ଭୁବନେଶ୍ଵର: ରାଜ୍ୟରେ କମିଛି ଶୀତ କିନ୍ତୁ କଲବଲ କରୁଛି କୁହୁଡି। ଆଜି ସକାଳୁ ସକାଳୁ ଟ୍ଵିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏପରିକି ଦୃଶ୍ୟମାନ ଦୂରତା ୧୦ ରୁ ୨୦ ମିଟର ରହିଛି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଭୁବନେଶ୍ୱର ଏବଂ କଟକ ଟୁଇନ୍ ସିଟିରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୪.୪ ଏବଂ ୧୪.୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ସାତ ଦିନ ପାଇଁ ଟୁଇନ୍ ସିଟିରେ ରାତିର ତାପମାତ୍ରା ୧୪ରୁ ୧୫ ଡିଗ୍ରି ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେପଟେ ସକାଳୁ ଘନ କୁହୁଡି ଅସ୍ତବ୍ୟସ୍ତ କରୁଥିବା ବେଳେ ଦିନରେ ରେକର୍ଡ ଭାଙ୍ଗୁଛି ତାତି । ଏବେଠାରୁ ଦିନ ତାପମାତ୍ରା ରେକର୍ଡ ଭାଙ୍ଗିବାରେ ଲାଗିଲାଣି । ସ୍ବାଭାବିକ ଠାରୁ ତାପମାତ୍ରା ୫ ଡିଗ୍ରୀ ବୃଦ୍ଧି ପାଇଛି । ଗତକାଲି କୋରାପୁଟରେ ଦିନର ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁପୂର୍ବାନୁମାନ କରାଯାଇଛି ଯେ ଆଗାମୀ ୭ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ।
ପାଣିପାଗ ବିଭାଗର କହିବା ଅନୁସାରେ ୨୦୦୯ରେ ଶେଷ ଥର ପାଇଁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ଏବେ ୨୦୨୫ରେ ଏହାର ଅନୁରୂପ ଦେଖାଯାଇଛି । ୨୦୦୯ ଜାନୁଆରୀରେ କୋରାପୁଟରେ ଏଭଳି ଭୀଷଣ ଗରମ ଅନୁଭୂତ ହୋଇଥିଲା । ସେହି ବର୍ଷ ଏପ୍ରିଲ ଓ ମେ’ ମାସରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହୋଇଥିଲା । ଜଳିଥିଲା ପୁରା ଓଡ଼ିଶା । ତେଣୁ ଚଳିତ ବର୍ଷର ଏହି ଜାନୁଆରୀ ତାତି ପୁଣି ଥରେ ଭୀଷଣ ତାତିର ସଙ୍କେତ ଦେଉନି ତ? ତେବେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦିନର ତାପମାତ୍ରା କିଛିଦିନ ପାଇଁ ଏଭଳି ରହିବ । ରାତି ତାପମାତ୍ରା ମଧ୍ୟ ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଫଳସ୍ବରୂପ ଶୀତ ପ୍ରକୋପ ଆହୁରି କମିବା ସମ୍ଭାବନା ରହିଛି।
Comments are closed.