Latest Odisha News

BREAKING NEWS

ଓଡିଆ ସିଦ୍ଧ କବିତାର ଶେଷ ସନ୍ତକ, ପୂର୍ଣ୍ଣମାସୀ ଜାନି ଓରଫ ତାଡି ସରୁବାଇ

(କେଦାର ମିଶ୍ରଙ୍କ ସାପ୍ତାହିକ ସ୍ତମ୍ଭ ମିଶ୍ରରାଗ)

ଗତ କିଛି ବର୍ଷ ହେଲା ଓଡିଶାରୁ ପଦ୍ମ ପୁରସ୍କାର ପାଉଥିବା ପ୍ରତିଭାବାନ ଲୋକଙ୍କ ତାଲିକାରେ ଅନ୍ତତଃ ଗୋଟିଏ ଆଶ୍ଚର୍ୟ ନାମ ରହି ଆସୁଛି। ଏ ବର୍ଷ ତାର ବ୍ୟତିକ୍ରମ ହୋଇନାହିଁ। ଚଳିତ ବର୍ଷ ପଦ୍ମ ପୁରସ୍କାରରେ ସାମିଲ ହୋଇଥିବା ଓଡିଆ ନାମ ଗୁଡିକ ମଧ୍ୟରେ ପୂର୍ଣ୍ଣମାସୀ ଜାନି ନାମଟି ଅନେକଙ୍କୁ ଚକିତ କରିଥିବ ନିଶ୍ଚୟ। ୟା ହଳଧର ନାଗ, କମଳା ପୂଜାରୀ, ଜିତେନ୍ଦ୍ରିୟ ହରିପାଲଙ୍କ ନାମ ଯେମିତି ସୁଖଦ ଆଶ୍ଚର୍ୟ ଥିଲା, ଏଥର ସେହି ଧାରାରେ ପୂର୍ଣ୍ଣମାସୀ ଜାନିଙ୍କ ନାମ ସାମିଲ ହୋଇଛି। କନ୍ଧମାଳ ଜିଲ୍ଲାର ଖଜୁରୀପଡାରେ ରହୁଥିବା ପୂର୍ଣ୍ଣମାସୀ ଜାନି ପଦ୍ମଶ୍ରୀ ପୁରସ୍କାର ପାଇଲା ବେଳେ ମାନସିକ ଭାବରେ ସେ କେଉଁ ସ୍ତରରେ ଥିବେ ସେ କଥା କହିବା ମୁସ୍କିଲ। କାରଣ ସେ ସବୁବେଳେ ମାନସ ଲୋକରେ ଏକ ଭିନ୍ନ ସ୍ଥିତିରେ ରହିଥାନ୍ତି। ବିଲକୁଲ ପାଠ ପଢିନଥିବା ଓ ଲେଖି ଜାଣି ନଥିବା ପୂର୍ଣ୍ଣମାସୀ ସାଧାରଣ ଜୀବନରେ କୁଇ ଭାଷା ଇ ଜାଣନ୍ତି। ତେବେ ତାଙ୍କ ଚେତନା ବେଳେ ବେଳେ ଭିନ୍ନ ଜଗତକୁ ଚାଲିଯାଏ। ଏକ ଆତୁର ଏବଂ ରହସ୍ୟମୟ ମାନସିକ ଅବସ୍ଥାରେ ସେ ଯେଉଁ କବିତା ଉଚ୍ଚାରଣ କରନ୍ତି, ତାହା ତାଙ୍କ ବ୍ୟକ୍ତିତ୍ବର ସଂପୂର୍ଣ୍ଣ ବିପରୀତ। ଗଭୀର ଆଧ୍ୟାତ୍ମିକତା ଏବଂ ମାନବବାଦୀ ଚିନ୍ତନର ଉଚ୍ଚାଙ୍ଗ କବିତା ସେ ଅନର୍ଗଳ ଗାଇଚାଲନ୍ତି। ସେ କବିତା ସବୁ ତାଙ୍କର ନିଜସ୍ଵ। ସେ ଯେଉଁ ସ୍ତରରେ ରହି କବିତା ଲେଖନ୍ତି, ତାହା ଆଦୌ ଏ ଜଗତର କବିତା ନୁହେଁ। ତେଣୁ ଏ ପୁରସ୍କାର ଯେଉଁ ପୂର୍ଣ୍ଣମାସୀ ଜାନି ପାଇଛନ୍ତି, ସେ କବି ପୂର୍ଣ୍ଣମାସୀ ଜାନି ଓରଫ ତାଡି ସରୁବାଇ ନୁହନ୍ତି।

