Latest Odisha News

BREAKING NEWS

ଚେଇଁ ଶୋଇଛି ବନବିଭାଗ, ଖୋଲାଖୋଲି ମାରି ଖାଉଛନ୍ତି କଇଁଛ

ଭୁବନେଶ୍ବର: କ୍ରୁରତାର ଚରମ ସୀମାରେ ପହଞ୍ଚିଗଲାଣି ଆଜିର ମଣିଷ । ପାଟିର ଟିକିଏ ସ୍ବାଦ ପାଇଁ ନିରୀହ ଜୀବଙ୍କୁ ବଳି ପକାଇବାକୁ ବି ପଛାଉନାହିଁ । କଇଁଛ ଭଳି ସଂରକ୍ଷିତ ସରିସୃପକୁ ମାରି ଖାଉଛି । ଶୀକାର କରି, ରୋଷେଇ କରି ଖାଲି ଯେ ତାକୁ ଖାଉଛୁ ତାହା ନୁହେଁ, ଖୁଲମଖୁଲା ଭାବେ ପୂରା ପ୍ରକ୍ରିୟାର ଭିଡିଓକୁ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରୁଛନ୍ତି । ହେଲେ ସବୁଠୁ ବଡ କଥା ହେଉଛି ଚେଇଁକି ଶୋଇଛି ବନବିଭାଗ । ତା ନାକ ତଳେ ଏଭଳି ଆଇନ ବିରୁଦ୍ଧ ଘଟଣା ହେଉଥିବା ବେଳେ ଏବେ ପର୍ଯ୍ୟନ୍ତ ବନବିଭାଗ ଆଖି ଖୋଲିନି ।

ତେବେ ଭାଇରାଲ ହେଉଥିବା କଇଁଛ ଭଜା, ବିବେକ ୨୪, ନାମକ ଜଣେ ଓଡ଼ିଆ ଯୁବକଙ୍କ ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ  ଅପଲୋଡ କରାଯାଇଛି । ଯେଉଁଥିରେ ଏକ ଇଣ୍ଡିଆନ ଫ୍ଲାପ ସେଲ କଇଁଛକୁ ରାନ୍ଧି ଖାଇବା ଭିଡ଼ିଓ ଅପଲୋଡ଼ କରିଛନ୍ତି ଉକ୍ତ ଯୁବକ । ଯେଉଁ ଭିଡିଓଟି ଗତ ଡିସେମ୍ବର ୨୭ରେ ଅପଲୋଡ ହୋଇଥିବା ଜଣାପଡିଛି । ଉକ୍ତ ଭିଡିଓଟିରେ ବିବେକ କଇଁଛଟିକୁ ଛୁରୀ ଧରି କାଟିବା, ମସଲା ମସଲି ଦେଇ କିପରି ବିଧିବଦ୍ଧ ରନ୍ଧା ଯାଉଛି ତାର ପୂରା ପ୍ରକ୍ରିୟା ସେୟାର କରିଛନ୍ତି । ଖାଲି ସେତିକି ନୁହେଁ, ଭିଡିଓ ଶେଷରେ ଉକ୍ତ ଯୁବକ ଜଣଙ୍କ ସେଇ ମାଂସ ଖାଇ ଖୁସି ମଧ୍ୟ ବ୍ୟକ୍ତ କରୁଛନ୍ତି ।

ହେଲେ ଏ ପୂରା ଘଟଣା ଏବେ ୟୁଟ୍ୟୁବରେ ଥିବା ବେଳେ ଏହା ସୋସିଆଲ ମିଡିଆରେ ବି ଭାଇରାଲ ହେଉଛି । କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ ବନଭିାଗର କୌଣସି ଆକ୍ସନ ନାହିଁ । ଯେଉଁଠି କଇଁଛକୁ ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ୍, ୧୯୭୨ରେ Schedule-I ସରୀସୃପ ଭାବରେ ସଂରକ୍ଷିତ ଏବଂ ଏହାକୁ ଶୀକାର କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ୧ ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି, ସେଠି ଖୋଲାଖୋଲି ଭାବରେ ଯୁବକ ଜଣଙ୍କର ଏଭଳି ଦୁଃସାହାସ ହେଲା କିପରି ? ଆଉ ଭିଡିଓଟି ଅପଲୋଡ ହେବାର ବେଶ୍ କିଛି ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବନବିଭାଗ ଏହା ଉପରେ କୌଣସି ଆକ୍ସନ ନେଇ ନାହିଁ କାହିଁକି?

ଯାହାକୁ ନେଇ ଏବେ ଉକ୍ତ ଯୁବକଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଇମେଲ ମାଧ୍ୟମରେ ଚିଠି ଲେଖି ଅନୁରୋଧ କରିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।  ଶୁଭେନ୍ଦୁ ଉଭୟ ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଥିବା ଭିଡ଼ିଓକୁ ଡାଉନଲୋଡ୍ କରିବା ସହ ଭିଡ଼ିଓର ଲିଙ୍କ ସହିତ ସ୍କ୍ରିନ ସଟ୍ କୁ ପ୍ରମାଣ ସ୍ବରୂପ ଇମେଲରେ ସଂଲଗ୍ନ କରିଛନ୍ତି । ଏଥିସହିତ ଯଥାଶୀଘ୍ର ଉକ୍ତ ଯୁବକଙ୍କ ପିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ଖାଲି ସେତିକି ନୁହେଁ, ବେଆଇନ ଭାବେ ସାପ ଦରି ଯେଉଁ ଭିଡିଓ ଅପଲୋଡ କରାଯାଉଛି, ତାକୁ ନେଇ ମଧ୍ୟ ଆପତ୍ତି ଉଠାଇଛି ଶୁଭେନ୍ଦୁ ।

Leave A Reply

Your email address will not be published.