ସିଏ ମତେ ବାସିରେ ପଚାରେନି
ଅଥଚ ସେ ମୋ ଧମନୀରେ ରକ୍ତ ହୋଇ ବୋହୁଥାଏ ପ୍ରତି ମୂହୂର୍ତ୍ତରେ…
ତା କଥା ବେଶୀ ବେଶୀ ଭାବିଲେ
ମୋତେ ଉଦାସ୍ ଉଦାସ୍ ଲାଗେ
ମୁଁ ଅଗଣାରେ ମସିଣା ପାରି ଆକାଶକୁ ଚାହିଁ ପଡିରହେ …
ଆକାଶରେ ମେଘଖଣ୍ଡ ଆଉ ଜହ୍ନର ଲୁଚକାଳି ଖେଳରେ
ତା ମୁହଁ ଝାପ୍ସା ଝାପ୍ସା ଦିଶୁଥାଏ …
ଶ୍ରୋତାଙ୍କ ଅନୁରୋଧରୁ ରେଡିଓରୁ ବାଜୁଥାଏ ସୁଗମ ସଙ୍ଗୀତ
ଅଗଣାର ଗୋଟେ କୋଣରେ ଫୁଟିଥିବା ମଲ୍ଲୀ ମହମହ ବାସୁଥାଏ
ବାସ୍ ଏତିକି ବେଳେ ତା ପ୍ରେମଠୁ ବିରହ ମୋତେ ନିଜର ନିଜର ଲାଗେ ..।।
ସେ ମତେ ପଚାରେନି ବୋଲି
ମୁଁ ତା ପାଇଁ ବର୍ଷାରେ ମକା, ଶୀତରେ କମ୍ବଳ, ବସନ୍ତରେ କୋଇଲି
ଖରାରେ ଲସୀ ହୋଇଯାଏ..
ଯଦିଓ ମୁଁ ବହୁରୂପୀ ନୁହେଁ ..।।
ସେ ଓମ୍ଫେଡ୍ ଘିଅ ଡବାରେ ଲୁଣ
ହର୍ଲିକ୍ସ ଡବାରେ ଚିନି
କ୍ଲୋରମିଟ୍ ଚକୋଲେଟ ଡବାରେ ଚୁଡା
ଥମ୍ସପ୍ ବୋତଲରେ ସୋରିଷତେଲ ସାଉତୁ ଥାଏ…
ମୋତେ ଡରଲାଗେ ପଚାରିବାକୁ
ମୋ ଠିକଣା କୋଉଠି ହାଏ ..।।
ମୋ ଉପରେ ଭରସା ନାହିଁ କହି
କରୀନା କପୁର ଭରସାରେ ଲକ୍ସ୍ ସାବୁନ୍
ୟାମି ଗୌତମ ଭରସାରେ ଫେୟାର ଲଭ୍ଲି
ବିଦ୍ୟା ବାଲାନ ଭରସାରେ ନଡିଆ ତେଲ ଲଗଉଥାଏ..
ମୁଁ ତା ଭରସାକୁ ଜିତିବି ଜିତିବି ଭାବି
ଆଖିର ସପନକୁ ବରଷା କରଉଥାଏ ..।।
ସେ ମୋତେ ବାସିରେ ପଚାରେନି ବୋଲି
ମୋ ଛାଇ ଅବିକଳ ତା’ପରି ଦିଶିଯାଏ
ତାକୁ ଟିକେ ଛୁଇଁବାକୁ ଗଲେ ଦୂରେ ଟିକେ ଘୁଂଚିଯାଇ
ଚୁପି ଚୁପି ମତେ କହେ …
ବୁଦ୍ଦୁ କୋଉଠିକାର
ପ୍ରେମ କ’ଣ ସିନ୍ଦୂରରେ ଥାଏ ?
ହାଏ… ଏଇ ବେଳେ ତା ପ୍ରେମଠୁ ବିରହ ମତେ ନିଜର ନିଜର ଲାଗୁଥାଏ ..।।
Comments are closed.