ତାଡି ସରୁବାଇ ଭାବରେ ବିଖ୍ୟାତ ପୂର୍ଣ୍ଣମାସୀ ଜାନିଙ୍କ ବିଷୟରେ ସେ ପଦ୍ମଶ୍ରୀ ସମ୍ମାନ ପାଇବା ପର୍ୟନ୍ତ ଗୁଗୁଲ ରେ କୌଣସି ତଥ୍ୟ ନାହିଁ। ତେଣୁ ଏ ପ୍ରସଙ୍ଗରେ ଆମ ସାମ୍ବାଦିକମାନଙ୍କ ମୁଣ୍ଡ ବିନ୍ଧିବା ସ୍ଵାଭାବିକ। କିଏ ଏହି ତାଡି ସରୁବାଇ? ସେ କରନ୍ତି କଣ? ନବେ ଦଶକରେ ତତ୍କାଳୀନ ପ୍ରସିଦ୍ଧ ସାଂସ୍କୃତିକ ପତ୍ରିକା “ସଚିତ୍ର ବିଜୟା” ପତ୍ରିକାରେ ଦେତେବେଳର ସମ୍ପାଦକ ଅଭୟ ସିଂ ତାଡି ସରୁବାଇଙ୍କ ଉପରେ ଏକ ଚମତ୍କାର ଆଲେଖ୍ୟ ପ୍ରକାଶ କରିଥିଲେ। ତାଙ୍କର ବିସ୍ମୟଜନକ ପ୍ରତିଭା ବିଷୟରେ ସେତେବେଳେ ଫୁଲବାଣୀ ମହାବିଦ୍ୟାଳୟରେ ଥିବା ଅଧ୍ୟାପକ ବିଶ୍ଵରଞ୍ଜନ ମଧ୍ୟ କିଛି ଲେଖିଥିଲେ। ପ୍ରାଧ୍ୟାପକ ପ୍ରେମାନନ୍ଦ ମହାପାତ୍ର ତାଡି ସରୁବାଇଙ୍କ କବିତା ସବୁକୁ ଏକତ୍ରିତ କରି ଏକ ଗ୍ରନ୍ଥ ମଧ୍ୟ ପ୍ରକାଶ କରିଥିଲେ। ଅଳ୍ପକିଛି ଓଡିଆ ପତ୍ର ପତ୍ରିକାରେ ପୂର୍ଣ୍ଣମାସୀ ଜାନିଙ୍କ କଥା ଆମେ ପଢିଛୁ। ହେଲେ ଗତ ୨୦ ବର୍ଷ ହେଲା, ତାଙ୍କ ସମ୍ପର୍କରେ ପ୍ରାୟ ସବୁକିଛି ନୀରବ।

ଏବେ ପଦ୍ମଶ୍ରୀ ମିଳିଲା ପରେ, ତାଙ୍କ କୁଡିଆ ଘରେ ପୁଣି ଭିଡ ଜମିବା। ତାଙ୍କୁ ଆଦିବାସୀ ସମାଜରେ ଓ ଆଖପାଖ ଅଞ୍ଚଳରେ ଜଣେ ଅଦ୍ଭୁତ ବିଭୁତି ସମ୍ପନ୍ନ ସନ୍ୟାସିନୀ ଭାବରେ ଏବେ ପୂଜା କରାଯାଉଛି। ତାଙ୍କର ବିସ୍ମୟଜନକ କାବ୍ୟ ପ୍ରତିଭାକୁ ଲେଖିବା ଓ ତାର ସଂରକ୍ଷଣ ଅପେକ୍ଷା ସେଠାରେ ଏବେ ସୁଖଲୋଭୀ ମଧ୍ୟବିତ୍ତଙ୍କର ଭିଡ ବେଶୀ। ହୁକୁମ ପାଇବା କିମ୍ବା କିଛି ଗୋଟେ କୁହୁକ ସୁଖ ହାସଲ କରିବା ଲାଗି, ତାଙ୍କ ପାଖରେ ଭକ୍ତଙ୍କ ଗହଳି ବଢୁଛି। ତେବେ ଭକ୍ତଙ୍କ ଭିଡ ଭିତରେ ତାଙ୍କ କବିତା ଆସ୍ତେ ଆସ୍ତେ ହଜି ଯାଉଛି।

ଏକ ନିର୍ଦ୍ଦିଷ୍ଟ ଭାବାବେଗରେ ସେ ନିଜର କବିତା ଗାଇ ଯାଆନ୍ତି । ସେଥିରୁ ଅନେକ କବିତା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନ ଭଳିଆ ରହସ୍ୟମୟ ଓ ଗଭୀର ଅର୍ଥସମ୍ପନ୍ନ। ଭାବାବେଗରୁ ଫେରିଲା ପରେ, ପୁଣି ସେ ସାଧାରଣ ପୂର୍ଣ୍ଣମାସୀ ପାଲଟି ଯାଆନ୍ତି। ତାଙ୍କର କବିତା ଶକ୍ତି ଏକ ଭିନ୍ନ ଜଗତର ଅନୁପ୍ରେରଣା। ଏହାକୁ ପ୍ରକାଶନ, ପୁରସ୍କାର ଓ ସ୍ଵୀକୃତି ଭିତରେ ବାନ୍ଧି ହେବନାହିଁ। ତାଙ୍କ ବିଭୁତି ଏକ ଗଭୀର ଆଧ୍ୟାତ୍ମିକ ଅନୁଭବର ପ୍ରତିଫଳନ। ବରଂ ତାଙ୍କୁ ଆମ ସମୟର ଶେଷ ସିଦ୍ଧକବି ବୋଲି ଆମେ କହିପାରିବା। ଆମର ସିଦ୍ଧ ବା ସନ୍ଥ ପରମ୍ପରାରେ କବି ହେଉଛି କବିତାର ବାହନ ମାତ୍ର। କବି କବିତା ଲେଖେନାହିଁ। କବିତା କବିର ଶରୀର ଦେଇ ଅବତରଣ କରେ।

ତାଡି ସରୁବାଇଙ୍କ କବିତା ସେଇ ସିଦ୍ଧ ପରମ୍ପରାର ସନ୍ତକ। ପଦ୍ମଶ୍ରୀ ତାଙ୍କ ପାଇଁ ଏକ ନଶ୍ଵର ପଦକ ମାତ୍ର।

Leave A Reply

Your email address will not be published.