Latest Odisha News

ମୁଖ୍ୟମନ୍ତ୍ରୀ ଯାହାକୁ ଚାହିଁବେ ଆମେ ସମର୍ଥନ କରିବୁ: ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା ପରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନବ ଦାସଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଥିବାରୁ ସମସ୍ତଙ୍କ ନଜର ରହିଛି ବିଜେଡି ଉପରେ । ଆଜି ଉପନିର୍ବାଚନ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ଦୀପାଳି ।

ଦୀପାଳୀ ଦାସ କହିଛନ୍ତି, ଜାନୁଆରୀ ୨୯ ଠିକ୍ ଏହି ସମୟରେ ମୋ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ତାଙ୍କ ସ୍ଥାନ ପୂରଣ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ବାପାଙ୍କ ଆଶୀର୍ବାଦ ଆମ ପରିବାର ଉପରେ ଅଛି । ଭାବୁଛୁ ଆମ ପରିବାରରୁ ଛିଡ଼ା ହେବୁ । ମୁଖ୍ୟମନ୍ତ୍ରୀ ଯାହାକୁ ଚାହିଁବେ ଆମ ପୂରା ପରିବାର ସମର୍ଥନ କରିବ ବୋଲି କହିଛନ୍ତି ଦୀପାଳି ଦାସ ।

ବାପାଙ୍କ ହାତ ଭଳି ମୁଖ୍ୟମନ୍ତ୍ରୀଙ୍କ ହାତ ଆମ ଉପରେ ଅଛି । ଉପନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ଆମେ ପ୍ରସ୍ତୁତ ହୋଇ ଲଢ଼ିବୁ । ଆମ ପରିବାରରୁ ଯାହାକୁ ନିର୍ଦ୍ଦେଶ ଦେବେ ଆମେ ଲଢ଼ିବୁ ବୋଲି ଦୀପାଳି କହିଛନ୍ତି । ସେହିଭଳି ନବଙ୍କ ପୁଅ ବିଶାଲ ଦାସ କହିଛନ୍ତି, କେବେ ଭାବି ନଥିଲୁ ଉପନିର୍ବାଚନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ଆମ ପରିବାର ସମର୍ଥନ ଦେବ ।

ଝାରସୁଗୁ଼ଡ଼ା ଉପନିର୍ବାଚନ ଲାଗି ଏପ୍ରିଲ୍ ୧୩ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏପ୍ରିଲ୍ ୨୦ ତାରିଖ ନାମାଙ୍କନର ଶେଷ ଦିନ ରହିଥିବା ବେଳେ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଯାଞ୍ଚ, ୨୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ । ମେ ୧୦ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମେ ୧୩ ତାରିଖରେ ଭୋଟ୍ ଗଣତି ହେବ ।

ଜାନୁଆରୀ ୨୯ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଗାନ୍ଧୀ ଛକରେ ନବ ଦାସ କାରରୁ ଓହ୍ଲାଇବା ବେଳେ ଅତି ନିକଟରୁ ସର୍ଭିସ ବନ୍ଧୁକରୁ ଗୁଳି କରିଥିଲେ ଏଏସ୍ଆଇ ଗୋପାଳ ଦାସ । ପରେ ନବଙ୍କୁ ଝାରସୁଗୁଡ଼ାରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲରେ ଭର୍ତ୍ତି କରାଯାଇ ଅସ୍ତ୍ରୋପଚାର କରାଯାଇଥିବା ବେଳେ ନବଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.