରୁ ଆରମ୍ଭ କରି ହେୟାର ଷ୍ଟାଇଲ୍, ରଙ୍ଗ, ଉଚ୍ଚତା ଆଉ ଗଢଣରେ ଠିକ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରି । ଖାଲି ସେତିକି ନୁହେଁ ଉମେଶ ମୁଖ୍ୟମନ୍ତ୍ରୀଙ୍କ ଭଳି ପୋଷାକ ପିନ୍ଧି ବିଭିନ୍ନ ସଭା ମହୋତ୍ସବରେ ମଧ୍ୟ ଯୋଗ ଦିଅନ୍ତି । ଏମିତିକି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ସମେତ ବିଜେପିର ଅନେକ ତୁଙ୍ଗ ନେତାଙ୍କ ସହ ସେ ଫଟୋ ବି ଉଠାଇଛନ୍ତି । ଆଉ ସବୁଠୁ କୌତୁହଳ କଥା ହେଉଛି, ଏଥର ପାରାଦୀପ ବିଶ୍ବକର୍ମାର ମୁଖ୍ୟ ଆକର୍ଷଣ ଥିଲେ ଉମେଶ । ମେଳାର ଭିଡ ଯେପରି ଉମେଶଙ୍କୁ ଘେରିକି ରହିଥିଲା । ପ୍ରକୃତରେ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାବି ତାଙ୍କ ସହ ଫଟୋ ଉଠାଇବାକୁ ଭିଡ ଜମାଇଥିଲେ ।

ତେବେ ଲୋକଙ୍କ ଏଭଳି ଭଲ ପାଇବାକୁ ନେଇ ଉମେଶ କୁହନ୍ତି, ରଥଯାତ୍ରାରେ ଏକ ବ୍ୟାନରରୁ ଲୋକେ ତାଙ୍କୁ ଜାଣିବା ଆରମ୍ଭ କରିଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କ ଭଳି ଦେଖାଯାଉଥିବାର ଲୋକେ ତାଙ୍କୁ କହିଥିଲେ । ଯାହାପରେ ସେ ମୁଖ୍ୟମନ୍ତ୍ରୀଙ୍କ ଭଳି ପୋଷାକ ପିନ୍ଧିବା ଓ ଆଚରଣ କରିବା ଆରମ୍ଭ କରିଥିଲେ । ଏଥିରେ ତାଙ୍କୁ ଖୁବ୍ ଭଲ ପାଇବା ମିଳିଲା । ଲୋକେ ସେଲଫି ନେବା ପାଇଁ ଭିଡ ବି ଜମାଇଲେ । ଆଉ ବିଜେପି ନେତା ମାନେ ମଧ୍ୟ ତାଙ୍କୁ ଦେଖି ଖୁସି ବ୍ୟକ୍ତ କଲେ । ହେଲେ ତାଙ୍କୁ ବେଳେ ବେଳେ ଏଥିରେ ଦୁଃଖ ମଧ୍ୟ ଲାଗେ କାରଣ ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବି ତାଙ୍କର ଦୁଃଖ ଜଣାନ୍ତି, ଆଉ ସେତେବେଳେ ମୁଁ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରେ ତାଙ୍କୁ ସାହାର୍ଯ୍ୟ କରିବାକୁ ବୋଲି ଉମେଶ କହିଛନ୍ତି । ଏଥିସହିତ ତାଙ୍କର ଗୋଟିଏ ଇଚ୍ଛା ଅଛି ଯେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ପ୍ରକାଶ କରିଛନ୍ତି ଉମେଶ ।

Leave A Reply

Your email address will not be published.