ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଭିତରେ ଏମିତି କିଛି ସେବକ ଅଛନ୍ତି ଯେଉଁମାନଙ୍କ ସେବା ଏକ ନିର୍ଦ୍ଧିଷ୍ଟ ପରିସର ପାଇଁ କରାଯାଇଛି। କାରଣ ଏହି ଭଳି ସେବା ବା ସେବକଙ୍କ ବିଷୟରେ ଆମେ ଆଗରୁ ଆଲୋଚନା କରିଛେ। କିନ୍ତୁ ବର୍ତ୍ତମାନ ସେହି ଏକା ସେବା ଟିକିଏ ଅଲଗା ପରିସରରେ ହେଉ ଥିବାରୁ ତାର ନାମ ବି ସ୍ୱତନ୍ତ୍ର ହୋଇଛି ଯଥା ଆଗରୁ ଆଲୋଚିତ ହୋଇଛି ଛତlର ସେବକ। ଆଜି ଆଲୋଚନା କରିବା ଅମୋଣିଆ ଛତାର, ଅବା ଆଗରୁ ଜାଣିଲେ ଚକ୍ର ଦିହୁଡିଆ ସେବା, ଏବେ ଜାଣିବା ଛାମୁ ଦିହୁଡି ସେବା ।
ତେବେ ପ୍ରଥମେ ଜାଣିବା ଅମୋଣିଆ ଛତାର :-ଏହି ସେବକମାନେ ଅଖଣ୍ଡମେକାପ ଶ୍ରେଣୀର, ସେବାଟି ମଧ୍ଯ ବଂଶାନୁକ୍ରମିକ ଅଟେ। ମୁଖ୍ୟତଃ ଯେତେ ଘଣ୍ଟ, ଛତା, କାହାଳି ସହ ଭୋଗ ହୁଏ, ସେତେବେଳେ ଏହି ସେବକ ଛତା ଧରି ଭୋଗବାଟଠାରୁ ଜୟ ବିଜୟ ଦ୍ୱାର ଯାଏଁ ଭୋଗ ଆଗରେ ଚାଲନ୍ତି। ସ୍ନାନ ପୂର୍ଣ୍ଣିମା ପୁଷ୍ୟାଭିଷେକ ଓ ନୀଳାଦ୍ରି ମହୋଦୟରେ ଜଳ ଛେକ ଆସିଲା ବେଳେ ଛତା ଧରି ଆଗରେ ଚାଲନ୍ତି। ବିଭିନ୍ନ ସମୟରେ ବିଭିନ୍ନ ବେଢା ପରିକ୍ରମା (ଯେଉଁ ଯେଉଁ ବେଢାରେ ଛତି ଯାଏ, ଯଥା ମକର ବେଢା ଇତ୍ୟାଦି )ବେଳେ ଏହି ସେବକ ମାନେ ଛତି ଧରିଥାନ୍ତି. ତେଣୁ ଉଭୟ ଛତାର ସେବା ଓ ଅମୋଣିଆ ଛତାର ସେବା ଏକା ପରି ଲାଗୁଥିଲେ ମଧ୍ଯ ଉଭୟଙ୍କ କାର୍ଯ୍ୟ ପରିସର ଅଲଗା ଅଲଗା ଅଟେ।
ଏବେ ଜାଣିବା ଛାମୁ ଦିହୁଡି ସେବା :-ଏମାନେ ମଧ୍ଯ ବିଡୁଆ ସୁପକାର ଗୋଷ୍ଠୀ ସେବକ ଅଟନ୍ତି। ସେବା ବଂଶାନୁକ୍ରମିକ ହେଲେ ମଧ୍ଯ, ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି। ମୁଖ୍ୟତଃ ପ୍ରତ୍ୟେକ ଦିନ ମଧ୍ୟାହ୍ନ ଧୂପ ପରେ ପ୍ରତ୍ୟେକ ଭିତର ଓ ବାହାର ବିଜେ ସମୟରେ ଏମାନେ ଦିହୁଡି ଲଗାଇ ଆଗରେ ଚାଲନ୍ତି। ସେହିପରି ରଥଯାତ୍ରା ସମୟରେ ରଥରେ ସନ୍ଧ୍ୟାଠାରୁ ବଡ଼ସିଂହାର ପର୍ଯ୍ୟନ୍ତ ଦିହୁଡି ଜlଳନ୍ତି, ଆଜି କାଲି ବିଭିନ୍ନ ଆଲୋକର ବ୍ୟବସ୍ଥା ହେଲାଣି କିନ୍ତୁ ପୂର୍ବ କାଳରେ ଏହି ଦିହୁଡି ହିଁ ରଥ ଆଲୋକିତ କରିବାର ଏକ ମାତ୍ର ସାହାରା ଥିଲା। ସ୍ନାନଯାତ୍ରା ବିଜେ ଓ ବାହୁଡା଼ ବିଜେ ପହଣ୍ଡିରେ ମଧ୍ଯ ଏହି ସେବକ ଦିହୁଡି ଜାଳି ଆଗେ ଆଗେ ଯାଇଥାନ୍ତି। ଏହି ସେବା ଓ ଚକ୍ର ଦିହୁଡି ସେବା ମଧ୍ୟରେ ପାର୍ଥକ୍ୟ ହେଲା ଦିହୁଡିର ଆକାରରେ (ଚକ୍ର ଆକାର ଓ ନିୟମିତ ଆକାର ), ବାକି କାର୍ଯ୍ୟକ୍ଷେତ୍ରରେ ବିଶେଷ ଫରକ ନଥିଲେ ମଧ୍ଯ ଛାମୁ ଦିହୁଡିଟି ମୁଖ୍ୟତଃ ଆଲୋକ ପ୍ରଦାନ ପାଇଁ ଓ ଚକ୍ର ଦିହୁଡିଟି ଉଭୟ ଆକର୍ଷଣୀୟ ଓ ଆଲୋକ ପ୍ରଦାୟକ ଭାବରେ ବ୍ୟବହୃତ ହୁଏ। ଆଗାମୀ ଅଧ୍ୟାୟରେ ପୁଣି ଏଭଳି କିଛି ସେବକ ଙ୍କ ବିଷୟରେ ଆଲୋଚନା ଜାରି ରହିବ। କିନ୍ତୁ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ଠିକ ସବୁଦିନ ପରି ।
ଏ ତିନି ପୁରେ ତୋ ବିଭୁତି
ଯହିଁ ବା ଯେଉଁ ରୂପେ ସ୍ଥିତି ।
ସକଳ କହ ନାଥ ମୋତେ
ନମଇଁ ତୋର ପାଦ ଗତେ ।
ତୋ ପାଦେ ସର୍ବ ତୀର୍ଥ ସ୍ଥାନ
ନମଇଁ ପ୍ରଭୁ ଭଗବାନ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )