Latest Odisha News

ଶିଶୁ ଯୌନ ନିର୍ଯାତନା ବିଷୟ ଉପରେ ସ୍ୱତନ୍ତ୍ର ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’ ମଞ୍ଚସ୍ଥ

ଭୁବନେଶ୍ୱର : ଇନଷ୍ଟିଚ୍ୟୁଟ୍ ଅଫ୍ ନଲେଜ୍ ସୋସାଇଟିଜ୍ ବ୍ୟାନରରେ ଶିଶୁ ଯୌନ ନିର୍ଯାତନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଧାରିତ ଭିନ୍ନ ସ୍ୱାଦର ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ମଞ୍ଚସ୍ଥ ହୋଇଯାଇଛି । ବିଭିନ୍ନ ବୟସ ଓ ବର୍ଗର ଦର୍ଶକମାନଙ୍କୁ ଏହି ନାଟକ ଏକ ବିଶେଷ ବାର୍ତ୍ତା ଦେଇଛି ଆସି ଏକ ବିଶେଷ ବାର୍ତ୍ତା ନେଇ ଫେରିଛନ୍ତି। ଏହି ନାଟକଟି ଭାରତର ଜଣାଶୁଣା ନାଟ୍ୟକାର ମହେଶ ଦତ୍ତାନିଙ୍କର ମୂଳ ଇଂରାଜୀ ନାଟକ ‘ଥାର୍ଟି ଡେଜ୍ ଇନ ସେପ୍ଟେମ୍ବର’ର ଓଡ଼ିଆ ରୂପାନ୍ତର। ଡକ୍ଟର ସତ୍ୟବ୍ରତ ରାଉତ ଏହାକୁ ଓଡ଼ିଆ ଭାଷାରେ ରୂପାନ୍ତର କରିବା ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ଏବଂ ସାମାଜିକ କର୍ମୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏଭଳି ନାଟକର ଆୟୋଜନ ପାଇଁ ସେମାନେ ପ୍ରଯୋଜନା ସଂସ୍ଥାକୁ ଅଭିନନ୍ଦନ ଜଣାଇବା ସହ ‘ସେପ୍ଟେମ୍ବରର ତିରିଶ ଦିନ’ର ମୂଳ ବାର୍ତ୍ତା ପ୍ରତି ଘରେ ପହଞ୍ଚିବା ଆବଶ୍ୟକ ବୋଲି କହିଥିଲେ।

‘‘ଏହା କେବଳ ଏକ ନାଟକ ନୁହେଁ, ବରଂ ସମାଜକୁ ବିଶେଷ ବାର୍ତ୍ତା ଦେବା ପାଇଁ ଏକ ଉଦ୍ୟମ। ଆମେ ଏହି ବିଷୟଟିକୁ ବେଶ୍ ସମ୍ବେଦନଶୀଳ ଭାବେ ପରିବେଷଣ କରିବାକୁ ଚେଷ୍ଟା କରିଛୁ ନାଟକ ଏକ ପ୍ରଭାବଶାଳୀ ଗଣମାଧ୍ୟମ ତେଣୁ ଏଭଳି କାହାଣୀ ପରିବାର ଭିତରେ ଶିଶୁ ଯୌନ ନିର୍ଯାତନା ରୋକିବା ସହ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ବିଶେଷ ସହାୟକ ହେବ,’’ କହିଛନ୍ତି ନାଟକର ନିର୍ଦ୍ଦେଶକ ଶ୍ରୀ ରାଉତ।

ପ୍ରଥମ ସୋ’ରେ ନାଟକଟି ଦର୍ଶକଙ୍କ ମନ ଜିତିବା ପରେ ଶନିବାର ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପଠାରେ ଏହି ନାଟକର ପରବର୍ତ୍ତି ସୋ’ ମଞ୍ଚସ୍ଥ ହେବାକୁ ଯାଉଛି।

 

Comments are closed.