“ଯେତେବେଳେ ମନମୋହନ ସିଂ କଥା ହୁଅନ୍ତି, ସେତେବେଳେ ସମଗ୍ର ବିଶ୍ୱ ଶୁଣନ୍ତି”: ଓବାମାଙ୍କ ପୁସ୍ତକରେ ମନମୋହନଙ୍କ ଚର୍ଚ୍ଚା
ନୂଆଦିଲ୍ଲୀ: ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଦିଲ୍ଲୀ ଏମ୍ସରେ ୯୨ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏମ୍ସର ଏମର୍ଜେନ୍ସି ୱାର୍ଡରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରାଯାଉଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ୧୫ରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ମୃତ୍ୟୁ ପରେ ସାରା ଦେଶରେ ଏବେ ଶୋକର ଛାୟା ଖେଳିଯାଇଛି l ତେବେ ତାଙ୍କ ଜୀବନ କଲା ଭିତରେ ଏପରି ଅନେକ ଘଟଣା ଅଛି ଯାହା ଆଜି ବି ଲୋକଙ୍କ ହୃଦୟରେ ଜୀବିତ ହୋଇ ରହିଛି l ଏହି ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସ୍ମୃତି ସହିତ ଜଡିତ । ଓବାମା ତାଙ୍କ ପୁସ୍ତକ “ଏ ପ୍ରୋମିସଡ୍ ଲ୍ୟାଣ୍ଡ”ରେ ଡକ୍ଟର ମନମୋହନ ସିଂଙ୍କୁ ବହୁତ ପ୍ରଶଂସା କରିଥିଲେ।
ଜୁନ୍ ୨୦୧୦ରେ କାନାଡାରେ ଜି -୨୦ ସମ୍ମିଳନୀରେ ଡକ୍ଟର ମନମୋହନ ସିଂଙ୍କୁ ଭେଟିବା ପରେ ବାରାକ ଓବାମା କହିଥିଲେ ଯେ “ଯେତେବେଳେ ମନମୋହନ ସିଂ କଥା ହୁଅନ୍ତି, ସେତେବେଳେ ସମଗ୍ର ବିଶ୍ୱ ଶୁଣନ୍ତି।” ନଭେମ୍ବର ୨୦୨୦ ରେ ପ୍ରକାଶିତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପୁସ୍ତକ “ଏ ପ୍ରୋମିସଡ୍ ଲ୍ୟାଣ୍ଡ”ରେ ତାଙ୍କର ପ୍ରଥମ ଭାରତ ଗସ୍ତ ଏବଂ ଡକ୍ଟର ମନମୋହନ ସିଂଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ଉଲ୍ଲେଖ ରହିଛି। ଏହି ପୁସ୍ତକର ମନମୋହନଙ୍କ ରାଜନୈତିକ ଜୀବନ ଉପରେ ଆଧାରିତ ସ୍ମୃତିର ପ୍ରଥମ ଭାଗ l ଏହି ପୁସ୍ତକରେ ନଭେମ୍ବର ୨୦୧୦ରେ ଭାରତ ଗସ୍ତ ସମୟରେ ଘଟିଥିବା ଘଟଣା ଏବଂ ଆଲୋଚନା ବିଷୟରେ ବିସ୍ତୃତ ଭାବରେ ଲେଖାଯାଇଛି। ପୁସ୍ତକରେ ଓବାମା ଡକ୍ଟର ମନମୋହନ ସିଂଙ୍କୁ ଭାରତର ଅର୍ଥନୈତିକ ପରିବର୍ତ୍ତନର ମୁଖ୍ୟ ସ୍ଥପତି ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଜଣେ ବୁଦ୍ଧିମାନ, ଚିନ୍ତନଶୀଳ ତଥା ବିଶ୍ୱସ୍ତ ନେତା ବୋଲି କହିଥିଲେ।
ଏହି ପୁସ୍ତକର ଆଉ ଏକ ଆଲେଖ୍ୟରେ ବାରାକ ଓବାମା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ପାକିସ୍ତାନ ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ ଓ ମନମୋହନଙ୍କର ମୁସଲିମ ତୁଷ୍ଟୀକରଣ ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ ଲେଖିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀଙ୍କର ୨୬/୧୧ ଆକ୍ରମଣ ପରେ ଭାରତରେ ପାକିସ୍ତାନ ବିରୋଧୀ ସ୍ୱର ଏକଦମ ଜୋର ଧରିଥିଲା । ତେବେ ଏସବୁ ସତ୍ତ୍ୱେ ମଧ୍ୟ କେନ୍ଦ୍ରଶାସିତ କଂଗ୍ରେସ ପାକିସ୍ତାନ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ବିଜେପି ପ୍ରଭାବ ଦେଶରେ ମୁସଲିମ୍ ବିରୋଧୀ ସ୍ୱର ତୀବ୍ର କରିଥିଲେ ମଧ୍ୟ ମନମୋହନ ସିଂହ କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ମନମୋହନଙ୍କର ବୁଝିଥିଲେ ଯେ, ପାକିସ୍ତାନ ବିରୋଧୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଦେଶରେ ମୁସଲିମ୍ ବିରୋଧୀ ବିଦ୍ୱେଷ ଭାବ ବଢିବାର ଅଶଙ୍କା ଅଛି । ତେଣୁ ପାକିସ୍ତାନରେ ଉପରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ସେ ନଥିଲେ । ମନମୋହନଙ୍କର ଏହି ନିଷ୍ପତ୍ତି ପାଇଁ ତାଙ୍କୁ ଅନେକ ରାଜନୈତିକ କ୍ଷତି ମଧ୍ୟ ସହିବାକୁ ପଡିଛି ବୋଲି ପୁସ୍ତକରେ ଉଲ୍ଲେଖ କରିଥିଲେ ଓବାମା l
ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ବାରାକ ଓବାମା ତାଙ୍କ ଆତ୍ମଜୀବନୀ “ଏ ପ୍ରୋମିସଡ୍ ଲ୍ୟାଣ୍ଡ” ଲେଖି ନିଜର ଅନୁଭୂତି ବାଣ୍ଟିଥିଲେ । ଏହି ପୁସ୍ତକ ଭାରତରେ ମଧ୍ୟ ଖୁବ ଚର୍ଚ୍ଚା ସାଉଁଟିଥିଲା, କାରଣ ଏହି ପୁସ୍ତକ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟ କେତେକଙ୍କ ବିଷୟରେ ଉଲ୍ଲେଖ କରାଯାଇଥିଲା ।