ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଟାଇଟଲ ଜିତି ଟିମ୍ ଇଣ୍ଡିଆ ନବମ ଥର ପାଇଁ ବିଜେତା ହୋଇଛି। ତେବେ ଫାଇନା ରେ ଇଣ୍ଡିଆ ସହ ପାକିସ୍ତାନର ମୁକାବିଲା ହୋଇଥିଲା। ଯେଉଁଥିରେ ପାକିସ୍ତାନ ହାରର ସାମ୍ନା କରିଥିଲା।
ତେବେ ପରାଜୟକୁ ସହଜରେ ଗ୍ରହଣ କରି ନପାରି ପାକିସ୍ତାନ ଅଧିନାୟକ ସଲମାନ ଆଗା ରନର୍ସ-ଅପ୍ ପାଇଁ ପାଇଥିବା ଚେକ୍ କୁ ତଳେ ଫିଙ୍ଗି ଦେଇଥିଲେ। ଯାହାର ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମ୍ୟାଚ୍ ପରେ ପ୍ରେଜେଣ୍ଟେସନ୍ ସମାରୋହ ସମୟରେ ଆଗା ଏସୀୟ କ୍ରିକେଟ୍ ପରିଷଦ (ଏସିସି) ପ୍ରତିନିଧି ଅମିନୁଲ ଇସଲାମଙ୍କଠାରୁ ରନର୍ସ-ଅପ୍ ଚେକ୍ ପାଇବା ପରେ ଏପରି କରିଥିବାର ଭିଡିଓରେ ସ୍ପଷ୍ଟ ଦେଖାଯାଉଛି।
ପରାଜୟ ପରେ ସଲମାନ ଆଗା କହିଥିଲେ ଯେ ଏହାକୁ ସହ୍ୟ କରିବା କଷ୍ଟକର ଏବଂ ପାକିସ୍ତାନ ଦଳ ଭଲ ବ୍ୟାଟିଂ କରିପାରିନଥିଲା। କିନ୍ତୁ ବୋଲିଂରେ ଉନ୍ନତ ପ୍ରଦର୍ଶନ କରିବା ସତ୍ୱେ ମଧ୍ୟ ଯାହା ଚାହିଁଥିଲୁ ତାହା କରିପାରିଲୁ ନାହିଁ ବୋଲି ସେ କହିଥିଲେ।
ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଏବଂ ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭିଙ୍କ ଠାରୁ ଭାରତ ଟ୍ରଫି ଗ୍ରହଣ କରିବାକୁ ମନା କରିବା ପରେ ଭାରତୀୟ ଦଳକୁ ଏସିଆ କପ୍ ପ୍ରଦାନ କରାଯାଇନଥିଲା। ଯାହାକୁ ନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ସର୍ବଦା ବିଜୟୀ ଦଳକୁ ମନେ ରଖାଯାଏ ଟ୍ରଫିକୁ ନୁହେଁ। ଏହାକୁ ନେଇ ସେ X ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତ ଦ୍ଵାରା ଅପରେସନ ସିନ୍ଦୁର ପରେ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଦୁଇ ଦଳ ମଧ୍ୟରେ ଉତ୍ତେଜନା ରହିଥିଲା। ତେବେ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର କହିଥିଲେ, କୌଣସି ବିଜୟୀ ଦଳକୁ ଟ୍ରଫି ପ୍ରଦାନ ନ କରିବା ଭଳି ଦୃଶ୍ୟ ସେ ଆଜି ପର୍ଯ୍ୟନ୍ତ ଦେଖିନାହାନ୍ତି। ଏଥିସହିତ ତାଙ୍କ ପାଇଁ ଖେଳାଳି ଏବଂ ସହାୟକ କର୍ମଚାରୀ ହିଁ ପ୍ରକୃତ ଟ୍ରଫି ବୋଲି ସେ କହିଥିଲେ।
ଭାରତୀୟ ଦଳ ଦୁବାଇରେ ନକଭିଙ୍କ ଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରିବା ପରେ ଚାମ୍ପିଅନ ଦଳକୁ ଟ୍ରଫି ପ୍ରଦାନ ନ କରିବା ନେଇ ଏସୀୟ କ୍ରିକେଟ ପରିଷଦ ମୁଖ୍ୟ ମୋହସିନଙ୍କ ବିରୁଦ୍ଧରେ ନଭେମ୍ବରରେ ଆଇସିସିର ପରବର୍ତ୍ତୀ ବୈଠକ ବସିବ ବୋଲି ଜଣାପଡ଼ିଛି। ସେଠାରେ BCCI ଏହାକୁ କଡା ବିରୋଧ କରିବା ନେଇ ସୂତ୍ରରୁ ଜଣାପଡ଼ିଛି।ତେବେ BCCI ସଚିବ ଦେବଜିତ ସାଇକିଆ ସୂର୍ଯ୍ୟକୁମାରଙ୍କୁ ସମର୍ଥନ ଜଣାଇ କହିଛନ୍ତି ଯେ ଭାରତୀୟ ଦଳ ଦେଶ ବିରୁଦ୍ଧରେ ଯୁଦ୍ଧ କରୁଥିବା ବ୍ୟକ୍ତିଙ୍କଠାରୁ ଟ୍ରଫି ଗ୍ରହଣ କରିପାରିବ ନାହିଁ।
Comments are closed.