ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’
ଓଡ଼ିଶାରେ ଏବେ ଗଠନ ହୋଇଛି ନୂଆ ସରକାର । ଲୋକଙ୍କମନରେ ଅନେକ ନୂତନ ଆଶା ଓ ଆକାଂକ୍ଷା । ତେବେ ନୂଆ ସରକାର ଜନତାଙ୍କ ସ୍ୱପ୍ନକୁ କେତେଦୂର ଚରିତାର୍ଥ କରିପାରୁଛନ୍ତି , ସେକଥା ସମୟ କହିବ । କିନ୍ତୁ ଏହାରି ମଧ୍ୟରେ ସରକାରଙ୍କ ଆଗମୀ ବଜେଟରେ କୃଷି ଓ କୃଷକଙ୍କ ବିକାଶ ଦିଗରେ ଅନେକ କିଛି ଅଧିନିୟମ ରହିବ ବୋଲି ଆମର ଆଶା ଓ ବିଶ୍ୱାସ । ନୂଆ ସରକାରଙ୍କ ଫୋକସ୍ ରେ ଥିବା ଚାଷୀକୁଳ ବର୍ତ୍ତମାନ ମାନ ନୂଆ ଯୋଜନାକୁ ଅପେକ୍ଷା କରି ରହିଛନ୍ତି । ତେବେ ଆଗାମୀ ବଜେଟ ପାଇଁ ନୂତନ ସରକାରଙ୍କୁ କୃଷି ସମ୍ପର୍କିତ କିଛି ପ୍ରସ୍ତାବ ଏଠାରେ ଉଲ୍ଲେଖ କରୁଛି ।
ସ୍ୱତନ୍ତ୍ର କୃଷି ଆୟୋଗ ଗଠନ :
ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭାବରେ ଓଡ଼ିଶାରେ କୃଷି ଆୟୋଗ ଗଠନ କରାଯାଇ ବରିଷ୍ଠ ପ୍ରଶାସନିକ ଅଧିକାରୀ , ସଫଳ ଚାଷୀ ତଥା ପଲିସି ମେକର୍ ମାନଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଉ । ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସରକାରଙ୍କ ପାଖରେ ପହଁଚାଇବା ପାଇଁ ଏହି ଆୟୋଗ ସ୍ୱତନ୍ତ୍ର ବ୍ୟବସ୍ଥା କରିବ । ଯାହା କୃଷକ ମାନଙ୍କର ଅଭିବୃଦ୍ଧି ଦିଗରେ ସାହାଯ୍ୟ କରିବ । ଏହି ଆୟୋଗ ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବା ସହ ଗାଁ ମାନଙ୍କରେ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ କରି ଏହି ସମସ୍ୟାକୁ ସମାଧାନ କରାଇବା ଦରକାର ।
ଓଡ଼ିଶାରେ ଜୈବିକ ହାଟର ସ୍ୱତନ୍ତ୍ର ବ୍ୟବସ୍ଥା :
ସାମ୍ପ୍ରତିକ ସମୟରେ ଜୈବିକ ହାଟର ଆବଶ୍ୟକତା ଓ ଗୁରୁତ୍ୱ ଅନେକ ବୋଲି ଆମକୁ ବିଚାର କରିବାକୁ ହେବ । କାରଣ ଯଦି ସ୍ୱତନ୍ତ୍ର ଜୈବିକ ହାଟ ଟିଏ ପ୍ରତି ଗାଁ କି ବ୍ଲକରେ ହୁଅନ୍ତା , ତେବେ ଚାଷୀ ତାର ଉତ୍ପାଦ ସଠିକ ମୂଲ୍ୟରେ ବିକିପାରନ୍ତା । ଏବେ ସପିଂ ମଲରେ ଜୈବିକ ପନିନରିବା ମିଳୁଛି, ତେବେ ଆମ ଗାଁ ମାନଙ୍କରେ କ’ଣ ପାଇଁ
ଏହା ହୋଇପାରିବନି? ଆମ ରାଜ୍ୟରେ ଜୈବିକ ହାଟର ଅଧିନିୟମ ଆସିବା ଆବଶ୍ୟକ । ଯାହାକୁ ଆମେ ସ୍ୱତନ୍ତ୍ର ଅର୍ଗାନିକ ମାର୍କେଟ ରୁଲ୍ ବା ନିୟମ ବୋଲି କହିପାରିବା । ଗାଁ ଗାଁରେ ଜୈବିକ ହାଟର ବ୍ୟବସ୍ଥା ହେବା ସରକାର । ଚାଷୀ ସେଠି ନିଜର ଫସଲକୁ ଲୋକଙ୍କୁ ବିକିପାରନ୍ତା ଓ ଲୋକମାନେ ସଠିକ ଜୈବିକ ପନିପରିବା ପାଇପାରନ୍ତେ । ତେବେ ଏହା ପୂର୍ବରୁ ଚାଷୀ ମାନେ ଜୈବିକ ଚାଷର ପ୍ରାମାଣିକରଣ କରିବା ଅନିବାର୍ଯ୍ୟ । ସୁତରାଂ ଜୈବିକ ଚାଷର ନାରା ଘରେ ଘରେ ପହଁଚୁ । ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦେବାକୁ ଅନୁରୋଧ ।
କୃଷି ଉଦ୍ୟୋଗ ବା କୃଷି ଷ୍ଟାର୍ଟଅପ୍ର ବିକାଶ :
ରାଜ୍ୟ ସରକାର ଆଣିବାକୁ ଯାଉଥିବା ବଜେଟରେ କୃଷି ଷ୍ଟାର୍ଟଅପ୍ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଅନୁରୋଧ । କାରଣ କୃଷି ଓ ଏଗ୍ରିଟେକ୍ଷ୍ଟା ର୍ଟଅପ୍ ମାନଙ୍କ ସଂଖ୍ୟା ଓଡ଼ିଶାରେ ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସଠିକ ସମୟରେ କିପରି ଆର୍ଥିକ ଅନୁଦାନ ମିଳିବା ସହ ବଜାର ସଂଯୋଗୀକରଣ ଦିଗରେ ସରକାର ଚିନ୍ତା କରିବା ଆବଶ୍ୟକ । ଏହା ସହ ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପିଲାଙ୍କ ମଧ୍ୟରେ ଷ୍ଟାର୍ଟଅପକୁ ନେଇ ସୃଜନଶୀଳତାର ବିକାଶ କରିବକୁ ହେବ । ଏଥିପାଇଁ ସ୍ୱତନ୍ତ୍ର କର୍ମଶାଳା ମାନଙ୍କ ଆୟୋଜନ କରି ପିଲାମାନଙ୍କ ମଧ୍ୟରେ ଏହି ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବାକୁ ହେବ । ସରକାରଙ୍କ ପ୍ରଚେଷ୍ଟାରେ ଆହୁରି କିପରି ଅଧିକ କୃଷି ଉଦ୍ୟୋଗକୁ ଯୋଜନାରେ ସାମିଲ କରାଯାଇ ସବସିଡ଼ି ଦିଆଯାଇପାରିବ , ସେ ଦିଗରେ ଗଠନମୂଳକ ପଦକ୍ଷେପ ନେବା ଜରୁରୀ ।
ବିଦ୍ୟାଳୟରେ କୃଷି ପାଠ୍ୟକ୍ରମର ସାମିଲ :
ଆମ ରାଜ୍ୟରେ ବିଦ୍ୟାଳୟ ପାଠ୍ୟକ୍ରମରେ କୃଷିକୁ ଅନ୍ତର୍ଭୁକ୍ତ କରାଯାଉ । ପିଲାମାନଙ୍କୁ କେବଳ ବିଦ୍ୟାଳୟ ନୁହେଁ ଅଭିଭାବକ ମାନେ ମଧ୍ୟ ଏଥିପାଇଁ ଦୃଷ୍ଟି ଦିଅନ୍ତୁ । ଚାଷର ବିଭିନ୍ନ କାର୍ଯ୍ୟକ୍ରମକୁ ଟିଭିରେ ପିଲାଙ୍କୁ ଦେଖାନ୍ତୁ ।
ଖବରକାଗଜରେ କୃଷି
