ଉଦଳା: ସାପ କାମୁଡ଼ିବା ପରେ ଭୟଭୀତ ନହୋଇ ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଯୁବକଙ୍କ ସତର୍କତା ଓ ସାହସ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଘଟିଛି। ମୋଚିରାମ ଟୁଡୁ ଏକ ସରକାରୀ କାର୍ଯ୍ୟାଳୟରେ କାମ କରନ୍ତି। ରାତିରେ ସେ ଅଫିସ୍ ରୁମ୍ ଭିତରେ ଚେୟାରରେ ବସିଥିବା ବେଳେ ତଳେ ଥିବା ଏକ ବିଷାକ୍ତ ସାପ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ମୋଚିରାମ ତୁରନ୍ତ ସାପଟିକୁ ମାରି ଧରିଥିଲେ।
ପରେ ଏହାକୁ ଏକ ପଲିଥିନ୍ ଜରିରେ ଭର୍ତ୍ତି କରି ସାଇକେଲରେ ଟାଙ୍ଗି ଉଦଳା ମେଡିକାଲରେ ପହଞ୍ଚିଥିଲେ। ଡାକ୍ତରଙ୍କୁ ସାପଟିକୁ ଦେଖାଇବା ପରେ ଏହା ବିଷାକ୍ତ ସାପ ବୋଲି ଜଣାପଡ଼ିଥିଲା। ଡାକ୍ତରମାନେ ତୁରନ୍ତ ମୋଚିରାମଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦାସ୍ଥିତ PRM ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ମୋଚିରାମ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଅଛି।
ପୂର୍ବରୁ ମଧ୍ୟ ସମାନ ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି। ମାଲକାନଗିରି ଜିଲ୍ଲାରେ ଗତ ୨୩ ତାରିଖ ରାତିରେ କୁରୁମପାଲି ଗ୍ରାମର ୩୮ ବର୍ଷୀୟା ଆଦିବାସୀ ମହିଳା ମଣିମା ନାୟକଙ୍କୁ ଏକ ସାପ କାମୁଡି ଦେଇଥିଲା। ସାପ କାମୁଡି ଦେଇଥିବା ଜାଣି ମଧ୍ୟ ଡରିବା କିମ୍ବା ଚିତ୍କାର କରିବା ପରିବର୍ତ୍ତେ ସେ ସାହାସର ସହିତ ସାପଟିକୁ ଏକ ପ୍ଲାଷ୍ଟିକ ଡବାରେ ଭର୍ତ୍ତି କରି ସକାଳେ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରଙ୍କୁ ସାପ ଦେଖାଇବା ପାଇଁ ସେ ଏଭଳି ଏକ ଦୁଃସାହସିକ ପଦକ୍ଷେପ ନେଇଥିବା କହିଥିଲେ ।


Comments are closed.