Latest Odisha News

ନାବାଳକ ମୁଣ୍ଡରେ ସଂସାର ବୋଝ; ମୂର୍ତ୍ତି ଗଢ଼ି ଚଳାଉଛନ୍ତି ପରିବାର

କାମାକ୍ଷାନଗର: ଆଖିରେ ଉଙ୍କି ମାରୁଛି ନୂଆ ସମ୍ଭାବନା । ଅନେକ ସ୍ୱପ୍ନ। ଆକାଂକ୍ଷା ନେଇ ଛାତିର କୋହକୁ ଚାପି ଦେଇ ବାଟ ଚାଲୁଛି ୧୬ ବର୍ଷର ନାବାଳକ । ମୁଣ୍ଡ ଉପରେ ପାଞ୍ଚ ପ୍ରାଣୀ କୁଟୁମ୍ବ । ଅଭାବ ଭିତରେ ଚାପି ହୋଇଯାଇଛି ବାଳୁତର ଭବିଷ୍ୟତ । ତଥାପି ହାର ମାନିନାହିଁ ।  ଆଉ ସେମାନଙ୍କ ମୁହଁରେ ଆହାର ଦେଉଛି ଡବ୍ଲ୍ୟୁ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଲିଗୋରଡ଼ ପଂଚାୟତ ଅନ୍ତର୍ଗତ ତାଳଗୋରଡ଼ ଗାଁର ୧୬ ବର୍ଷୀୟ ବାଳକ ଡବ୍ଲ୍ୟୁ ସିଂହ । ବାପା କାଳିଆ ସିଂହ ଓ ମାଆ ଉପାସି ସିଂହଙ୍କ ମଝିଆ ପୁଅ ହେଉଛନ୍ତି ଡବ୍ଲ୍ୟୁ । ବାପା ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ସେଥିରେ ପରିବାର ପ୍ରତିପୋଷଣ କରିବା ବହୁ କଷ୍ଟକର ହୋଇ ପଡିଛି । ବାପା ମାଆଙ୍କ କଷ୍ଟକୁ ଲାଘବ କରିବା ପାଇଁ କଣ୍ଢେଇ ଗଢ଼ା କାର୍ଯ୍ୟରେ ଲାଗି ପଡିଛନ୍ତି ଡବ୍ଲ୍ୟୁ।

ଯେଉଁ ବୟସରେ କଣ୍ଢେଇ ସହିତ ଖେଳିବା କଥା ସେହି ବୟସରେ କଣ୍ଢେଇ ଗଢି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି । କଞ୍ଚା ମାଟିରେ ସୁନ୍ଦର ସୁନ୍ଦର ମୂର୍ତ୍ତି,କଣ୍ଢେଇ ଗଢୁଛନ୍ତି ଡବ୍ଲ୍ୟୁ । କେବଳ ସେତିକି ନୁହେଁ ବରଂ ନଡ଼ା ଓ ଦଉଡି ଭିଡି ଗଣେଶ, ସରସ୍ୱତୀ, ଲକ୍ଷ୍ମୀ, କାର୍ତ୍ତିକ, କୃଷ୍ଣଙ୍କ ଭଳି ବଡ଼ ବଡ଼ ଦେବାଦେବୀଙ୍କ ମାଟିର ମୂର୍ତ୍ତି ତିଆରି କରୁଛନ୍ତି । ଯାହା ଅଞ୍ଚଳରେ ବେଶ ପ୍ରସଂଶା ସାଉଁଟିଛନ୍ତି । ପାଠ ପଢିବା ପାଇଁ ଇଚ୍ଛା ଥିଲେ ସୁଦ୍ଧା ପରିବାରର କଷ୍ଟ ତାଙ୍କୁ ବହୁତ ପ୍ରଭାବିତ କରିଛି । ଗାଁର ବରିଷ୍ଠ ମୂର୍ତ୍ତି ଓ କଣ୍ଢେଇ କାରିଗର ବାଜିଆ ସେନାପତିଙ୍କ ନିକଟକୁ ଯାଇ ମୂର୍ତ୍ତି ଓ କଣ୍ଢେଇ ଗଢ଼ା କାର୍ଯ୍ୟ ଶିଖିଥିଲେ ଡବ୍ଲ୍ୟୁ ।

କଣ୍ଢେଇ ଓ ମୂର୍ତ୍ତି ତିଆରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି କୁନି କାରିଗର ଡବ୍ଲ୍ୟୁ ସିଂହ । ଏତେ କମ୍‌ ବୟସରେ ପ୍ରତିଭାକୁ ନେଇ କାର୍ଯ୍ୟ କରିବା ବେଶ୍‌ ପ୍ରଶଂସାଯୋଗ୍ୟ । ଏଥିପାଇଁ ସରକାରଙ୍କ ସ୍ତରରେ ବିଭିନ୍ନ ପ୍ରକାରର ସହଯୋଗ କରିବାର ବ୍ୟବସ୍ଥା ରହିଛି । ଯାହା ଡବ୍ଲ୍ୟୁକୁ ସହଯୋଗ କରାଯାଇପାରିବ ବୋଲି ଆଶା ରଖିଛନ୍ତି ପରିବାର । ଡବ୍ଲ୍ୟୁଙ୍କ କାର୍ଯ୍ୟକୁ ନେଇ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ତାଙ୍କର ପାଠ ପଢାରେ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ।

ଡବ୍ଲ୍ୟୁଙ୍କ ଇଚ୍ଛା ଶକ୍ତି ଓ ପରିଶ୍ରମ ତାଙ୍କୁ ନୂଆ ଏକ ସମ୍ଭାବନା ଆଡକୁ ଟାଣି ନେଇଛି । ତେବେ ବାଳୁତ କାରିଗର ପ୍ରତି ସରକାର କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ହିଁ ଅପେକ୍ଷା ।

Comments are closed.