Latest Odisha News

BREAKING NEWS

ଏପରି କୂଅ, ଯେଉଁଠୁ ବାହାରେ ଭିନ୍ନ ଭିନ୍ନ ସ୍ଵାଦର ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହନ୍ତି କୂଅ ପାଣି ଶିତଳ । ସମ୍ପ୍ରତି ସହରଗୁଡିକରେ କୂଅ ପାଣିର ବ୍ୟବହାର ବିଲୁପ୍ତ ହୋଇ ଆସିଲାଣି। ମାତ୍ର ଦୁର୍ଗମ ଗ୍ରାମାଞ୍ଚଳରେ ଆଜି ମଧ୍ୟ ଲୋକମାନେ ରାନ୍ଧିବା, ପିଇବା ଏବଂ ବିଭିନ୍ନ କାର୍ଯ୍ୟ ପାଇଁ କୂଅ ପାଣିର ବହୁଳ ବ୍ୟବହାର କରନ୍ତି। ଧାର୍ମିକ ସ୍ଥାନରେ କୂଅ କିମ୍ବା ପୋଖରୀ ଜଳର ବ୍ୟବହାର ହୋଇଥାଏ। କିନ୍ତୁ ଏପରି ଏକ କୂଅ ଅଛି ଯାହା ସମଗ୍ର ବିଶ୍ୱ ପାଇଁ ରହସ୍ୟମୟ ପାଲଟିଛି। ଏହି କୂଅ ବିହାରର ହାଜିପୁରରେ କବୀର ମଠ ପରିସରରେ ଅବସ୍ଥିତ। ଏହା ୧୬୪୦ ମସିହାରେ ନିର୍ମିତ ହୋଇଥିଲା। ଏହି କୂଅରୁ ବାହାରେ ୯ ପ୍ରକାରର ସ୍ୱାଦଯୁକ୍ତ ଜଳ ।

ସୂଚନା ଅନୁଯାୟୀ ସମସ୍ତ ନଅ ଗ୍ରହର ଦୋଷ ହଟାଇବା ନିମନ୍ତେ ଏହାର ନାମ ‘ନବଗ୍ରହ କୂଅ’ ରଖାଯାଇଛି। ବିଭିନ୍ନ ରାଜ୍ୟରୁ ଶତାଧିକ ଭକ୍ତ ପ୍ରତିଦିନ ଏଠାକୁ ଆସନ୍ତି। ଗଙ୍ଗା ଏବଂ ଗଣ୍ଡକ ନଦୀର ମିଳନ ସ୍ଥଳରେ ଅବସ୍ଥିତ ଏହି କୂଅ କେବଳ ଭକ୍ତଙ୍କ ପାଇଁ ନୁହେଁ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି। ଏଠାକୁ ଆସୁଥିବା ସମସ୍ତ ଲୋକ ପାଣି ପିଇବା ପରେ ଏହାର ସ୍ଵାଦ ଚାଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ନବଗ୍ରହ କୂଅ ଏବଂ ନଦୀ ମଧ୍ୟରେ ଦୂରତା ୧୦୦ ଫୁଟ ରହିଛି। ତଥାପି ଏହାର ଜଳ ସ୍ତର ନଦୀର ଜଳ ସ୍ତରଠାରୁ ସର୍ବଦା ଅଧିକ। ଏହା କାହିଁକି ଘଟେ ତାହା ମଧ୍ୟ ଏକ ରହସ୍ୟ। ବିଶ୍ଵାସ କରାଯାଏ ଯେ ଏହି କୂଅ ଲୋକଙ୍କ ମନରେ ଶାନ୍ତି ଆଣିଥାଏ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହା ଉପରେ ପ୍ରାକୃତିକ ବିପର୍ଯ୍ୟୟର କୌଣସି ପ୍ରଭାବ ପଡେ ନାହିଁ। ଆଜି ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅବସ୍ଥାରେ ରହିଥିବା ଜଣାଯାଏ।

ସୋନପୁରରେ ଆୟୋଜିତ ହେଉଥିବା ବିଶ୍ୱପ୍ରସିଦ୍ଧ ପଶୁ ମେଳା ସମୟରେ ଏହାକୁ ଦେଖିବା ପାଇଁ ବହୁ ଜନସମାଗମ ହୁଏ। ଏହି ସମୟରେ ଏହାର ଜଳର ଚାହିଦା ବେଶ୍‌ ଅଧିକ ରହିଥାଏ। ଗ୍ରହମାନଙ୍କ କୋପ ଦୃଷ୍ଟିରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ଏଠାକୁ ଆସନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି କୂଅ ପାଣି ପିଇ ହଜାର ହଜାର ଲୋକ ଗ୍ରହ ଦୋଷରୁ ମୁକ୍ତି ପାଇଛନ୍ତି। ବୈଜ୍ଞାନିକ ମତ ଅନୁଯାୟୀ ଏଥିରେ ନଅଟି ଭିନ୍ନ ସ୍ଵାଦର ଜଳ ରହିବାର କାରଣ ହେଉଛି ଏଥିରେ ନଅଟି ବିଭିନ୍ନ ଖଣିଜ ପଦାର୍ଥ ରହିଛି। ସେଥିପାଇଁ ଏହାର ସ୍ୱାଦ ପୃଥକ୍‌ ପୃଥକ୍‌ ହୋଇଥାଏ।

 

Leave A Reply

Your email address will not be published.