Latest Odisha News

BREAKING NEWS

ଓଡିଶୀ ସ୍ଥାପତ୍ୟ ବନାମ କୋଠାବାଡିର ପାରାଭାଡି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

ଓଡିଶାର ଖ୍ୟାତନାମା ଚିତ୍ରଶିଳ୍ପୀ ସ୍ଵର୍ଗତ ଦିନନାଥ ପାଠି ଆଧୁନିକ ଭୁବନେଶ୍ୱରକୁ ପାରାଭାଡିର ସହର ବୋଲି କହୁଥିଲେ। ଜଣେ ଓଡିଶୀ ଚିତ୍ରଶିଳ୍ପୀର ଆଖିରେ ଆଜିର ଭୁବନେଶ୍ୱରକୁ ପାରାଭାଡି ବ୍ୟତୀତ ଆଉ କଣ ବା କୁହାଯାଇ ପାରିବ? ଭୁବନେଶ୍ୱର ପ୍ରାୟ ତିନି ହଜାର ବର୍ଷର ପ୍ରାଚୀନ ସହର। ଭୁବନେଶ୍ୱର ବ୍ୟତୀତ ଓଡିଶାରେ ଆହୁରି ଅନେକ ସହର ରହିଛି, ଯାହାର ଇତିହାସ ହଜାର ବର୍ଷରୁ ପୁରୁଣା। ପ୍ରତ୍ୟେକ ସହରର ନିଜସ୍ଵ ନିର୍ମାଣ ଶୈଳୀ ଓ ସ୍ଥାପତ୍ୟ ରହିଥିଲା। ତେବେ ପୁରୁଣା ଭୁବନେଶ୍ୱରର ମନ୍ଦିର, ପୁଷ୍କରିଣୀ ଓ ଅନୁଷ୍ଠାନ ନିର୍ମାଣରେ ସବୁଠୁ ଅଧିକ ବିବିଧତା ଦେଖିବାକୁ ମିଳିଥାଏ। କଳା ଓ ସ୍ଥାପତ୍ୟ ଦୃଷ୍ଟିରୁ ଏତେ ସମୃଦ୍ଧ ଏକ ସହରର ନବନିର୍ମାଣ ସମୟରେ ଆମେ ଏହାକୁ ପାରାଭାଡି କରିଦେଲୁ କାହିଁକି?

ପଚାଶ ଦଶକରେ ଭୁବନେଶ୍ୱର ସହରକୁ ଓଡିଶାର ନୂଆ ରାଜଧାନୀ ଭାବେ ନିର୍ମାଣ କଲାବେଳେ ଆମେ ପୁରୁଣା ଭୁବନେଶ୍ୱରକୁ କୋଣଠେସା କରିଦେଇ ତଥାକଥିତ ଆଧୁନିକତାର ମାୟାରେ ଭାସିଲୁ। ନୂଆ ରାଜଧାନୀ ତିଆରି କଲାବେଳେ ଆମେ ଯେଉଁ ସବୁ କୋଠାବାଡି ତିଆରି କଲୁ, ସେଥିରେ ଓଡିଶୀ କଳା ବା ସ୍ଥାପତ୍ୟର ନାମଗନ୍ଧ ରହିଲା ନାହିଁ। ରାଜ୍ୟର ପ୍ରମୁଖ କୋଠା ଭାବରେ ବିଧାନସୌଧ ଓ ସଚିବାଳୟ ତିଆରି କଲାବେଳେ ଆମ ସୌନ୍ଦର୍ୟବୋଧ ବୋଧହୁଏ ମରି ଯାଇଥିଲା ! ରାଜ୍ୟର କୌଣସି ବି ସରକାରୀ ବା ବେସରକାରୀ ସୌଧରେ ଓଡିଶୀ ସ୍ଥାପତ୍ୟର ଆଭାସ ନଥିଲା। ସବୁ କୋଠାର ନିର୍ମାଣର ଶୈଳୀ ପ୍ରାୟ ଏକାପରି ଓ ଦେଖିବାକୁ ସବୁ ଗୁଡିକ ନୀରସ ଓ ଶୁଖିଲା। ଏମିତି କୌଣସି ନୂଆ କୋଠା ଆମର ନାହିଁ, ଯାହାକୁ ଆମେ ଓଡିଶୀ ସ୍ଥାପତ୍ୟର ନୂଆ ଉଦାହରଣ ଭାବେ ଉପସ୍ଥାପନ କରିପାରିବା।

ଏହାର ଏକ ବ୍ୟତିକ୍ରମ ହେଉଛି ଗତ ବର୍ଷ ରାଜ୍ୟ ସରକାର ନିର୍ମାଣ କରିଥିବା “କୃଷି ଭବନ”। ସମ୍ବଲପୁରୀ ଶାଢୀ ର ପାରମ୍ପରିକ ଡିଜାଇନ ଆଧାରରେ ଏହି ନୂଆ କୋଠାର ରୂପାୟନ କରା ଯାଇଛି। ରଙ୍ଗ, ରୂପ ଓ ଆବାସ ବ୍ୟବସ୍ଥା ଦୃଷ୍ଟିରୁ ଏହି କୋଠାଟି ନିଶ୍ଚିତ ଭାବରେ ଆକର୍ଷଣୀୟ। ଆନ୍ତର୍ଜାତିକ ସ୍ଥାପତ୍ୟ ପତ୍ରିକା ଗୁଡିକରେ ଏହି କୋଠାର ସ୍ଥାପତ୍ୟକୁ ପ୍ରଶଂସା ମିଳିଛି। ତେବେ ଏ ପ୍ରକାର ପ୍ରୟାସ ମାତ୍ର ଗୋଟିଏ କୋଠାରେ ସୀମିତ କାହିଁକି? ଓଡିଶା ସରକାର ପ୍ରତିବର୍ଷ କିଛି କିଛି ନୂଆ କୋଠା ତିଆରି କରୁଛନ୍ତି। ସେଥିରେ ଓଡିଶୀ ସ୍ଥାପତ୍ୟର ପ୍ରୟୋଗ ଏକ ଜାତୀୟ କର୍ତ୍ତବ୍ୟ ନୁହେଁ କି?

ନଗର ଓ ଗୃହ ନିର୍ମାଣ କ୍ଷେତ୍ରରେ ଓଡିଶାର ନିଜସ୍ଵ ପରମ୍ପରା ରହିଛି। ଓଡିଶାର ଶିଳ୍ପୀ ଓ କଳାକାରମାନେ ଖାଲି ମନ୍ଦିର ନିର୍ମାଣ କରିବାରେ ଯେ ଦକ୍ଷ ଥିଲେ ତା ନୁହେଁ, ଗୃହ ନିର୍ମାଣର ଏକ ଓଡିଶୀ ଧାରା ଶହ ଶହ ବର୍ଷ ଧରି ଆମର ରହି ଆସିଥିଲା। ଏ ସମ୍ପର୍କରେ ଆମର ଶିଳ୍ପୀମାନେ ଦୁଇଟି ଶାସ୍ତ୍ରର ଅନୁସରଣ କରୁଥିଲେ। “ଭୁବନ ପ୍ରଦୀପ” ଏବଂ “ଶିଳ୍ପ ଶାସ୍ତ୍ର” ନାମରେ ପରିଚିତ ଏହି ଦୁଇଟି ଗ୍ରନ୍ଥ (କେହି କେହି ଏହାକୁ ଗୋଟିଏ ଗ୍ରନ୍ଥର ଦୁଇ ବିବିଧ ରୂପ ବୋଲି କହିଥାନ୍ତି) ଆମ ସ୍ଥାପତ୍ୟ ବିଦ୍ୟାର ଉତ୍କର୍ଷ କଥା କହିଥାନ୍ତି। ଓଡିଶୀ ଗୃହ ନିର୍ମାଣ ଶୈଳୀର ଏକ ସ୍ଵୟଂ ସଂପୂର୍ଣ୍ଣ ଟେକନିକ ଆମ ପାଖରେ ରହିଥିବା ବେଳେ ଆମେ ଅନ୍ୟ ଗୃହ ନିର୍ମାଣ ଶୈଳୀର ହନୁକରଣ କରୁଛୁ କାହିଁକି?

