Latest Odisha News

BREAKING NEWS

ସଙ୍ଗୀତରେ ଏକ ମଧୁର ପୃଥିବୀର କଳ୍ପନା, ରାଜାରାଣୀ ମନ୍ଦିର ବେଢାରୁ କିଛି କଥା

(କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ ମିଶ୍ରରାଗ) 

ପ୍ରତିବର୍ଷ ରାଜାରାଣୀ ସଙ୍ଗୀତ ଉତ୍ସବକୁ ମୁଁ ଯାଏ। ଏକାଦଶ ଶତାବ୍ଦୀର ଏହି ଚମତ୍କାର ମନ୍ଦିର ସ୍ଥାପତ୍ୟ ସବୁବେଳେ ଏକ ଆକର୍ଷଣ। ଏହାର ପ୍ରତି ପଥରରେ ରହିଛି ଓଡିଆ ଶିଳ୍ପୀର କଳ୍ପନାପ୍ରବଣ ସୃଜନଶୀଳତା। ସବୁ ମୂର୍ତ୍ତି ଏ ମନ୍ଦିରରେ ଜୀବନ୍ତ ଲାଗନ୍ତି। ତେବେ ମୋ ଲାଗି ସବୁଠୁ ସବୁଠୁ ବଡ ଆକର୍ଷଣ ହେଉଛି, ଏ ମନ୍ଦିରରେ କୌଣସି ଦେବତା ନାହାନ୍ତି। ଇଏ ଏକ ଅପୂଜା ଦେଉଳ। ଏତେ ସୂକ୍ଷ୍ମ କଳାକୃତି ସମ୍ପନ୍ନ ଏ ମନ୍ଦିରର ଗର୍ଭଗୃହ କାହିଁକି ଶୂନ୍ୟ କେଜାଣି!!ସବୁବେଳେ ଲାଗେ, ରାଜାରାଣୀ ମନ୍ଦିର ଏକ ରହସ୍ୟ, ଏକ ଚିତ୍ତାକର୍ଷକ, କିନ୍ତୁ ବୁଝି ହେଉନଥିବା ଏକ କବିତା। ଏ ମନ୍ଦିର ବେଢାରେ ପ୍ରତିବର୍ଷ ଜାନୁଆରୀ ମାସରେ ଓଡିଶା ସରକାର ଆୟୋଜନ କରନ୍ତି ଏକ ସଙ୍ଗୀତ ଉତ୍ସବ। ଏହି ଉତ୍ସବରେ ମୁଁ ଭାରତର ବହୁତ ମହାନ ଶିଳ୍ପୀଙ୍କୁ ଶୁଣିବାର ଓ ଭେଟିବାର ସୁଯୋଗ ପାଇଛି। ଡକ୍ଟର ବାଲ ମୁରଲୀକୃଷ୍ଣ, ପଣ୍ଡିତ ହରିପ୍ରସାଦ ଚୌରାଶିଆ, ପଣ୍ଡିତ ଶିବକୁମାର ଶର୍ମା, ବଡାଲି ବନ୍ଧୁ, ରାଜନ-ସାଜନ ମିଶ୍ର, ଗୁଣ୍ଡିଚା ବନ୍ଧୁ, ଏଲ.ସୁବ୍ରମନ୍ୟମ, ଏନ.ରାଜମ, ଭିକୁ ବିନାୟକମ ଘଟମଙ୍କ ଭଳି ବହୁ ମହାନ ସଙ୍ଗୀତଜ୍ଞଙ୍କୁ ଏହି ଉତ୍ସବରେ ଶୁଣିବା ବେଳେ ଲାଗିଛି, ଭାରତୀୟ ମହାନ ସଙ୍ଗୀତର ଧାରା ସହିତ ରାଜାରାଣୀ ମନ୍ଦିରର ଏକ ଅଦୃଶ୍ୟ ସମ୍ପର୍କ ରହିଛି। ମୋର ଏବେବି ମନେଅଛି, କିଛି ବର୍ଷ ତଳେ କର୍ଣ୍ଣାଟକି ସଙ୍ଗୀତର ପ୍ରବାଦ ପୁରୁଷ ବାଲ ମୁରଲୀକୃଷ୍ଣ ତାଙ୍କର ତିଲ୍ଲାନା ଗାଉଥିବା ବେଳେ, ହଠାତ ଯେମିତି ମନ୍ଦିରର ସବୁ ମୂର୍ତ୍ତି ଜୀବନ୍ତ ହୋଇ ପଡିଥିଲେ।

