ମୁମ୍ବାଇ: ଆଇପିଏଲ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ୭ଟି ମ୍ୟାଚରୁ ଦଳ କେବଳ ୨ଟି ମୁକାବିଲାରେ ବିଜୟ ହାସଲ କରିଛି । କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ଦଳର ପ୍ଲେ ଅଫ ପ୍ରବେଶ ଆଶା ଧୀରେ ଧୀରେ କ୍ଷୀଣ ହେଉଛି । ଏଥିପାଇଁ ବାକି ୭ଟି ମ୍ୟାଚରୁ ମୁମ୍ବାଇକୁ ୫ କିମ୍ବା ୬ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ରୋହିତ ଶର୍ମାଙ୍କ ଅନୁପସ୍ଥିତି ମୁମ୍ବାଇ ଟିମକୁ ବ୍ୟାକଫୁଟକୁ ଠେଲି ଦେଉଛି ବୋଲି ପୂର୍ବ କ୍ରିକେଟର ଓ ଭାଷ୍ୟକାର ଆକାଶ ଚୋପ୍ରା କହିଛନ୍ତିି । ଦଳର ବ୍ୟାଟିଂରେ ସ୍ଥିରତା ନାହିଁ । ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ସେ ଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି ।
ରୋହିତ ୪ର୍ଥ ମ୍ୟାଚରେ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ସେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରି ନାହାନ୍ତି । ରୋହିତଙ୍କ ଉପସ୍ଥିତି ଦଳର ମନୋବଳ ବୃଦ୍ଧି କରାଇଥାଏ । ବିସ୍ଫୋରକ ବ୍ୟାଟିଂ ସହ ତାଙ୍କ ଅଭିଜ୍ଞତା ହାର୍ଦ୍ଦିକଙ୍କୁ ମଧ୍ୟ ଫାଇଦାରେ ରଖିଥାନ୍ତା ବୋଲି ସେ କହିଛନ୍ତି । ମୁମ୍ବାଇ ପୂର୍ବରୁ ଏ ଭଳି ପରିସ୍ଥିତିରୁ ମୁକୁଳି ୨ ଥର ଚାମ୍ପିୟନ ହୋଇଛି । ଆଗକୁ ଆଉ ଗୋଟିଏ କିମ୍ବା ୨ଟି ମ୍ୟାଚରେ ଖରାପ ପ୍ରଦର୍ଶନ କଲେ ଦଳ ପ୍ଲେଅଫକୁ ପ୍ରବେଶ କରିପାରି ନାହିଁ ।