ପୃଷ୍ଠାକୁ ପିଲାମାନଙ୍କୁ ପଢ଼ାଇବାକୁ ଦିଅନ୍ତୁ । କେବଳ ନାଚ , ଗୀତ, ଭାଷଣ, ଚିତ୍ରାଙ୍କନ ନୁହେଁ ବରଂ କୃଷି ଶିକ୍ଷାକୁ ପ୍ରାଥମିକତା ଦିଆଯାଇ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ କରାଯାଉ । ପିଲା ଛୋଟ ବେଳୁ କୃଷି କଣ ଜାଣୁ । ଚାଷ ଜମିକୁ ଯାଉ । ଚାଷୀଙ୍କ ସହ ମିଶୁ । ଚାଷ କରିବାର କୌଶଳ ବି ଜାଣୁ । ଆମ ମାଟି ବି କଥା କହିପାରେ, ସେ ସ୍ୱତନ୍ତ୍ରତାକୁ ଅନୁଭବ କରୁ । ଆମ ରାଜ୍ୟରେ କୃଷିର ଇତିହାସ କଥା କେବଳ ବିଜ୍ଞାପନ କି ଭାଷଣ ନୁହେଁ ବରଂ ସବୁ ବିଦ୍ୟାଳୟର ପିଲାମାନେ ଏହାକୁ ଜାଣନ୍ତୁ । କୃଷି ଶିକ୍ଷାକୁ ବ୍ୟାପକ କରିବାକୁ ଯୋଜନା ହେଉ । ବିଦ୍ୟାଳୟମାନଙ୍କରେ ସ୍ୱତନ୍ତ୍ର କ୍ଲାସର ବ୍ୟବସ୍ଥା ହେଉ । ଯେଉଁଥିରେ ପିଲାମାନଙ୍କୁ ବିଭିନ୍ନ ଶସ୍ୟ ଜାତୀୟ ଫସଲ, ଡ଼ାଲି ଜାତୀୟ ଫସଲ , ଅର୍ଥକାରୀ ଫସଲ ତଥା ଫୁଲ , ଫଳ ଓ ପନିପରିବା ବିଷୟରେ ସମ୍ୟକ ଧାରଣା ଦିଆଯାଉ । ସବୁକିଛି ନ ହେଉ ପଛେ ପିଲାମାନେ ଚାଷର କୌଶଳ ବିଷୟରେ ଛୋଟବେଳୁ ଜାଣିବା ଆବଶ୍ୟକ । ଏ ଦିଗରେ ରାଜ୍ୟ ସରକାର ଚେଷ୍ଟା କରିବା ଆବଶ୍ୟକ ।
କୃଷି ପର୍ଯ୍ୟଟନର ବିକାଶ:
ଓଡ଼ିଶାରେ ଗ୍ରାମାଞ୍ଚଳମାନଙ୍କର ସ୍ଥାନୀୟ ପ୍ରତିନିଧି ମାନେ ଏ ଦିଗରେ ନିଜର ସ୍ୱତନ୍ତ୍ର ପ୍ରଚେଷ୍ଟା ଆରମ୍ଭ କରିବା ଆବଶ୍ୟକ । କୃଷି ବିଜ୍ଞାନ କେନ୍ଦ୍ରର ସହାୟତା ତଥା କୃଷି ବୈଜ୍ଞାନିକ ମାନଙ୍କର ଉପଦେଶକୁ ପାଥେୟ କରି ଓଡ଼ିଶାରେ କୃଷି ପର୍ଯ୍ୟଟନର ସ୍ୱପ୍ନକୁ ପୂରଣ କରିବା ଦିଗରେ ସମସ୍ତଙ୍କର ମଳିତ ସହଯୋଗ ଆବଶ୍ୟକ । କାରଣ ଚାଷ ଆମ ପିଢ଼ୀ ପିଢ଼ୀର କଥା । ଆଜି ଯେଉଁମାନଙ୍କୁ ଚାଷ କଥା କହିଲେ ନାକ ଟେକୁଛନ୍ତି ଅନ୍ତତଃ ସେମାନେ ଏହି କୃଷି ପର୍ଯ୍ୟଟନ ସ୍ଥଳୀକୁ ଗଲେ ସେଠାରେ ପରିଭ୍ରମଣ କରି ମନ ଓ ହୃଦୟ ପ୍ରଫୁଲ୍ଲିତ ହେବା ସହ ପରୋକ୍ଷରେ କୃଷିର ବୃହଚାର ଦିଗକୁ ପାଖରୁ ଅନୁଭବ କରିପାରିବେ । କାରଣ କହିବା ଆଉ ଦେଖିବା ଭିତରେ ଅନେକ ତଫାତ୍ । ଆଖିରେ ଦେଖିଥିବା ଜିନିଷକୁ ମଣିଷ ସହଜରେ ଭୁଲେନି । ଆମ ପାଖରେ ପାକୃତିକ ସମ୍ପଦ ଅଛି । ଆମ ପାଖରେ ଜ୍ଞାନକୌଶଳ ଅଛି । ଆମ ଚାଷୀ କୁଶଳୀ ଆଉ କର୍ମଠ । ତେଣୁ ଯଦି ଆମେ ନିଜ ମନୋବଳକୁ ଦୃଢ଼ କରି ଏ ଦିଗରେ ଆଗେଇବା ନିଶ୍ଚୟ ଭାବେ କୃଷି ପର୍ଯ୍ୟଟନର ସ୍ୱପ୍ନ ସାକାର ହେବ । ସ୍ଥାନୀୟ ଗ୍ରାମାଂଚଳର ଲୋକପ୍ରତିନିଧି , ସ୍ଥାନୀୟ ବାସିନ୍ଦା , ସରକାର ଓ ବେସରକାରୀ ସଂସ୍ଥା , କୃଷି ଷ୍ଟାର୍ଟଅପ୍ ପରି ସବୁସ୍ତରରରେ ପ୍ରୟାସ ଆରମ୍ଭ କରାଯିବା ଦରକାର । ଏକ ନୂତନ ଓ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରି ଗଠନ ହୋଇଥିବା ନୂଆ ସରକାର ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେଲେ ଓଡ଼ିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିବ ।
ପରିବେଶୀୟ ଗ୍ରାମର ପାଇଲଟ୍ ପ୍ରକଳ୍ପ :
ପରିବେଶୀୟ ଗ୍ରାମର ପରିକଳ୍ପନା ଓଡ଼ିଶାରେ ଆରମ୍ଭ କରାଯିବା ନିତ୍ୟାନ୍ତ ଜରୁରୀ । ଜଳବାୟୁ ପରିବର୍ଚାନ ଯାଗୁଁ ଏବେ ଆମେ ଋତୁ ମଧ୍ୟରେ ତଫାତ ଜାଣିବାରେ କଷ୍ଟ ଅନୁଭବ କରୁଛୁ । ଏମିତିକି ବର୍ଷା ଦିନରେ ଅତ୍ୟଧିକ ବର୍ଷା ଯୋଗୁଁ ମୃତ୍ତିକା କ୍ଷୟ ଯୋଗୁଁ ଚାଷ ଜମି ପ୍ରଭାବିତ ହୋଇଥାଏ । ପାହାଡ଼ିଆ ଜମିର ପାଖେପାଖେ ଏମାନେ ବଞ୍ଚିବାର ରାହା ଖୋଜିଥାନ୍ତି । ଏସବୁ କାରଣର ଏକ ପ୍ରକୃଷ୍ଟ ସମାଧାନ ଭାବରେ ଆମେ ପରିବେଶୀୟ ଗ୍ରାମକୁ ନେଇପାରିବା । ବିଭିନ୍ନ ପ୍ରକାର ବୈଜ୍ଞାନିକ ଜ୍ଞାନକୌଶଳ ଉପଯୋଗ କରି ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସେମାନଙ୍କ ପାରମ୍ପରିକ ଚାଷ ପଦ୍ଧତି ସହ ସେଠାରେ ସବୁଜିମା ଆଉ ସୁନା ଫଳାଯାଇପାରେ । ଏହା ବ୍ୟତୀତ ଏହି ସବୁ ଗ୍ରାମରେ ସୌର ଶକ୍ତିକୁ ବ୍ୟବହାର କରାଯାଇଥାଏ । ଯାହା ଫଳରେ ପରିବେଶର ହାନି ପ୍ରଭାବକୁ ସହଜରେ ଏଡ଼ାଇଦିଆଯାଇପାରେ । ଏହା ଗ୍ରାମୀଣ ପରିବେଶରେ ଶକ୍ତି ସଞ୍ଚୟ କରିବା ସହ ଏକ ସବୁଜ ପରିବେଶ ଗଠନ ଦିଗରେ ଅଗ୍ରସର ହେବାକୁ ଖୋରାକ ଯୋଗାଏ । ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ସ୍ୱତନ୍ତ୍ର ଫଣ୍ଡ୍ ବା ପାଣ୍ଠିର ବ୍ୟବସ୍ଥା କରି କାର୍ଯ୍ୟକାରୀ କରାଯାଉ ।
ଓଡ଼ିଶା ରାଜ୍ୟ ଜୈବ
ପ୍ରମାଣନ ସଂସ୍ଥା
ଭୁବନେଶ୍ୱର , ମୋ-୭୮୪୭୦୧୩୧୫୭
Comments are closed.