ଓଡିଶା ସରକାର ଯେତେବେଳେ “କୃଷି ଭବନ” ନିର୍ମାଣ କଲେ,ସେତେବେଳେ ସଚେତନ ଭାବରେ ଓଡିଶୀ ସ୍ଥାପତ୍ୟର କଥା ନିଶ୍ଚୟ ଉଠିଥିବ। ତେବେ ଏହି ସମୟରେ ତୋଳା ହୋଇଥିବା ରାଜ୍ୟ ସଚିବାଳୟର ସମ୍ପ୍ରସାରିତ କୋଠା “ଲୋକସେବା ଭବନ” ରେ ଓଡିଶୀ ସ୍ଥାପତ୍ୟ କାହିଁ? ନୂଆ ପୋଲିସ କମିଶନରଙ୍କ ପାଇଁ ଗମ୍ବୁଜ ଏବଂ ସ୍ତମ୍ଭ ବ୍ୟବହାର କରି ପାଶ୍ଚାତ୍ୟ ଢାଞ୍ଚାର ଏକ ବିଶାଳ ସୌଧ ନିର୍ମାଣ କରାଗଲା। ଅନ୍ତତଃ ଏତେ ବଡ କୋଠାରେ ଓଡିଶୀ ସ୍ଥାପତ୍ୟର ପ୍ରୟୋଗ କରିବାର ସୁଯୋଗକୁ ଆମେ ହାତଛଡା କଲେ କାହିଁକି?

ସରକାରୀ ଓ ବେସରକାରୀ ଭାବରେ ପ୍ରତିଦିନ ଆମର ନୂଆ କୋଠା ତିଆରି ହେଉଛି। ହେଲେ ସବୁ କୋଠାର ନିର୍ମାଣ ଶୈଳୀ ଆପାତତଃ ସମାନ। ଭାରତ ସରକାରଙ୍କ ସ୍ମାର୍ଟ ସିଟି ଯୋଜନାରେ ଓଡିଶାକୁ ପ୍ରଥମ ନଗର ଭାବେ ପରିଚୟମିଳିଲା। ତେବେ ସ୍ମାର୍ଟ ସିଟିର ପରିକଳ୍ପନାରେ “ଷ୍ଟେଟ ଅଫ ଦ ଆର୍ଟ” ବା ସର୍ବାଧୁନିକ ବ୍ୟବସ୍ଥା କଥା କୁହାଯାଉଥିଲେ ମଧ୍ୟ ସହରକୁ ଦେଖିବାର ଓ ଦେଖାଇବାର ଦୃଷ୍ଟିକୋଣ ସେହି “ପାରାଭାଡି” ଭିତରେ ସୀମିତ ରହିଛି। ପରମ୍ପରା ନାଁରେ କେଉଁଠି କେମିତି କୋଣାର୍କ ଚକ ବା ଦର୍ପଣୀ ମୂର୍ତ୍ତିଟିଏ ରଖିଦେଇ ଆମେ ଓଡିଶୀ ସ୍ଥାପତ୍ୟର ଶ୍ରାଦ୍ଧ କରିଚାଲିଛୁ। ହେଲେ ନିର୍ମାଣ ଓ ଯୋଜନାରେ ଦେଶୀ ସ୍ଥାପତ୍ୟର ଆଧୁନିକ ପ୍ରୟୋଗ ପାଇଁ ଆମର ଇଚ୍ଛାଶକ୍ତି ଆଦୌ ଜଣା ପଡୁନାଇଁ।

ଓଡିଶୀ ନିର୍ମାଣ ଶୈଳୀରେ ଏତେ ପ୍ରକାର ବିବିଧତା ରହିଛି ଯେ, ଆମେ ଆମର ନିର୍ମାଣ ପ୍ରକ୍ରିୟା ମାଧ୍ୟମରେ ଭୁବନେଶ୍ବରକୁ ଏକ ଜୀବନ୍ତ ମ୍ୟୁଜିୟମର ରୂପ ଦେଇ ପାରିବା। ହେଲେ ସେଥିପାଇଁ ଶିଳ୍ପୀର ଆଖି ଓ କଳାକୁ ଭଲ ପାଉଥିବା ଶାସକର ମନ ରହିବା ଜରୁରୀ। ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସ୍ଥାପତ୍ୟ ଓ ଶିଳ୍ପଶାସ୍ତ୍ରରେ ରୁଚି ରଖୁଥିବା ରାଜନେତା। ତାଙ୍କର ୨୦ ବର୍ଷର ଶାସନକାଳରେ ଆମେ ଯଦି ୨୦ଟି ଆଧୁନିକ ଓଡିଶୀ ସ୍ଥାପତ୍ୟ ତିଆରି କରିପାରିଲେ ନାହିଁ, ତାହେଲେ ଅନ୍ୟ କିଛି ଆଶା କରିବା ବୃଥା!!

ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫
(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.