Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷା ସହିତ କ୍ୟାନସର ରୋଗ ବିରୋଧରେ ଛାତ୍ରୀଙ୍କୁ ସହଯୋଗ କରି ଚର୍ଚ୍ଚାରେ ଦିବାସ ସାର

ବରଗଡ଼: ଜଣେ ପ୍ରକୃତ ଶିକ୍ଷକର ଭୂମିକା ଗ୍ରହଣ କରି ଜଣେ ଯୁବକ ନିଜ ଛାତ୍ରୀକୁ କେବଳ କ୍ୟାନସର ସହ ଲଢ଼େଇ କରାଇ ନାହାନ୍ତି ବରଂ ଓଡ଼ିଶାର ବରଗଡ଼ରେ ମାଟ୍ରିକ୍ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ଯ କରାଇଛନ୍ତି। ଜିଲ୍ଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ସାଂକ୍ରି ଗ୍ରାମର ସୌଭାଗ୍ୟ ପଟେଲଙ୍କ ଗତବର୍ଷ ଆଣ୍ଠୁରେ କ୍ୟାସନର ହୋଇଥିବା ଜଣାପଡ଼ିଥିଲା। ଆମଠି ପଞ୍ଚାୟତ ହାଇସ୍କୁଲର ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ମଧ୍ୟ କ୍ୟାନସର ରୋଗର ମହଙ୍ଗା ଚିକିତ୍ସା କରାଇ ପାରୁନଥିବାରୁ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହୋଇଥିଲେ ପରିବାର ଲୋକେ।

ସେହି ସମୟରେ ବିଦ୍ୟାଳୟର ଯୁବ ଶିକ୍ଷକ ଦିବାସ କୁମାର ସାହୁ ସୌଭାଗ୍ୟଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସିଥିଲେ। ନିଜ ଉଦ୍ୟମରେ ଦିବାସ ଛତିଶଗଡ଼ର ରାୟପୁରର ଏକ ଘରୋଇ ହସ୍ପିଟାଲରେ ଯୁବତୀଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଚିକିତ୍ସା ସମୟରେ ସୌଭାଗ୍ୟ ଓ ତାଙ୍କ ପରିବାର ୮ ମାସ ରାୟପୁରରେ ରହିବା ପାଇଁ ବିଭିନ୍ନ ସୂତ୍ରରୁ ଅର୍ଥ ଯୋଗାଡ଼ କରିଥିଲେ।

ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପକ୍ଷରୁ ଯୋଗାଇ ଦିଆଯାଉଥିବା ୪ ଲକ୍ଷ ଟଙ୍କା ବ୍ୟୟରେ ସୌଭାଗ୍ୟ ହସ୍ପିଟାଲରେ ମାଗଣାରେ ଅସ୍ତ୍ରୋପଚାର କରିଥିଲେ। ସେହିପରି ଭାରତୀୟ କ୍ୟାନସର ସୋସାଇଟି ପକ୍ଷରୁ ସୌଭାଗ୍ୟ ପାଇଁ କୃତ୍ରିମ ଅଙ୍ଗ ପାଇଁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏତଦବ୍ଯତୀତ ସୌଭାଗ୍ୟଙ୍କ ଏହି ରୋଗ ବାବଦରେ ସୋସିଆଲ ମିଡିଆରେ ହାଇଲାଇଟ୍ କରି ଦିବାସ ୪୦ ହଜାର ଟଙ୍କା ଯୋଗାଡ଼ କରିଥିଲେ।

ଏପରିକି ସୌଭାଗ୍ୟ ଚିକିତ୍ସିତ ହେଉଥିବା ବେଳେ ଦିବାସଙ୍କ ଦକ୍ଷ ମାର୍ଗଦର୍ଶନରେ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ। ସବୁ ଅସୁବିଧାକୁ ଅତିକ୍ରମ କରି ବଞ୍ଚିବା ପାଇଁ ସଙ୍ଘର୍ଷ କରିବା ପରେ ସେ ଭଲ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

କ୍ୟାନସର ବିରୋଧରେ ସୌଭାଗ୍ୟଙ୍କ ଲଢେଇ ଓ ମାଟ୍ରିକରେ ସଫଳତା ତାଙ୍କୁ ଚାରିଆଡୁ ପ୍ରଶଂସାର ପାତ୍ର କରିଥିବା ବେଳେ ଯୁବ ଶିକ୍ଷକ ଦିବାସଙ୍କ ଅବଦାନ ତାଙ୍କୁ ସମାଜର ପ୍ରିୟଭାଜନ କରିଛି।

ସମସ୍ତ ଉତ୍ସାହ, ମାର୍ଗଦର୍ଶନ, ସହଯୋଗ ଏବଂ ସର୍ବୋପରି ତାଙ୍କୁ ନୂଆ ଜୀବନ ଦେଇଥିବାରୁ ସେ ‘ଦିବସ ସାର୍’ଙ୍କ ନିକଟରେ ଋଣୀ ରହିବେ ବୋଲି ସୌଭାଗ୍ୟ କହିଛନ୍ତି।

Leave A Reply

Your email address will not be published.