Latest Odisha News

ମରିଚି କୁଣ୍ଡ ପାଣି: ୧ଲକ୍ଷ ୭୭ହଜାର ଟଙ୍କାରେ ନିଲାମ ହେଲା ୨ କଳସ

ଭୁବନେଶ୍ୱର : ସରିଛି ରୁକୁଣା ରଥ ପ୍ରତିଷ୍ଠା। ମହାଖଳାରେ ଠିଆ ହୋଇଥିବା ରଥରେନେତ ବନ୍ଧା ହେବା ସହିତ ମରୀଚି କୁଣ୍ଡର ଜଳରେ ପ୍ରତିଷ୍ଠା କରାଯାଇଛି। ଶନିବାର ବିଧି ଅନୁସାରେ ପୂଜାର୍ଚ୍ଚନା ହେବା ପରେ ରଥରେ ସଖି, ଘୋଡା ଯୋଚା ଯାଇଛି। ପବିତ୍ର ଅଶୋକାଷ୍ଟମୀରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବେଶ ଜାକଜମକରେ କରାଯିବାର ସମସ୍ତ ପ୍ରସ୍ତୁତି ହୋଇଛି।

ସେପଟେ  ଗୋଟିଏ କଳସୀ ପାଣିର ଦାମ ଏକ ଲକ୍ଷେ ଟଙ୍କାରୁ ଅଧିକ ।  ରାଜଧାନୀସ୍ଥିତ ମୁକ୍ତେଶ୍ୱର ମନ୍ଦିରର ମରିଚି କୁଣ୍ଡ ପାଣିର ପ୍ରଥମ କଳସ ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମି ହୋଇଛି । ରାତି ୧୨ଟାରେ ଆରମ୍ଭ ହୋଇଥିଲା ଏହି ନିଲାମି ପ୍ରକ୍ରିୟା । ୨୫ ହଜାର ଟଙ୍କାରେ ଧାର୍ଯ୍ୟ ହୋଇଥିଲା ପ୍ରଥମ କଳସିର ଦାମ । ପ୍ରଥମ କଳସୀ ପାଣି ନେବା ପାଇଁ ଦୁଇ ପରିବାର ଭିତରେ ଚାଲିଥିଲା ପ୍ରତିଯୋଗିତା ।

୨୫ ହଜାରରୁ ଆରମ୍ଭ ହୋଇ ପ୍ରଥମ କଳସ ପାଣିକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ଭୁବନେଶ୍ୱରର ସୁନନ୍ଦା ପ୍ରଧାନ ଓ ବିରଞ୍ଚି ପ୍ରଧାନ ନିଲାମ ଡାକିଥିଲେ। ସେହି ଭଳି ଦ୍ୱିତୀୟ କଳସ ପାଣି ୧୫୦୦୦ ରୁ ଆରମ୍ଭ ହୋଇ ୪୭୦୦୦ ଟଙ୍କାରେ ଭୁବନେଶ୍ୱର ସରକନ୍ତରା ବାହାଦଳପୁର ଅଞ୍ଚଳର ଦମ୍ପତ୍ତି ସୁଶାନ୍ତ ସାହୁ ଓ ଲିପିନା ସାହୁ ନିଲାମ ନେଇଛନ୍ତି ।

୩ୟ କଳସୀ ପାଇଁ ୧୧ ହଜାରରୁ ନିଲାମ ଆରମ୍ଭ ହୋଇଥିଲାବେଳେ ୧୭ ହଜାରରେ ନିଲାମ ଧରିଥିଲେ ଶ୍ରଦ୍ଧାଳୁ ।  ମରିଚି କୁଣ୍ଡ ପାଣି ନେବା ପରେ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଉଭୟ ସ୍ବାମୀ ସ୍ତ୍ରୀ ସ୍ନାନ କରିବାର ବିଧି ରହିଛି । ଏହାପରେ ମନ୍ଦିର ବେଢାରେ ହୋମର ଆୟୋଜନ କରାଯାଇଥିଲା ।

ମଲିଆ ନିଯୋଗ, ବଡ଼ୁ ନିଯୋଗରୁ ନେଇ ସମସ୍ତ ନିଯୋଗ ଯୋଗ ଦେଲା ପରେ ପାଣି ପ୍ରତିଷ୍ଠା ହୋଇଥାଏ। ମଲିଆ ନିଯୋଗ ସେବାୟତ ମରିଚି କୁଣ୍ଡରୁ ଜଳ ଆଣି ଦେଇଥାନ୍ତି । ସମ୍ପୁର୍ଣ୍ଣ ମରିଚୀ କୁଣ୍ଡର ମାଲିକଙ୍କ ବ୍ୟତୀତ ଆଉ କେହି ବି ଜଳକୁ ସ୍ପର୍ଶ କରନ୍ତି ନାହିଁ।

ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ପୂର୍ବ ରାତି ଏଭଳି ବିଧି ରହିଛି  । ଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ପାଇଁ ମରିଚି କୁଣ୍ଡ ପାଣି ଯାଇଥିଲା । ରାତି ପ୍ରାୟ ୧୧ଟାରେ ମରିଚିକୁଣ୍ଡ ପାଣି ରଥ ପ୍ରତିଷ୍ଠା ପାଇଁ ଯାଇଥିଲା । ଏହା ପରେ ପରେ ପରମ୍ପରା ଅନୁଯାୟୀ ମଧ୍ୟ ରାତିରୁ ମରିଚି କୁଣ୍ଡ ପାଣି ନିଲାମ ହୋଇଥିଲା । ଏହି ପାଣିରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୁଏ ବୋଲି ଅନେଙ୍କର ବିଶ୍ବାସ ରହିଛି । ସେଥିପାଇଁ ରୁକୁଣା ରଥଯାତ୍ରାର ପୂର୍ବ ରାତିରେ ମରିଚି କୁଣ୍ଡ ପାଣି ନେବ ପାଇଁ ଚାହିଁ ବସିଥାନ୍ତି ଶ୍ରଦ୍ଧାଳୁ ।

Comments are closed.