Latest Odisha News

“ଗାଁ ଛାଡ଼ିବୁ ନାହିଁ, ଦଶଟି ଜନ ଆନ୍ଦୋଳନର ଗାଥା”- ମାଟିକୁ ବଞ୍ଚାଇବା ଲାଗି ଓଡିଆ ଲୋକଙ୍କ ରକ୍ତ ଓ ଝାଳର ଇତିହାସ

……………………………….

ବହି- ଗାଁ ଛାଡ଼ିବୁ ନାହିଁ, ଦଶଟି ଜନ ଆନ୍ଦୋଳନର ଗାଥା

ଲେଖକ- ନିଗମାନନ୍ଦ ଷଡଙ୍ଗୀ-ରଞ୍ଜନା ପାଢୀ

ପ୍ରକାଶକ – ମାନବ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର

ମୂଲ୍ୟ-୨୯୫ଟଙ୍କା,

…………………………………………………………….

ଇତିହାସର ବିଡମ୍ବନା ହେଉଛି, ଇତିହାସ ଗଢିଥିବା ଲୋକମାନଙ୍କର କଥା ସେଥିରେ ଲେଖା ହୁଏନାହିଁଇତିହାସ କ୍ଷମତାର କଥା କହେ, ଆଉ କ୍ଷମତା ବାହାରେ ଥିବା ଜନତା, ଇତିହାସ ବାହାରେ ସବୁବେଳେ ରହିଯାଆନ୍ତିଇତିହାସ ବାହାରେ ରହୁଥିବା ଜନତାଙ୍କ କଥା ଲେଖିବାକୁ ଗତ କିଛି ବର୍ଷ ଭିତରେ ସଚେତନ ପ୍ରୟାସ ହୋଇଛି, ଯାହାକୁ ଆମେ କହୁଛୁ “ସବଅଲ୍ଟର୍ଣ୍ଣ”। ଏହି ଇତିହାସରେ ସବୁଠୁ ପଛଧାଡିରେ ଠିଆ ହୋଇଥିବା ଲୋକଙ୍କ ସ୍ଵର ସାମିଲ ଥାଏ। ଓଡିଶାର ଇତିହାସ ରଚନା କ୍ଷେତ୍ରରେ “ସବଅଲ୍ଟର୍ଣ୍ଣ” ଏକ ତତ୍ତ୍ଵ ଭାବରେ ଯଦିଓ ରହିଛି, ଏହାର ପ୍ରୟୋଗ ଆମେ କ୍ଵଚିତ ଦେଖିଛୁ। ଓଡିଶା ଇତିହାସର ରଚନା ପ୍ରକ୍ରିୟା ଆଜି ମଧ୍ୟ ବଡଭାଗ ସେଇ ପାରମ୍ପରିକ ରାଜପ୍ରଶସ୍ତି ଓ ଶିଳାଲେଖା ଭିତରେ ସୀମିତ।

ଆମର ଏକାଡେମିକ ଇତିହାସ ବେଶ ସମୃଦ୍ଧ। ହେଲେ ଏକାଡେମିକ ଇତିହାସରେ ଲୋକଙ୍କ ଝାଳ ଓ ରକ୍ତର କଥା ଦେଖିବାକୁ ମିଳିନାହିଁସବୁଠୁ ଚିନ୍ତାର ବିଷୟ ହେଉଛି, ଓଡିଶାରେ ସ୍ବାଧିନତା ପରବର୍ତ୍ତୀ ରାଜନୀତି, ଅର୍ଥନୀତି, ଲୋକଜୀବନ ଓ ସାଂସ୍କୃତିକ ଧାରାକୁ ନେଇ ବିଧିବଦ୍ଧ ଗବେଷଣା ଯଥେଷ୍ଟ କମ। ସେଇ ବୌଦ୍ଧିକ ଅଭାବୀ କାଳରେ ପ୍ରଥମ ଥର ଲାଗି ସ୍ଵାଧୀନତା ପରବର୍ତ୍ତୀ ଓଡିଶାରେ ଲୋକଙ୍କ ପ୍ରତିବାଦର ଏକ ସତ୍ୟନିଷ୍ଠ ଇତିହାସ ଲେଖିବାର ପ୍ରୟାସ ହୋଇଛି। ସବୁଠୁ ବଡ କଥା ହେଉଛି, ଏହି ଇତିହାସର ଲେଖକ ଦ୍ୱୟ ରଞ୍ଜନା ପାଢୀ ଓ ନିଗମାନନ୍ଦ ଷଡଙ୍ଗୀ ଆଦୌ ପେଷାଦାର ଐତିହାସିକ ନୁହନ୍ତିଏକାଡେମିକ୍ସ ବାହାରେରହି ଇତିହାସ ଖୋଜିବାର ଏବଂ ଲେଖିବାର ଏହା ଏକ ସଫଳ ପ୍ରୟାସ। ଯେତେବେଳେ ଆମର ଇତିହାସ ଅଧ୍ୟାପକମାନେ ଆଜି ମଧ୍ୟ ରାଜା ଓ ରାଜକବିଙ୍କ ଇତିହାସ ଲେଖୁଛନ୍ତି, ସେତେବେଳେ ଲୋକଙ୍କ ମାଟି ଓ ଜୀବନ ସଂଗ୍ରାମକୁ ନେଇ ଗବେଷଣା କରିବା ଓ ଏକ ସତ୍ୟନିଷ୍ଠ ବହି ଲେଖିବା, ଏକ ଐତିହାସିକ ସାହସ ନିଶ୍ଚୟ।   