ଏ ବର୍ଷ, ଗତକାଲି ଉତ୍ସବର ପ୍ରଥମ ସନ୍ଧ୍ୟାକୁ ମୁଁ ଯିବାକୁ ଚାହୁଁଥିଲି। ତେବେ ଗୋଟେ ଅଜଣା ଭୟ ମୋତେ ଅଟକାଇ ଦେଲା। ପ୍ରଥମତଃ ଥଣ୍ଡା, ଓ ଦ୍ବିତୀୟରେ କରୋନା ସଂକ୍ରମଣର ଭୟ। ତେବେ ରାଜାରାଣୀ ଉତ୍ସବକୁ ଦେଖିବା ଲାଗି ମନ୍ଦିର ବେଢାକୁ ନ ଯାଇ, ୱେବ କାଷ୍ଟରେ ଶୁଣିଲେ ଅସୁବିଧା କଣ!! ପ୍ରଥମେ ଭାବିଥିଲି, ଉତ୍ସବର ପ୍ରଥମ ଶିଳ୍ପୀ ସୁଧା ରଘୁନାଥନଙ୍କୁ ଟିକେ ପରେ ଶୁଣିଲେ ମଧ୍ୟ ଚଳିବ। ଓଡିଶୀ ଏବଂ ହିନ୍ଦୁସ୍ତାନୀ ସହିତ ଅଭ୍ୟସ୍ତ ଆମର କାନ, କର୍ଣ୍ଣାଟକୀକୁ ଟିକେ ପର ବୋଲି ଭାବେ। ସ୍ଵର ଓ ଶ୍ରୂତିର ସୂକ୍ଷ୍ମତା ଦୃଷ୍ଟିରୁ ହିନ୍ଦୁସ୍ତାନୀ ତୁଳନାରେ କର୍ଣ୍ଣାଟକୀ ଯେ ଅଧିକ ପ୍ରଭାବଶାଳୀ, ଏ କଥା ଆମେ ବେଶୀ ଧରି ପାରୁନା। ତା ପରେ, ଓଡିଶୀ ସହିତ କର୍ଣ୍ଣାଟକୀର ନିବିଡତା ଟିକେ ଅଧିକ। ବାଳକୃଷ୍ଣ ଦାଶଙ୍କ ପୂର୍ବରୁ ଆମ ଓଡିଶୀ ଗାୟନରେ ଦକ୍ଷିଣୀ ଠାସଟି ଅଧିକ ଥିଲା। ବାଳକୃଷ୍ଣ ଦାଶଙ୍କ ପରେ ଆମେ ଟିକେ ବେଶୀ ହିନ୍ଦୁସ୍ତାନୀ ଆଡକୁ ଢଳିଲେ। ଆମର ପ୍ରବନ୍ଧ ଗାୟନ ସହିତ କର୍ଣ୍ଣାଟକୀର ସାମ୍ୟ ଅଧିକ। ଏହା ସହିତ ଓଡିଶୀ ଏବଂ କର୍ଣ୍ଣାଟକୀରେ ସାହିତ୍ୟର ଗତି ସଙ୍ଗୀତ ସହିତ ସମାନ୍ତରାଳ। ହିନ୍ଦୁସ୍ତାନୀରେ ସାହିତ୍ୟ ଅପେକ୍ଷା ସଙ୍ଗୀତର କାରୁକାର୍ୟ ବେଶୀ।

