ଆଲାସ୍କା: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥା ସବୁବେଳେ ଚର୍ଚ୍ଚାରେ ଥାଏ। ଶୁକ୍ରବାର ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ ବେଳେ ପୁଟିନଙ୍କ ସୁରକ୍ଷା ଟିମ୍ ଏକ ଅଜଣା ସୁଟକେସ ନେଇଥିଲେ। ଏହାକୁ ‘ପପ୍ ସୁଟକେସ’ ବୋଲି କୁହାଯାଉଛି। ଏଥିରେ ପୁଟିନଙ୍କ ମଳମୂତ୍ର ସଂଗ୍ରହ କରାଯାଇଥିଲା ବୋଲି ରିପୋର୍ଟ କରିଛି ଏକ୍ସପ୍ରେସ ୟୁଏସ।
ପୁଟିନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ବିଦେଶୀ ଗୁପ୍ତଚର ସଂସ୍ଥାଙ୍କ ହାତରେ ପଡ଼ିବାକୁ ଦେବା ପାଇଁ ଏହା କରାଯାଇଥିବା କୁହାଯାଉଛି। ରୁଷିଆର ଫେଡେରାଲ ପ୍ରୋଟେକ୍ସନ ସର୍ଭିସ (ଏଫପିଏସ) ସଦସ୍ୟମାନେ ପୁଟିନଙ୍କ ମଳମୂତ୍ର ସଂଗ୍ରହ କରି ସ୍ୱତନ୍ତ୍ର ବ୍ୟାଗରେ ରଖନ୍ତି। ଏହାକୁ ଏକ ନିର୍ଦ୍ଦିଷ୍ଟ ସୁଟକେସରେ ନେଇ ରୁଷିଆକୁ ଫେରାଇ ଆଣନ୍ତି। ଏକ୍ସପ୍ରେସ ୟୁଏସ ରିପୋର୍ଟ ଅନୁଯାୟୀ, ଏହି ରିପୋର୍ଟ ଫ୍ରାନ୍ସର ଏକ ପତ୍ରିକାରେ ପ୍ରକାଶିତ ଖବର ଉପରେ ଲେଖା ଯାଇଛି।
ଏହି ଅଜଣା ବ୍ୟବସ୍ଥା ବହୁ ବର୍ଷ ଧରି ଚାଲିଆସୁଛି। ୨୦୧୭ରେ ଫ୍ରାନ୍ସ ଓ ୨୦୧୯ରେ ଭିଏନା ଗସ୍ତ ବେଳେ ମଧ୍ୟ ଏପରି କରାଯାଇଥିଲା। ସାମ୍ବାଦିକ ଫରିଦା ରୁସ୍ତାମୋଭା କହିଛନ୍ତି, ପୁଟିନ ୧୯୯୯ରେ ରାଷ୍ଟ୍ରପତି ହେବା ପରଠାରୁ ଏହି ପ୍ରଥା ଚାଲିଆସୁଛି। ଭିଏନାରେ ସେ ଏକ ପୋର୍ଟେବଲ ଟୟଲେଟ ବ୍ୟବହାର କରିଥିଲେ।
୭୨ ବର୍ଷୀୟ ପୁଟିନଙ୍କ ସ୍ୱାସ୍ଥ୍ୟ ନେଇ ବିଭିନ୍ନ ଚର୍ଚ୍ଚା ରହିଛି। ଗତ ନଭେମ୍ବରରେ କାଜାଖସ୍ତାନର ଆସ୍ତାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପାଦ କମ୍ପିବା ଦେଖାଯାଇଥିଲା। ଡାକ୍ତର ବବ ବେରୁଖିମ ଏହାକୁ ପାର୍କିନସନ୍ ରୋଗ ସମ୍ଭାବନା ବୋଲି କହିଥିଲେ। ୨୦୨୩ରେ ବେଲାରୁଷ ରାଷ୍ଟ୍ରପତି ଆଲେକ୍ସାଣ୍ଡର ଲୁକାଶେଙ୍କୋଙ୍କ ସହ ବୈଠକ ବେଳେ ମଧ୍ୟ ପୁଟିନଙ୍କ ଶରୀର କମ୍ପିବା ଦେଖାଯାଇଥିଲା। ୨୦୨୨ରେ ଏକ ଟେଲିଗ୍ରାମ ଚ୍ୟାନେଲରେ ପୁଟିନ ପଡ଼ିଯିବା ଓ ସ୍ୱାସ୍ଥ୍ୟ ଖରାପ ନେଇ ଗୁଜବ ପ୍ରକାଶ ପାଇଥିଲା, ଯାହାକୁ କ୍ରେମଲିନ ଖଣ୍ଡନ କରିଥିଲା।
ପୁଟିନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ବିଦେଶୀ ଗୁପ୍ତଚର ସଂସ୍ଥାଙ୍କ ହାତରେ ପଡ଼ିଲେ ଏହା ରୁଷିଆ ପାଇଁ ବଡ଼ ଅଡ଼ୁଆ ହୋଇପାରେ। ମଳମୂତ୍ର ପରୀକ୍ଷା କରି କୌଣସି ରୋଗ ବା ଚିକିତ୍ସା ବିଷୟରେ ଜଣାପଡ଼ିପାରେ। ତେଣୁ ପୁଟିନଙ୍କ ସୁରକ୍ଷା ଟିମ୍ ଏପରି ଅଜଣା ପଦକ୍ଷେପ ନେଇଛି।
Comments are closed.