“ଗାଁ ଛାଡ଼ିବୁ ନାହିଁ; ଦଶଟି ଜଣ ଆନ୍ଦୋଳନର କଥା” ୩୭୨ ପୃଷ୍ଠାର ଏକ ବହିସ୍ଵାଧୀନତା ପରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଏକ ବିଶାଳ ଅଞ୍ଚଳକୁ ଜଳମଗ୍ନ କରି ଆଧୁନିକ ବିକାଶର ମନ୍ଦିର ଭାବରେ ଯେଉଁ ହୀରାକୁଦ ବନ୍ଧର ନିର୍ମାଣ କରାଗଲା, ସେଇ ବନ୍ଧ ତଳେ ପୋତି ହୋଇଥିବା ଗାଁ ସବୁ ଓ ସେ ଗାଁର ଲୋକମାନେ ଆମ ଇତିହାସରେ ବା ସ୍ମୃତିରେ ଆଉ ନାହାନ୍ତିସେଇ ସମାନ କଥା ରେଙ୍ଗାଲି କିମ୍ବା ଚିଲିକାରେ ବି ଘଟିଛିନିଜ ଭିଟାମାଟିର ସୁରକ୍ଷା ଲାଗି ଲୋକ ରକଟା ବୁହାଇଛନ୍ତି।  ଏଇ ବହିରେ ଲୋକଙ୍କର ସ୍ମୃତି, ସାହିତ୍ୟ, ତଥ୍ୟ ଏବଂ ସରକାରୀ ନଥିପତ୍ରର ବିବରଣୀ କେବଳ ନାହିଁ, ସେ ସବୁର ଗଭୀର ବିଶ୍ଳେଷଣ ରହିଛି

ଏ ବହିର ଦୁଇଟି ମୌଳିକ ବିନ୍ଦୁ- ଗଣତନ୍ତ୍ର ଓ କ୍ଷମତା। ସ୍ଵାଧୀନତା ପାଇଲା ପରେ ଆମେ ଯେଉଁ ଗଣତାନ୍ତ୍ରିକ ସମ୍ବିଧାନକୁ ଆମ ପାଇଁ ବାଛିଲୁ, ତାର ପ୍ରୟୋଗ ସାଧାରଣ ଜନତା ସ୍ତରରେ କେମିତି ହେଲା, ଏ ବହି ତାର ଏକ ପର୍ୟବେକ୍ଷଣପଚାଶ ଦଶକରୁ ଆଜି ଯାଏଁ ଯେଉଁମାନେ କ୍ଷମତାରେ ରହିଛନ୍ତି, ସେମାନେ ଲୋକଙ୍କ ଭୋଟ ପାଇ ରାଜୁତି କରିଛନ୍ତି, ହେଲେ ସେମାନେ ଲୋକଙ୍କ କଥା ଶୁଣିଛନ୍ତି କି? ଏ ବହି ଗଣତନ୍ତ୍ରର ପ୍ରୟୋଗଶାଳା କୁ ନେଇ ଏକ ପ୍ରୟୋଗ ବୋଲି ଆମେ କହିପାରିବା

ହୀରାକୁଦ, ରେଙ୍ଗାଲି, ଚିଲିକା, ଗନ୍ଧମାର୍ଦ୍ଦନ, ବାଲିଆପାଳ, ଗୋପାଳପୁର,କଳିଙ୍ଗ ନଗର, କାଶୀପୁର, ନିୟମଗିରି ଓ ଢିଙ୍କିଆ, ଏଇ ଦଶଟି ଜନ ଆଂଦୋଳନର ସାଧାରଣ ସୂତ୍ର ହେଉଛି, ପ୍ରତିବାଦର ଗଣତାନ୍ତ୍ରିକ ଚେହେରା। ସବୁଠୁ ବେଶୀ କ୍ଷମତା ଓ ପୁଞ୍ଜି ଥିବା ଲୋକଙ୍କ ବିରୋଧରେ ସବୁଠୁ ଗରିବ ଓ କ୍ଷମତାହୀନ ଲୋକଙ୍କର ସଙ୍ଘର୍ଷର କାହାଣୀ ଏହି ଦଶଟି ଆନ୍ଦୋଳନରେ ରହିଛି। ଏଇ ଲୋକମାନଙ୍କର ପ୍ରତିବାଦ ସହିତ ଆମ ଗଣତନ୍ତ୍ରର ଭବିଷ୍ୟତ ଜଡିତ। ଦଶଟି ଆନ୍ଦୋଳନରୁ କେଉଁଠି ଲୋକେ ଜିତିଛନ୍ତି, ଆଉ କେଉଁଠି କମ୍ପାନୀ ବା ସରକାର। ହେଲେ, ପ୍ରତିଟି ଆନ୍ଦୋଳନରେ ଗଣତନ୍ତ୍ର ଓ ସମ୍ବିଧାନର ମୌଳିକ ସିଦ୍ଧାନ୍ତର ପରୀକ୍ଷା ହୋଇଛି। ସାଧାରଣ ଜନତାର ରାଜନୀତି ଓ କ୍ଷମତା ରାଜନୀତି ମଧ୍ୟରେ ଗତ ସତୁରୀ ବର୍ଷ ଧରି ଘଟିଥିବା ସଙ୍ଘର୍ଷର କାହାଣୀ ଆମେ ଏ ବହିରେ ପାଇବା।

 

Comments are closed.