ସୁଧା ରଘୁନାଥନଙ୍କୁ ଶୁଣିବା ମୋ ଲାଗି ଗୋଟେ ପ୍ରକାର ଆକର୍ଷଣ ଥିଲା ବୋଲି କହିବି ନାଇଁ। କେବଳ କୌତୁହଳ ଦୃଷ୍ଟିରୁ ମୁଁ ପ୍ରଥମ କେଇ ମିନିଟ ତାଙ୍କୁ ଶୁଣିବାକୁ ଚାହିଁଥିଲି। ତେବେ ଆରଭି ରାଗରେ ସେ ଯେତେବେଳେ ସିଦ୍ଧି ବିନାୟକ ସ୍ତୋତ୍ର ଆରମ୍ଭ କରିଥିଲେ, ସେଇଠି ଏକା କୁହୁକ ତିଆରି ହୋଇଥିଲା। ସୁଧାଙ୍କ ସ୍ଵର ଏତେ ପବିତ୍ର ଆଉ ମଧୁର ଯେ, କେହି ବି ସେ ସ୍ଵରର ଯାଦୁକରୀରେ ଅଟକିଯିବାକୁ ବାଧ୍ୟ। କର୍ଣ୍ଣାଟକୀ ସଙ୍ଗୀତର ସବୁଠୁ ବଡ ଐଶ୍ବର୍ୟ ହେଉଛି, ଏହାର ସ୍ଵର ମାଧୁରୀ। ଭାଷାର କଠିନତା ଦୃଷ୍ଟିରୁ ଅନେକ ଏହାକୁ ଧରି ରଖିପାରନ୍ତି ନାହିଁ। ହେଲେ ବାସ୍ତବରେ, ଏହାର ମାଧୁର୍ୟ ଅନନ୍ୟ। ପୃଥିବୀର ସବୁଠୁ ମଧୁର ସ୍ଵରର ମାଲିକାଣୀ ବୋଲି ଆମେ ଏମ.ଶୁଭଲକ୍ଷ୍ମୀଙ୍କୁ ଜାଣିଛୁ। ତେବେ କେବଳ ମଧୁର ଲାଗିଲେ, ସଙ୍ଗୀତର ସିଦ୍ଧି ଆସେନାହିଁ। ସୁଧାଙ୍କ କଣ୍ଠରେ ଗୋଟେ ବିଚିତ୍ର ସ୍ପଷ୍ଟତା ବାରି ହୋଇପଡେ। ଆପଣ ସଙ୍ଗୀତର ଭାଷା ବୁଝନ୍ତୁ କି ନ ବୁଝନ୍ତୁ, ସ୍ଵରର ଭାବ ଆପଣଙ୍କୁ ଆଚ୍ଛାଦିତ କରିବ।

ସଙ୍ଗୀତରେ ରାଗ ଓ ତାର ସୂକ୍ଷ୍ମ କାରିଗରୀକୁ ବୁଝିବା ସହଜ କଥା ନୁହେଁ। ତେବେ ଜଣେ ସଚ୍ଚା ସଙ୍ଗୀତ ଶିଳ୍ପୀ ଆପଣଙ୍କ କଳ୍ପନାକୁ ଉଚ୍ଚାଟିତ କରେ। ଆଖି ବୁଜି ଆପଣ ସେ ସଙ୍ଗୀତ ଭିତରେ ଗୋଟେ ମଧୁର ପୃଥିବୀର ପରିକଳ୍ପନା କରନ୍ତି। ପୃଥିବୀରେ ଯାବତୀୟ ହିଂସା, ଯୁଦ୍ଧ, କପଟ, ବିଦ୍ଵେଷ ଓ ବିଭ୍ରାନ୍ତି ଭିତରୁ ଏ ପ୍ରକାର ସଙ୍ଗୀତ ଆମକୁ ମୁକ୍ତି ଦିଏ। ସତ କହିଲେ, ସୁଧା ରଘୁନାଥନଙ୍କ ଗୀତରେ ଏମିତି ଏକ ମୁକ୍ତିର ଅନୁଭବ ମୋ ଭିତରକୁ ଆସିଥିଲା। ପ୍ରାୟ ୧ ଘଣ୍ଟା ୨୦ ମିନିଟରେ ସାତୋଟି ରାଗ (ଆରଭି, ୟମନ-ଶିବରଞ୍ଜନୀ, ଜଗନ୍ମୋହିନୀ, ହେମବତୀ, ବୃନ୍ଦାବନୀ ଓ ଦ୍ଵିଜବନ୍ତି ଏବଂ ପ୍ରତି ରାଗର ଗତି ଭିନ୍ନ। ପ୍ରତ୍ୟେକ ରାଗ ସଙ୍ଗୀତର ସ୍ଵର, ଶ୍ରୁତି, ଲୟ,ଛନ୍ଦ, ଗତି ଓ ପ୍ରକୃତି ଅଲଗା। ଏତେ ସବୁ ଅଲଗା କଳା କୌଶଳ ଭିତରେ ଯାହା ଆମକୁ ବାନ୍ଧି ରଖେ, ତା ହେଉଛି, ସଙ୍ଗୀତର ସଂହତି। ସଙ୍ଗୀତ ମେଳ କରାଏ। ଆମର ଭାଙ୍ଗି ଯାଉଥିବା ପୃଥିବୀକୁ ବାରମ୍ବାର ଯୋଡି ପାରିବାର ସାମର୍ଥ୍ୟ ସଙ୍ଗୀତ ପାଖରେ ଇ ରହିଥାଏ।

Comments are closed.